
ନୂଆଦିଲ୍ଲୀ, ୦୫ ନଭେମ୍ବର (ହି.ସ.)- ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଜାତିଗତ ଭେଦଭାବ ଦୂର କରିବା ପାଇଁ ଅଣାଯାଇଥିବା ବିବାଦୀୟ ୟୁଜିସି ନିୟମର ପୁନର୍ବାର ସମୀକ୍ଷା କରାଯିବ ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଉପସ୍ଥିତ ସଲିସିଟର ଜେନେରାଲ ତୁଷାର ମେହେଟା ଅଦାଲତଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ, ସମସ୍ତ ବର୍ଗର ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ପ୍ରତି ଧ୍ୟାନ ଦିଆଯିବ। ଯେପରି କୌଣସି ବର୍ଗର ଛାତ୍ରଛାତ୍ରୀ ନିଜକୁ ଅସନ୍ତୁଷ୍ଟ କିମ୍ବା ଭୟଭୀତ ଅନୁଭବ ନ କରନ୍ତି, ସେଥିପ୍ରତି ଧ୍ୟାନ ରଖାଯିବ। ମୁଖ୍ୟ ବିଚାରପତି ମଧ୍ୟ କହିଛନ୍ତି ଯେ, ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥର ସୁରକ୍ଷା କରିବା ଜରୁରୀ। ନିୟମ ପ୍ରସ୍ତୁତ କରିବା ସମୟରେ ଦେଶର ଯୁବପିଢ଼ିଙ୍କ କଥା ଧ୍ୟାନରେ ରଖିବା ଆବଶ୍ୟକ।
ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନଗୁଡ଼ିକରେ କୁହାଯାଇଛି ଯେ, ଏହି ନିୟମଗୁଡ଼ିକ ଭେଦଭାବପୂର୍ଣ୍ଣ ଏବଂ ସାଧାରଣ ବର୍ଗର ଲୋକଙ୍କ ମୌଳିକ ଅଧିକାରର ଉଲ୍ଲଂଘନ କରୁଛି। ପୂର୍ବ ଶୁଣାଣି ସମୟରେ ସୁପ୍ରିମକୋର୍ଟ ଏହି ନିୟମଗୁଡ଼ିକର କାର୍ଯ୍ୟକାରିତା ଉପରେ ରୋକ୍ ଲଗାଇଥିଲେ। ଅଦାଲତଙ୍କ ମତ ଥିଲା ଯେ, ଏହି ନିୟମଗୁଡ଼ିକର ଭାଷା ସ୍ପଷ୍ଟ ନୁହେଁ ଏବଂ ଏହାର ଦୁରୁପଯୋଗ ହୋଇପାରେ। ଏହି ନିୟମଗୁଡ଼ିକର ସମୀକ୍ଷା ପାଇଁ ଏକ ନୂଆ କମିଟି ଗଠନ କରିବାକୁ ଅଦାଲତ ସରକାରଙ୍କୁ ପରାମର୍ଶ ଦେଇଥିଲେ।
ଆବେଦନଗୁଡ଼ିକରେ ସୁପ୍ରିମକୋର୍ଟଙ୍କୁ ୟୁଜିସି ରେଗୁଲେସନ୍ସ ୨୦୨୬ର ନିୟମାବଳୀ ୩(ସି) ଲାଗୁ କରିବା ଉପରେ ରୋକ୍ ଲଗାଇବାକୁ ଦାବି କରାଯାଇଛି। ୨୦୨୬ର ନିୟମ ଅନୁଯାୟୀ ଗଠିତ ବ୍ୟବସ୍ଥା ସମସ୍ତ ଜାତିର ବ୍ୟକ୍ତିଙ୍କ ପାଇଁ ଲାଗୁ ହେବା ଉଚିତ ବୋଲି ମଧ୍ୟ ଆବେଦନରେ କୁହାଯାଇଛି। ୟୁଜିସିର ନୂଆ ନିୟମାବଳୀର ୩(ସି)ରେ ଜାତିଗତ ଭେଦଭାବର ସଂଜ୍ଞା ଦିଆଯାଇଛି। ଏହି ସଂଜ୍ଞା ଅନୁଯାୟୀ, କେବଳ ଅନୁସୂଚିତ ଜାତି (ଏସ୍ସି), ଅନୁସୂଚିତ ଜନଜାତି (ଏସ୍ଟି) ଏବଂ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ଙ୍କ ସହ ଘଟୁଥିବା ଘଟଣାକୁ ହିଁ ଜାତିଭିତିକ ଭେଦଭାବ ଭାବେ ଗ୍ରହଣ କରାଯିବ। ଏହି ନିୟମଗୁଡ଼ିକର ଆଳ ନେଇ ସାଧାରଣ ବର୍ଗର ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ବିରୋଧରେ ମିଥ୍ୟା ଏବଂ ଦୁର୍ଭାଗ୍ୟଜନକ ଅଭିଯୋଗ ହୋଇପାରେ ବୋଲି ଆବେଦନରେ କୁହାଯାଇଛି।
-------------------
ହିନ୍ଦୁସ୍ଥାନ ସମାଚାର / ଗଗନ