
୧୪ଟି ପ୍ରକଳ୍ପ ପାଇଁ ୨୦ କୋଟି ୧୭ ଲକ୍ଷ ଟଙ୍କା ବ୍ୟୟବରାଦ, ଶିଳାନ୍ୟାସ କଲେ ବିଧାୟକ ଟଙ୍କଧର ତ୍ରିପାଠୀ
ଝାରସୁଗୁଡ଼ା, ୫: ନଭେମ୍ବର (ହି.ସ.)ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କିର୍ମିରା ବ୍ଲକରେ ବିକାଶମୂଳକ କାର୍ଯ୍ୟକୁ ନୂଆ ଗତି ଦେବା ଲକ୍ଷ୍ୟରେ ୧୪ଟି ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ଗୁରୁବାର ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଏହି ସମସ୍ତ ପ୍ରକଳ୍ପର ଶିଳାନ୍ୟାସ କରିଥିବା ବେଳେ ଏଥିପାଇଁ ମୋଟ ୨୦ କୋଟି ୧୭ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି। ଏଥିରେ ରାସ୍ତା ନିର୍ମାଣ ଓ ଉନ୍ନତିକରଣ ପାଇଁ ୧୫ କୋଟି ଟଙ୍କା, ଗୋଟିଏ ସେତୁ ନିର୍ମାଣ ପାଇଁ ୩ କୋଟି ୬୬ ଲକ୍ଷ ଟଙ୍କା ଏବଂ ବିଜିବିଓ ଯୋଜନାରେ ବିଭିନ୍ନ କମ୍ୟୁନିଟି ସେଣ୍ଟର ଓ ଭାଗବତ ଟୁଙ୍ଗି ନିର୍ମାଣ ପାଇଁ ୪୫ ଲକ୍ଷ ଟଙ୍କା ବ୍ୟୟବରାଦ ରହିଛି।
ଏହି ଅବସରରେ ବିଧାୟକ ଶ୍ରୀ ତ୍ରିପାଠୀ ବ୍ଲକର ବିଭିନ୍ନ ପଞ୍ଚାୟତ ଗସ୍ତ କରି ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ଭୀମଜୋର ପଞ୍ଚାୟତର ଭୀମଜୋର-ବୁଡ଼ାପଡ଼ା ଆରଡି ରାସ୍ତା ଏବଂ ପିଡବ୍ଲ୍ୟୁଡି ରାସ୍ତାରୁ ସୁନାପଡ଼ାକୁ ସଂଯୋଗ କରୁଥିବା ରାସ୍ତାର ଶିଳାନ୍ୟାସ କରିଥିଲେ।
ସେହିପରି ସୁଲାହି ପଞ୍ଚାୟତର ସୁଲାହି ଗ୍ରାମରେ ବିଜିବିଓ ଯୋଜନାରେ କମ୍ୟୁନିଟି ସେଣ୍ଟର ଏବଂ ଢେଙ୍ଗୁରଜୋର-ମୁଣ୍ଡାପଡ଼ା ପିଡବ୍ଲ୍ୟୁଡି ରାସ୍ତାର ଶିଳାନ୍ୟାସ କରାଯାଇଥିଲା। ଅର୍ଡା ପଞ୍ଚାୟତର ନିର୍ଗୁଣପଡ଼ାଠାରେ ପିଡବ୍ଲ୍ୟୁଡି ରାସ୍ତାରୁ କୁଟୁରାଚୁଆଁକୁ ସଂଯୋଗ କରୁଥିବା ରାସ୍ତା ଏବଂ କହେଁଇପଡ଼ାରେ ଭାଗବତ ଟୁଙ୍ଗି ନିର୍ମାଣ ପାଇଁ ମଧ୍ୟ ଶିଳାନ୍ୟାସ ହୋଇଥିଲା।
ଜି. ପାନପାଲି ପଞ୍ଚାୟତରେ ଜି. ପାନପାଲି ରେଳ ଫାଟକରୁ ଜଳିପଡ଼ା ପର୍ଯ୍ୟନ୍ତ ଆରଡି ରାସ୍ତା, ନକ୍ସାପାଲି ପଞ୍ଚାୟତର ଉଚ୍ଚକାବାହାଲ ଗ୍ରାମରେ ପିଡବ୍ଲ୍ୟୁଡି ରାସ୍ତାରୁ ଅମରବାଣୀପଡ଼ାକୁ ସଂଯୋଗ କରୁଥିବା ରାସ୍ତା ଏବଂ ନକ୍ସାପାଲି ଗ୍ରାମରେ ପିଡବ୍ଲ୍ୟୁଡି ରାସ୍ତାରୁ ସୁନାପଡ଼ା ପର୍ଯ୍ୟନ୍ତ ରାସ୍ତାର ଶିଳାନ୍ୟାସ କରାଯାଇଥିଲା। ଏହାସହ ଲିମଟିକରା ଗ୍ରାମରେ ଭାଗବତ ଟୁଙ୍ଗି ନିର୍ମାଣ ପାଇଁ ମଧ୍ୟ ଶିଳାନ୍ୟାସ ହୋଇଥିଲା।
ଏହାବ୍ୟତୀତ କିର୍ମିରା ପଞ୍ଚାୟତରେ କିର୍ମିରା-ଶଙ୍କରାବାହାଲ ଆରଡି ରାସ୍ତା ଏବଂ କିର୍ମିରା ଗ୍ରାମରେ ଭାଗବତ ଟୁଙ୍ଗି ନିର୍ମାଣର ଶିଳାନ୍ୟାସ କରାଯାଇଥିଲା। ବନ୍ଧପାଲି ପଞ୍ଚାୟତର ପୁଟେଇଡିହି ଓ ଶିଆଳରମା ଗ୍ରାମରେ ବିଜିବିଓ ଯୋଜନାରେ କମ୍ୟୁନିଟି ସେଣ୍ଟର ନିର୍ମାଣ କାର୍ଯ୍ୟର ମଧ୍ୟ ଶୁଭାରମ୍ଭ ହୋଇଥିଲା।
ଏହି ଅବସରରେ ବିଧାୟକ ଟଙ୍କଧର ତ୍ରିପାଠୀ କହିଥିଲେ ଯେ, କିର୍ମିରା ବ୍ଲକବାସୀଙ୍କ ପକ୍ଷରୁ ଏହି ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକ ପାଇଁ ଦୀର୍ଘଦିନ ଧରି ଦାବି ହୋଇଆସୁଥିଲା। ଆଜି ଏହା ପୂରଣ ହୋଇଛି। ପ୍ରକଳ୍ପଗୁଡ଼ିକ ସମ୍ପୂର୍ଣ୍ଣ ହେଲେ ଅଞ୍ଚଳର ଗମନାଗମନ ବ୍ୟବସ୍ଥାରେ ସୁଧାର ଆସିବା ସହ ସ୍ୱାସ୍ଥ୍ୟ, କ୍ରୀଡ଼ା ଓ ସାମାଜିକ କ୍ଷେତ୍ରର ବିକାଶ ହୋଇପାରିବ। ଏହାଦ୍ୱାରା ଚାଷୀଙ୍କ ସମେତ ସାଧାରଣ ଜନତା ବିଶେଷ ଭାବେ ଉପକୃତ ହେବେ। ଜନସାଧାରଣଙ୍କ ସେବା ଓ ଅଞ୍ଚଳର ବିକାଶ ପାଇଁ ଆଗାମୀ ଦିନରେ ମଧ୍ୟ ଏହି ପ୍ରୟାସ ଜାରି ରହିବ ବୋଲି ସେ ମତପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମରେ ବିଧାୟକଙ୍କ ସହ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ଆଶିଷ ଲେଙ୍କା, କିର୍ମିରା ବିଡିଓ ଅଭିନାଶ ଲାକ୍ରା, କିର୍ମିରା ବିଜେପି ମଣ୍ଡଳ ସଭାପତି ଉଦ୍ଧବ ସିଂ ନାଏକ, ବିଜୟ ଶର୍ମା, ବାବୁଲାଲ କିସାନ, ଝସକେତନ ପ୍ରଧାନ, ଯାମିନୀକାନ୍ତ ନାୟକ, ପବନ ଶର୍ମା, ଶୁଭମ ସାହୁ, ସନ୍ଦୀପ ପଟେଲ, ମୋହନ ନାୟକ, ଭୀମଜୋର ସରପଞ୍ଚ ମନ ବାଗ, ବିକାଶ ଶର୍ମା, ବ୍ଲକ ଉପାଧ୍ୟକ୍ଷା ସାବିତ୍ରୀ ମାଝୀ, ପ୍ରଦୀପ କିସାନ, ପ୍ରକାଶ ଜୟପୁରିଆ, ଦଶରଥ ନାୟକ, ହେମନ୍ତ ଜାମଧୁଳିଆ, କିର୍ମିରା ସରପଞ୍ଚ ସନ୍ତୋଷିନୀ ପଟେଲ, ଗିରିଧାରୀ ପାଣ୍ଡେ ଓ ରାଜୁ ପାଣ୍ଡେଙ୍କ ସମେତ ବହୁ ସରକାରୀ କର୍ମଚାରୀ ଓ ଜନସାଧାରଣ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ