
ବୋକାରୋ, ୦୫ ନଭେମ୍ବର (ହି.ସ.)- ଝାଡ଼ଖଣ୍ଡର ବୋକାରୋ ଜିଲ୍ଲାର ବେରମୋ ଉପଖଣ୍ଡରେ ଗୁରୁବାର ଭୋର ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ସିସିଏଲ୍ର କଥାରା କ୍ଷେତ୍ର ଅନ୍ତର୍ଗତ କଥାରା କୋଲିୟାରିର ପାଂଚ ନମ୍ବର ପୁରୁଣା କୋଇଲା ଷ୍ଟକ୍ରେ କୋଇଲା ଗଦା ଧସିଯିବାରୁ ଚାପି ହୋଇ ତିନି ମହିଳାଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନ୍ୟ ଛଅ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣା ସମୟରେ ନଅ ଜଣ ଲୋକ କୋଇଲା ଗୋଟାଇବା ପାଇଁ ପୁରୁଣା ଷ୍ଟକ୍କୁ ଯାଇଥିଲେ। ଏହି ସମୟରେ ହଠାତ୍ କୋଇଲା ଗଦା ଧସିଯିବାରୁ ସମସ୍ତେ ଏହାର ଶିକାର ହୋଇଥିଲେ।
ମୃତକମାନଙ୍କ ପରିଚୟ ମଣ୍ଡଇ ଟୋଲା ନିବାସୀ ପୁଷ୍ପା ଦେବୀ (ସ୍ୱାମୀ ଗଲ୍ଲୁ ରଜୱାର), ପାରଟାଣ୍ଡ ନିବାସୀ କୌଶଲ୍ୟା ଦେବୀ (ସ୍ୱାମୀ ବିଶ୍ୱନାଥ ଯାଦବ ଓରଫ୍ ମୁଣ୍ଡଲା ଯାଦବ) ଏବଂ ବାବୁରାମ ଟୋଲା ନିବାସୀ ସହୋଦରୀ ଦେବୀ (ସ୍ୱାମୀ ହୀରାଲାଲ ଯାଦବ) ଭାବେ ହୋଇଛି। ସକାଳ ପ୍ରାୟ ୪ଟା ସମୟରେ କଥାରା ଆଂଚଳିକ ହସ୍ପିଟାଲରେ ଡାକ୍ତରମାନେ ତିନି ମହିଳାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ଗ୍ରାମବାସୀ ମୃତଦେହଗୁଡ଼ିକୁ ନିଜ ଘରକୁ ନେଇଯାଇଥିଲେ।
ଦୁର୍ଘଟଣାରେ ଆହତ ହୋଇଥିବା ଛଅ ଜଣଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନିଆଯାଇଥିଲା। ସେମାନଙ୍କ ମଧ୍ୟରୁ ପାଂଚ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ଅନ୍ୟ ଜଣଙ୍କର ଚିକିତ୍ସା ଜାରି ରହିଛି। ତାଙ୍କ ଅବସ୍ଥା ବିପଦମୁକ୍ତ ଥିବା କୁହାଯାଇଛି। ଘଟଣା ସମ୍ପର୍କରେ ସୂଚନା ପାଇ ସିସିଏଲ୍ ପରିଚାଳନାର ପିଓ ରଞ୍ଜିତ କୁମାର, ଏସ୍ଓ ସେଫ୍ଟି ଆରକେ. ବର୍ଣ୍ଣୱାଲଙ୍କ ସମେତ ଅନେକ ଅଧିକାରୀ ଘଟଣାସ୍ଥଳରେ ପହଂଚିଥିଲେ। ପରିଚାଳନା ପକ୍ଷରୁ ପେଲୋଡର ମେସିନ୍ ଲଗାଇ ଧସିଥିବା କୋଇଲା ହଟାଯିବା ସହ ଯାଂଚ କରାଯାଇଥିଲା।
କଥାରା ଓପି ପ୍ରଭାରୀ ରାହୁଲ ରାମ ଦୁର୍ଘଟଣାରେ ତିନି ମହିଳାଙ୍କ ମୃତ୍ୟୁ ଏବଂ ଅନ୍ୟ ଲୋକଙ୍କ ଆହତ ହେବା ଘଟଣାକୁ ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷରେ ଡିଏସ୍ପି ରବୀନ୍ଦ୍ର ସିଂହ କହିଛନ୍ତି ଯେ, କୋଇଲା ଗୋଟାଇବା ସମୟରେ ମାଟି ଓ କୋଇଲାର ଆବର୍ଜନା ଧସିଯିବାରୁ ତିନି ମହିଳାଙ୍କ ମୃତ୍ୟୁ ହୋଇଛି। ଆହତମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ହସ୍ପିଟାଲ ପଠାଯାଇଛି।
ବର୍ତମାନ ସ୍ଥାନୀୟ ପ୍ରଶାସନ ଏବଂ ସିସିଏଲ୍ ପରିଚାଳନା ପକ୍ଷରୁ ଘଟଣାର କାରଣ ଯାଂଚ କରାଯାଉଛି। ପୁରୁଣା କୋଇଲା ଷ୍ଟକ୍ରେ ସୁରକ୍ଷା ବ୍ୟବସ୍ଥାର ମଧ୍ୟ ଯାଂଚ ଚାଲିଛି।
--------------
ହିନ୍ଦୁସ୍ଥାନ ସମାଚାର / ଗଗନ