
ଅପରେସନ ରିକନେକ୍ଟ ଅଧୀନରେ ୨୦୨୬ରେ ଏଯାବତ୍ ୪୩ ଲକ୍ଷ ଟଙ୍କାର ୧୯୩ ମୋବାଇଲ ଉଦ୍ଧାର
ଜଗତସିଂହପୁର, ୫ ନଭେମ୍ବର (ହି.ସ.)। ଅପରେସନ ରିକନେକ୍ଟ ଅଭିଯାନ ଅଧୀନରେ ଜଗତସିଂହପୁର ଜିଲ୍ଲା ପୋଲିସ ଗୁରୁବାର ୧୩୫ଟି ହଜିଯାଇଥିବା ଓ ଚୋରି ହୋଇଥିବା ମୋବାଇଲ ଫୋନ୍ ଉଦ୍ଧାର କରି ସେଗୁଡ଼ିକର ପ୍ରକୃତ ମାଲିକଙ୍କୁ ଫେରାଇଛି। ଉଦ୍ଧାର ମୋବାଇଲଗୁଡ଼ିକର ଆନୁମାନିକ ମୂଲ୍ୟ ୨୮.୦୨ ଲକ୍ଷ ଟଙ୍କା।
ଏହି ଅବସରରେ ଜଗତସିଂହପୁର ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଥିବା ଜିଲ୍ଲା ଗୁଇନ୍ଦା ବିଭାଗ (ଡିଆଇବି) ସମ୍ମିଳନୀ କକ୍ଷରେ ମୋବାଇଲ ହସ୍ତାନ୍ତର ମେଳା ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ କେନ୍ଦ୍ରାଞ୍ଚଳ ପୋଲିସ ଆଇଜି ଡ. ସତ୍ୟଜିତ ନାଏକ ଏବଂ ଜଗତସିଂହପୁର ଏସ୍ପି ଅଙ୍କିତ କୁମାର ବର୍ମାଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।
ପୋଲିସ ସୂଚନା ଅନୁଯାୟୀ, ଏହି ପର୍ଯ୍ୟାୟରେ ଫେରସ୍ତ କରାଯାଇଥିବା ୧୩୫ଟି ମୋବାଇଲର ମୋଟ ଆନୁମାନିକ ମୂଲ୍ୟ ୨୮ ଲକ୍ଷ ୨ ହଜାର ୬୦୧ ଟଙ୍କା। ଏଥିରେ ଭିଭୋ, ଓପୋ, ରିଅଲମି, ସାମସଙ୍ଗ, ୱାନ୍ପ୍ଲସ୍, ରେଡମି, ମୋଟୋରୋଲା, ଆପଲ୍, ନଥିଂ, ପୋକୋ, ଟେକ୍ନୋ ଏବଂ ଲାଭା ଭଳି ୧୨ଟି କମ୍ପାନୀର ମୋବାଇଲ ରହିଛି।
ଏହି ଉଦ୍ଧାର ସହିତ ୨୦୨୬ ମସିହାରେ ଏଯାବତ୍ ଜଗତସିଂହପୁର ପୋଲିସ ମୋଟ ୧୯୩ଟି ହଜିଯାଇଥିବା ଓ ଚୋରି ହୋଇଥିବା ମୋବାଇଲ ଫୋନ୍ ଠାବ କରି ମାଲିକମାନଙ୍କୁ ଫେରାଇଛି। ଏହି ମୋବାଇଲଗୁଡ଼ିକର ମୋଟ ଆନୁମାନିକ ମୂଲ୍ୟ ପ୍ରାୟ ୪୩.୦୨ ଲକ୍ଷ ଟଙ୍କା।
ଚଳିତ ବର୍ଷ ଏପ୍ରିଲରେ ଆୟୋଜିତ ପ୍ରଥମ ପର୍ଯ୍ୟାୟ ମୋବାଇଲ ହସ୍ତାନ୍ତର ମେଳାରେ ପୋଲିସ ୧୫ ଲକ୍ଷ ଟଙ୍କା ମୂଲ୍ୟର ୫୮ଟି ମୋବାଇଲ ଫୋନ୍ ମାଲିକମାନଙ୍କୁ ଫେରାଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୨୮.୦୨ ଲକ୍ଷ ଟଙ୍କାର ୧୩୫ଟି ମୋବାଇଲ ଫେରସ୍ତ କରାଯାଇଛି।
ଅପରେସନ ରିକନେକ୍ଟ ଅଧୀନରେ ପୋଲିସ ବୈଷୟିକ ଜ୍ଞାନକୌଶଳ, ବ୍ୟବସ୍ଥିତ ତଦନ୍ତ ଏବଂ ବିଭିନ୍ନ ସ୍ତରରେ ସମନ୍ୱୟ ରକ୍ଷା କରି ହଜିଯାଇଥିବା ଓ ଚୋରି ମୋବାଇଲ ଫୋନ୍ ଠାବ କରୁଛି। ନାଗରିକଙ୍କ ହଜିଯାଇଥିବା ସମ୍ପତ୍ତି ଉଦ୍ଧାର କରି ପ୍ରକୃତ ମାଲିକଙ୍କୁ ଫେରାଇବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ