
ଭୁବନେଶ୍ୱର, 05 ନଭେମ୍ବର (ହି.ସ.)ବନ୍ୟା ଓ ଭୂସ୍ଖଳନ ଦ୍ୱାରା ପ୍ରଭାବିତ ଅଞ୍ଚଳରେ ସ୍ଥିତିର ଆକଳନ କରାଯାଇ ସମସ୍ତ ବିଭାଗ ପକ୍ଷରୁ ନିଜ ନିଜ ସ୍ତରରେ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ରାସ୍ତାଘାଟ ମରାମତି କାର୍ଯ୍ୟ ୮୦ ପ୍ରତିଶତ ଶେଷ ହୋଇଥିବା ବେଳେ ପାନୀୟ ଜଳ ସମସ୍ୟା ନାହିଁ। କ୍ଷୟକ୍ଷତିର ଆକଳନ କରାଯାଇ ପ୍ରଭାବିତଙ୍କ ପାଇଁ ସହାୟତା ପ୍ୟାକେଜ୍ ଘୋଷଣା କରାଯାଇଛି ବୋଲି ପଞ୍ଚାୟତିରାଜ, ପାନୀୟ ଜଳ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ କହିଛନ୍ତି।
ସେ କହିଛନ୍ତି ଯେ, ଡେମସି ଗାଁରେ ଭୂସ୍ଖଳନ ଯୋଗୁଁ ତିନି ଜଣଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ପ୍ରଭାବିତ ପରିବାରଙ୍କୁ ନୂଆ ଘର ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଉପଯୁକ୍ତ ଜାଗା ଚିହ୍ନଟ କରାଯାଉଛି ଏବଂ ଚଳିତ ବର୍ଷ ମଧ୍ୟରେ ସେମାନଙ୍କୁ ଘର ଯୋଗାଇ ଦିଆଯିବ। ବର୍ତ୍ତମାନ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏଭଳି ଭୂସ୍ଖଳନ ସେଠାକାର ଲୋକେ ପୂର୍ବରୁ କେବେ ଦେଖିନଥିଲେ। ତେବେ ପ୍ରଭାବିତଙ୍କ ପାଇଁ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରାଯାଉଛି ଏବଂ କୌଣସି ସମସ୍ୟା ନାହିଁ।
ବିରୋଧର ପ୍ରଶ୍ନ ନଥିଲା କି ଆଜି ବି ନାହିଁ। କେବଳ ବିରୋଧ ସୃଷ୍ଟି କରିବାକୁ ଉଦ୍ୟମ ହେଉଛି ବୋଲି ମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ତିତଲି ଓ ଫାଇଲିନ ଭଳି ପୂର୍ବ ବାତ୍ୟା ସମୟରେ ପ୍ରଭାବିତ ଲୋକଙ୍କୁ ସହାୟତା ପାଇବା ପାଇଁ ୬ ମାସରୁ ବର୍ଷେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଥିଲା। କିନ୍ତୁ ବର୍ତ୍ତମାନର ସରକାର ତ୍ୱରିତ ପଦକ୍ଷେପ ନେଇ ପ୍ରଭାବିତଙ୍କୁ ସହାୟତା ଯୋଗାଇ ଦେଉଛନ୍ତି।
ଭବିଷ୍ୟତରେ ଏଭଳି ବିପର୍ଯ୍ୟୟର ମୁକାବିଲା ଓ କ୍ଷୟକ୍ଷତି ରୋକିବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସହ ଆଲୋଚନା କରିଛନ୍ତି। ଆଗାମୀ ଦିନରେ ଏଭଳି ସ୍ଥିତିର ପୁନରାବୃତ୍ତି ହେଲେ କିପରି ଉପଯୁକ୍ତ ପ୍ରତିକାରମୂଳକ ବ୍ୟବସ୍ଥା କରାଯାଇପାରିବ, ସେନେଇ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରାଯାଇଛି। ଗତ ୨୪ ବର୍ଷ ମଧ୍ୟରେ ଏଭଳି ପରିସ୍ଥିତି ଦେଖାଯାଇନଥିବା ବେଳେ ବର୍ତ୍ତମାନର ସରକାର ଯେଉଁଭଳି ଭାବେ ପଦକ୍ଷେପ ନେଇଛନ୍ତି, ପୂର୍ବରୁ କୌଣସି ସରକାର ଏପରି କାର୍ଯ୍ୟ କରିନଥିବା ମନ୍ତ୍ରୀ ଦାବି କରିଛନ୍ତି।
ପ୍ରଭାବିତ ପରିବାରଙ୍କୁ ଘର ଯୋଗାଇ ଦେବା ନେଇ ସେମାନେ ଅବଗତ ଅଛନ୍ତି। ଖୁବ୍ଶୀଘ୍ର ସରକାରୀ ଅଧିକାରୀମାନେ ସେଠାକୁ ଯାଇ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ କରିବେ ବୋଲି ରବି ନାଏକ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ