
ମାଲକାନଗିରି, ୫ ନଭେମ୍ବର (ହି.ସ.)- ମାଲକାନଗିରି ସହରକୁ ସଂଯୋଗ କରୁଥିବା ପ୍ରମୁଖ ପ୍ରବେଶ ପଥର ଦୟନୀୟ ଅବସ୍ଥାର ଆଜି ଅନୁଧ୍ୟାନ କରିଛନ୍ତି ସ୍ଥାନୀୟ ବିଧାୟକ ନରସିଂହ ମାଡକାମୀ। ରାସ୍ତାରେ ସୃଷ୍ଟି ହୋଇଥିବା ବଡ଼ ବଡ଼ ଖାଲଖମା ଓ ଜଳ ନିଷ୍କାସନ ସମସ୍ୟା ଯୋଗୁଁ ଜନସାଧାରଣ ଭୋଗୁଥିବା ଦୁର୍ଦ୍ଦଶାକୁ ଦୃଷ୍ଟିରେ ରଖି ତୁରନ୍ତ ମରାମତି କାର୍ଯ୍ୟ ଆରମ୍ଭ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ସେ ତାଗିଦ୍ କରିଛନ୍ତି। ଏଥିସହ ଆସନ୍ତା ଏକ ସପ୍ତାହ ମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ସେ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି।
ବିଧାୟକଙ୍କ କହିବା ଅନୁଯାୟୀ, ଦୀର୍ଘଦିନ ଧରି ଏହି ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଥିବାରୁ ଯାତାୟାତରେ ସାଧାରଣ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ରାସ୍ତାରେ ଥିବା ଖାଲଖମା ଯୋଗୁଁ ଦୁର୍ଘଟଣାର ଆଶଙ୍କା ବଢ଼ିବା ସହ ଯାତାୟାତ ମଧ୍ୟ ବିପଦପୂର୍ଣ୍ଣ ହୋଇପଡ଼ିଛି। ଏହା ଜାତୀୟ ରାଜପଥ ନମ୍ବର ୩୨୬ର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥିବାରୁ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ମଧ୍ୟରେ ଯୋଗାଯୋଗ କ୍ଷେତ୍ରରେ ଏହାର ବିଶେଷ ଗୁରୁତ୍ୱ ରହିଛି। ପ୍ରତିଦିନ ଏହି ରାସ୍ତା ଦେଇ ଶହ ଶହ ଯାନବାହନ ଚଳାଚଳ କରୁଥିବା ବେଳେ ସ୍କୁଲ, କଲେଜ ଓ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଯାତାୟାତ କରୁଥିବା ହଜାର ହଜାର ଲୋକ ଏହି ରାସ୍ତା ଉପରେ ନିର୍ଭରଶୀଳ। ତେଣୁ ରାସ୍ତାର ଦୁରବସ୍ଥାର ସ୍ଥାୟୀ ସମାଧାନ ନିମନ୍ତେ କେବଳ ଖାଲଖମା ପୋତି ମରାମତି କରିବା ନୁହେଁ, ବରଂ ରାସ୍ତାର ଉଚ୍ଚତା ବୃଦ୍ଧି ସହ ଉପଯୁକ୍ତ ଜଳ ନିଷ୍କାସନ ବ୍ୟବସ୍ଥା କରିବା ଉପରେ ବିଧାୟକ ଗୁରୁତ୍ୱ ଦେଇଛନ୍ତି।
ଜନସାଧାରଣଙ୍କ ସୁରକ୍ଷିତ ଯାତାୟାତ ଓ ଦୀର୍ଘସ୍ଥାୟୀ ରାସ୍ତା ନିର୍ମାଣକୁ ପ୍ରାଥମିକତା ଦେଇ ଏହି ସମସ୍ତ କାର୍ଯ୍ୟ ବିଳମ୍ବ ନକରି ତୁରନ୍ତ ଆରମ୍ଭ କରିବା ସହ ଏକ ସପ୍ତାହ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ବିଧାୟକ ଶ୍ରୀ ମାଡକାମୀ ଜାତୀୟ ରାଜପଥ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ପରିଦର୍ଶନ ସମୟରେ ବିଧାୟକଙ୍କ ସହ ବିଧାୟକ ପ୍ରତିନିଧି ନିହାର ରାୟ, ନଗର ମଣ୍ଡଳ ସଭାପତି ଦିଲ୍ଲୀପ ଦଣ୍ଡପାତି, ସମ୍ପାଦକ ସୁବ୍ରତ ଜେନା, ମିଡିଆ ପ୍ରଭାରୀ ଶ୍ରୀନିବାସ ପାତ୍ରଙ୍କ ସମେତ ଅନ୍ୟ ସ୍ଥାନୀୟ ନେତା ଓ ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ