
ପୁରୀ, ୫ ନଭେମ୍ବର (ହି.ସ.)- ବିଜୁ ଜନତା ଦଳ (ବି. ଜେ. ଡି ) ପୁରୀ ତରଫରୁ ଜନସମ୍ପର୍କ ପଦଯାତ୍ରା ପୁରୀ ଟାଉନ୍ ହଲ୍ ଠାରୁ ଆରମ୍ଭ ହୋଇ ପୁରୀ ମହାନଗର ନିଗମ (ପିଏମସି) କାର୍ଯ୍ୟାଳୟ ଠାରେ ପହଞ୍ଚି ବିଭିନ୍ନ ଦାବୀ ନେଇ ରାଜରାସ୍ତାରେ ବସିଥିଲେ l ପୁରୀ ବିଧାୟକ ସୁନୀଲ କୁମାର ମହାନ୍ତିଙ୍କ ବଳିଷ୍ଠ ନେତୃତ୍ବରେ ହଜାର ହଜାର ସଂଖ୍ୟାରେ ଜନସାଧାରଣ ଏହି ପଦଯାତ୍ରାରେ ଅଂଶଗ୍ରହଣ କରିଥିଲେ l ବରିଷ୍ଠ ନେତୃବୃନ୍ଦ, ନଗର ସଭାପତି, ସଦର ସଭାପତି, ଛାତ୍ର ସଭାପତି, ଜିଲ୍ଲା ପଦାଧିକାରୀ, ଯୁବ ନେତା, ଛାତ୍ର ନେତା, ମହିଳା ନେତ୍ରୀ ଓ ଶତାଧିକା କର୍ମୀ ବହୁ ଶୁଭେଚ୍ଛୁ ଓ ଜନସାଧାରଣ ଏଥିରେ ଯୋଗ ଦେଇଥିଲେ l
ପୁରୀ ମହାନଗର ନିଗମ ଗଠନ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ମହାନଗର ନିଗମ ପରିଷଦ ପୁନର୍ଗଠନ ହୋଇ ନଥିବାରୁ ସମ୍ପୂର୍ଣ୍ଣ କ୍ଷମତା କମିସନରଙ୍କ ଅଧୀନରେ ଅଛି | ପୁରୀ ପାଇଁ ଆକ୍ସନ ପ୍ଲାନ୍ ରେ କୋଟି କୋଟି ଟଙ୍କା ମଞ୍ଜୁର ହୋଇ
ମହାନଗର ନିଗମକୁ ହସ୍ତାନ୍ତର ହୋଇଥିଲେ ମଧ୍ୟ ଏହି ଅର୍ଥ ସୁବିନିଯୋଗ ନହୋଇ ପଡିରହିଛି l ଫଳରେ ପୁରୀ ସହର ବାସିନ୍ଦା ମାନେ ବିଭିନ୍ନ ସମସ୍ୟାରେ ହନ୍ତସନ୍ତ ହେଉଛନ୍ତି l ଏହି ସବୁ ସମସ୍ୟାର ସ୍ଥାୟୀ ସମାଧାନ ସହ କ୍ଷୁଦ୍ର ବ୍ୟବସାୟୀ , ଉଠାଦୋକାନୀ ଓ ବୁଲା ବିକାଳୀ ମାନଙ୍କୁ ଭେଣ୍ଡିଂ ଜୋନ ନିର୍ମାଣ କରି ସ୍ଥାୟିତ୍ୱ ପ୍ରଦାନ କରାଯାଉ | ବସ୍ତି ବାସିନ୍ଦା ମାନଙ୍କୁ ଉଚ୍ଛେଦ ପୂର୍ବରୁ ଉପଯୁକ୍ତ ଥଇଥାନ କରାଯାଉ | ପୁରୀ ନିକଟବର୍ତ୍ତୀ ଛଅଗୋଟି ଗ୍ରାମପଞ୍ଚାୟତ ମହାନଗରର ନିଗମରେ ଅନ୍ତର୍ଭୁକ୍ତ ହେଲାପରେ ଏହିସବୁ ପଞ୍ଚାୟତକୁ ଉପଯୁକ୍ତ ସେବା ପ୍ରଦାନ କରିବା ମହାନଗର ନିଗମର ଦାୟିତ୍ଵ ହେଇଥିଲେ ମଧ୍ୟ ମହାନଗର ନିଗମ ଏହାକୁ ଅଣଦେଖା କରୁଥିବାରୁ ଜନସାଧାରଣ ମାନଙ୍କ ମନରେ ଏକ ଆକ୍ରୋଶ ଭାବ ସୃଷ୍ଟି ହେଉଛି l ତେଣୁ ଏହି ସବୁ ସମସ୍ୟାକୁ ମହାନଗର ନିଗମର ପଦାଧିକାରୀ ମାନେ ଯଥା ସମ୍ଭବ ଧ୍ୟାନ ଦେବା ପାଇଁ ଦାବି ହୋଇଛି l କମିଶନର ଅଫିସରେ ଉପସ୍ଥିତ ଥାଇ ମଧ୍ୟ ସ୍ମାରକପତ୍ର ଗ୍ରହଣ କରିବାକୁ ଆସିନଥିବାରୁ ଆଗାମୀ ତିନି ମାସ ମଧ୍ୟରେ ଏହିସବୁ ସମସ୍ୟାକୁ ସ୍ଥାୟୀ ରୂପେ ସମାଧାନ କରିବା ପାଇଁ ଦାବି ଜଣାଇ ମହାନଗର ନିଗମ କାନ୍ଥରେ ବିଜେଡି ନୋଟିସ ମାରିଥିଲା l
ହିନ୍ଦୁସ୍ଥାନ ସମାଚାର / ବିଜୟ