
ଭୁବନେଶ୍ୱର, ୫ ନଭେମ୍ବର (ହି.ସ.)। ଓଡ଼ିଶା ସରକାର ଗୁରୁବାର ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ଅଦଳବଦଳ କରିଛନ୍ତି। ଏହି କ୍ରମରେ ଚାରି ଜଣ ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି। ଏନେଇ ନଭେମ୍ବର ୫ ତାରିଖରେ ସାଧାରଣ ପ୍ରଶାସନ ଓ ଜନଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।
ବିଜ୍ଞପ୍ତି ଅନୁଯାୟୀ, ୧୯୯୫ ବ୍ୟାଚ୍ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ସାଧାରଣ ପ୍ରଶାସନ ଓ ଜନଅଭିଯୋଗ ବିଭାଗର ଓଏସ୍ଡି (ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି) ଭାବେ ନିଯୁକ୍ତ କରାଯାଇଛି। ସେ ଏହା ପୂର୍ବରୁ ଓଡ଼ିଶା ବନ ଉନ୍ନୟନ ନିଗମ (ଓଏଫ୍ଡିସି)ର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବା ସହ କେବିକେ ଅଞ୍ଚଳର ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ।
ସେହିପରି, ୨୦୦୨ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଗିରୀଶ ଏସ୍.ଏନ୍.ଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଆୟୁକ୍ତ-ତଥା-ଶାସନ ସଚିବ ଭାବେ ନିଯୁକ୍ତି ମିଳିଛି। ସେ ପୂର୍ବରୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଆୟୁକ୍ତ-ତଥା-ଶାସନ ସଚିବ ଥିଲେ।
୨୦୦୩ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଅଶ୍ୱଥୀ ଏସ୍., ଯିଏକି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଆୟୁକ୍ତ-ତଥା-ଶାସନ ସଚିବ ଭାବେ କାର୍ଯ୍ୟରତ ଥିଲେ, ତାଙ୍କୁ ଅର୍ଥ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଭାବେ ନିଯୁକ୍ତ କରାଯାଇଛି। ତେବେ ସେ ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଫର୍ ଟ୍ରାନ୍ସଫର୍ମେଟିଭ୍ ଇନିସିଏଟିଭ୍ସ, ଓଡ଼ିଶା (ସିଟି-ଓଡ଼ିଶା)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ଅତିରିକ୍ତ ଦାୟିତ୍ୱ ବଜାୟ ରଖିବେ।
ଅନ୍ୟପକ୍ଷରେ, କେନ୍ଦ୍ରୀୟ
ଡେପୁଟେସନରୁ ଫେରିଥିବା ୨୦୦୪ ବ୍ୟାଚ୍ ଆଇଏଏସ୍ ଅଧିକାରୀ ରୂପା ମିଶ୍ରଙ୍କୁ ପଞ୍ଚାୟତିରାଜ ଓ
ପାନୀୟ ଜଳ ବିଭାଗର ଆୟୁକ୍ତ-ତଥା-ଶାସନ ସଚିବ ଭାବେ ନିଯୁକ୍ତ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ