
ନୂଆଦିଲ୍ଲୀ, ୦୫ ନଭେମ୍ବର (ହି.ସ.)- କେରଳ ଲୋକସେବା ଆୟୋଗ (କେପିଏସ୍ସି)ରେ କଥିତ ଦୁର୍ନୀତି ଓ କୁପ୍ରଶାସନ ଅଭିଯୋଗକୁ ନେଇ ବିଜେପି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛି। କେରଳ ବିଜେପି ସଭାପତି ରାଜୀବ ଚନ୍ଦ୍ରଶେଖର ରାଷ୍ଟ୍ରପତିଙ୍କୁ ରାଜ୍ୟପାଳଙ୍କ ସୁପାରିସ ଆଧାରରେ ସମ୍ବିଧାନର ଧାରା ୩୧୭ ଅନୁଯାୟୀ ଏହି ମାମଲାକୁ ସୁପ୍ରିମକୋର୍ଟଙ୍କ ନିକଟକୁ ପଠାଇବାକୁ ଅନୁରୋଧ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, କେପିଏସ୍ସିରେ କଥିତ ଅନିୟମିତତା ବିରୋଧରେ ଦୀର୍ଘ ମାସ ଧରି ଆନ୍ଦୋଳନ କରୁଥିବା ଯୁବକମାନଙ୍କୁ ନ୍ୟାୟ ମିଳୁନାହିଁ। ରାଜ୍ୟର କଂଗ୍ରେସ ସରକାର ଗତ ଛଅ ମାସ ମଧ୍ୟରେ ଏହି ମାମଲାରେ ଗୋଟିଏ ବି ତଦନ୍ତ ଆରମ୍ଭ କରିନାହାନ୍ତି।
ରାଜୀବ ଚନ୍ଦ୍ରଶେଖର ସାଂସଦ ପି.ଟି. ଉଷା ଓ ସଦାନନ୍ଦନ ମାଷ୍ଟରଙ୍କ ସହ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ଏ ସମ୍ପର୍କରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ପ୍ରତିନିଧିମଣ୍ଡଳ ରାଜ୍ୟପାଳଙ୍କ ସୁପାରିସ ଉପରେ ଉପଯୁକ୍ତ ପଦକ୍ଷେପ ନେବା ସହ କେରଳ ଲୋକସେବା ଆୟୋଗରେ କଥିତ ଦୁର୍ନୀତି ଓ କୁପ୍ରଶାସନ ମାମଲାକୁ ସୁପ୍ରିମକୋର୍ଟଙ୍କ ନିକଟକୁ ପଠାଇବାକୁ ଅନୁରୋଧ କରିଛନ୍ତି।
ଗୁରୁବାର ବିଜେପି ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଚନ୍ଦ୍ରଶେଖର କହିଛନ୍ତି ଯେ, କେରଳର ରାଜ୍ୟପାଳ ସମ୍ବିଧାନର ଧାରା ୩୧୭ ଅନୁଯାୟୀ କେପିଏସ୍ସିର କାର୍ଯ୍ୟପ୍ରଣାଳୀରେ କଥିତ ଦୁର୍ନୀତି ଓ କୁପ୍ରଶାସନ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ନିକଟକୁ ମାମଲା ପଠାଇବାକୁ ସୁପାରିସ କରିଛନ୍ତି। ଏବେ ରାଷ୍ଟ୍ରପତିଙ୍କ ସ୍ତରରେ ଏହି ମାମଲାରେ ପଦକ୍ଷେପ ନେବାକୁ ଦାବି କରାଯାଇଛି।
ବିଜେପି ସଭାପତି କହିଛନ୍ତି ଯେ, କେରଳ ଲୋକସେବା ଆୟୋଗର ନିଯୁକ୍ତି ପ୍ରକ୍ରିୟା ସହ ଜଡ଼ିତ ଯୁବକମାନଙ୍କ ଭବିଷ୍ୟତର ପ୍ରଶ୍ନ ରହିଛି। ରାଜ୍ୟରେ ବହୁ ସଂଖ୍ୟକ ଯୁବକ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭାଗ ନେଇ ରାଙ୍କ ହାସଲ କରିଥିଲେ ମଧ୍ୟ କଥିତ ଅନିୟମିତତା ଯୋଗୁଁ ସେମାନଙ୍କୁ ଚାକିରି ମିଳିପାରିନାହିଁ। ଏପରି ଯୁବକମାନେ ଗତ କିଛି ମାସ ଧରି ବିରୋଧ ପ୍ରଦର୍ଶନ ଓ ଧାରଣା ଦେଇଆସୁଛନ୍ତି।
ସେ ଅଭିଯୋଗ କରିଛନ୍ତି ଯେ, କେପିଏସ୍ସିର କାର୍ଯ୍ୟପ୍ରଣାଳୀ ଉପରେ ନିହିତ ସ୍ୱାର୍ଥଗୋଷ୍ଠୀଙ୍କ ପ୍ରଭାବ ରହିଛି। ଆୟୋଗ ଏସ୍ଏଫ୍ଆଇ (ଷ୍ଟୁଡେଂଟ ଫେଡେରେସନ୍ ଅଫ୍ ଇଣ୍ଡିଆ) ସମେତ ମାକପା ସହ ଜଡ଼ିତ ସଂଗଠନଗୁଡ଼ିକର ପ୍ରଭାବରେ କାମ କରୁଥିବା ନେଇ ଚନ୍ଦ୍ରଶେଖର ଅଭିଯୋଗ କରିଛନ୍ତି। ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଓ ଉତରଦାୟିତ୍ୱ ସୁନିଶ୍ଚିତ କରିବା ପାଇଁ ନିରପେକ୍ଷ ତଦନ୍ତ ଜରୁରୀ ବୋଲି ସେ କହିଛନ୍ତି।
ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଟାର୍ଗେଟ୍ କଲେ
ରାଜୀବ ଚନ୍ଦ୍ରଶେଖର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଦିଲ୍ଲୀରେ କଂଗ୍ରେସ ଯୁବକମାନଙ୍କ ନିଯୁକ୍ତି ଓ ସୁଯୋଗ ବିଷୟରେ କଥା ହେଉଥିବାବେଳେ କେରଳରେ ଯୁବକମାନଙ୍କ ସହ ଜଡ଼ିତ ପ୍ରସଙ୍ଗରେ ଦଳର ଆଭିମୁଖ୍ୟ ଭିନ୍ନ ରହିଛି। ବିଜେପି ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେବା ଏବଂ ରାଜ୍ୟପାଳ ଏହି ମାମଲାକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇବା ପର୍ଯ୍ୟନ୍ତ କେପିଏସ୍ସି ବିରୋଧରେ ତଦନ୍ତ ଦାବି ଆଗକୁ ବଢ଼ିନଥିଲା ବୋଲି ସେ କହିଛନ୍ତି।
ବିଜେପି ସଭାପତି କହିଛନ୍ତି ଯେ, ଦୀର୍ଘ ଦିନ ଧରି ଆନ୍ଦୋଳନ କରୁଥିବା ରାଙ୍କଧାରୀ ଯୁବକମାନଙ୍କୁ ନ୍ୟାୟ ମିଳିବା ଉଚିତ ଏବଂ ଆୟୋଗର ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ସୁନିଶ୍ଚିତ କରାଯିବା ଆବଶ୍ୟକ। ରାଜ୍ୟପାଳଙ୍କ ସୁପାରିସ ଉପରେ ଗମ୍ଭୀରତାର ସହ ବିଚାର କରି ଆବଶ୍ୟକ ପଦକ୍ଷେପ ନେବାକୁ ସେ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛନ୍ତି।
-------------------
ହିନ୍ଦୁସ୍ଥାନ ସମାଚାର / ଗଗନ