

ବଲାଙ୍ଗିର, ୫ ନଭେମ୍ବର (ହି.ସ.)- ବାଲ୍ୟବିବାହ ଭଳି ଏକ ସାମାଜିକ କୁପ୍ରଥା ବିରୋଧରେ ସଚେତନତା ସୃଷ୍ଟି କରିବା ସହ ଅନ୍ୟ ଶିଶୁ ଓ କିଶୋରୀମାନଙ୍କ ପାଇଁ ପ୍ରେରଣାର ଉଦାହରଣ ସାଜିଛନ୍ତି ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକର ଆଦିବାସୀ ଝିଅ ଧରିତ୍ରୀ ସେଠ । ତାଙ୍କର ଏହି ଉଲ୍ଲେଖନୀୟ ସାମାଜିକ ଅବଦାନ ଓ ବାଲ୍ୟବିବାହ ନିରାକରଣ ଦିଗରେ ସଚେତନାମୂଳକ ପ୍ରୟାସ ପାଇଁ ଓଡିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ତାଙ୍କୁ ସମ୍ମାନିତ କରିଛନ୍ତି ।
ବେଲପଡା ବ୍ଲକର ନରୋତ୍ତମ ସେଠଙ୍କ କନ୍ୟା ଧରିତ୍ରୀ ଆଦ୍ୟାଶା କାର୍ଯ୍ୟକ୍ରମ ସହ ଜଡିତ ରହି ବାଲ୍ୟବିବାହ ନିରାକରଣ, ଶିଶୁ ଅଧିକାର, କିଶୋରୀ ସଶକ୍ତୀକରଣ ଏବଂ ସାମାଜିକ ସଚେତନତା ଦିଗରେ ସକ୍ରିୟ ଭୂମିକା ନିର୍ବାହ କରିଆସୁଛନ୍ତି । ନିଜ ବୟସର ପିଲାମାନଙ୍କୁ ଶିକ୍ଷା ଜାରି ରଖିବା, ବାଲ୍ୟବିବାହକୁ ନା କହିବା ଏବଂ ନିଜ ଅଧିକାର ପାଇଁ ସ୍ୱର ଉତ୍ତୋଳନ କରିବାକୁ ସେ ପ୍ରେରିତ କରୁଛନ୍ତି । ୟୁନିସେଫ୍ ଏବଂ ଏଡ୍ଏଟ୍ଆକ୍ସନ ର ସହଯୋଗରେ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ପରିଚାଳିତ ଆଦ୍ୟାଶା କାର୍ଯ୍ୟକ୍ରମ କିଶୋରୀମାନଙ୍କ ମଧ୍ୟରେ ନେତୃତ୍ୱ, ଆତ୍ମ ବିଶ୍ୱାସ ଓ ସାମାଜିକ ଦାୟିତ୍ୱବୋଧ ବିକାଶ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି । ବଲାଙ୍ଗିର ଜିଲ୍ଲାରେ ଏହି କାର୍ଯ୍ୟକ୍ରମକୁ ଆଗେଇ ନେବାରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଏବଂ ବେଲପଡା ସିଡିପିଓଙ୍କ ଉଲ୍ଲେଖନୀୟ ସହଯୋଗ ରହିଛି । ଗ୍ରାମାଞ୍ଚଳର ଶିଶୁ ଓ କିଶୋରିମାନେ ମଧ୍ୟ ପ୍ରୟାସ କଲେ ସମାଜରେ ପରିବର୍ତ୍ତନ ସମ୍ଭବ ବୋଲି ଧରିତ୍ରୀ ପ୍ରକାଶ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ