
ଝାରସୁଗୁଡ଼ା, ୦୫ ନଭେମ୍ବର (ହି.ସ.) - ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ଅଧୀନସ୍ଥ ସଂଚୟ ଓ ଆର୍ôଥକ ସେବା ବିଭାଗ ଆନୁକୂଲ୍ୟରେ ସଂଚୟ ପକ୍ଷ ପାଳନ ଉପଲକ୍ଷେ ଏକ ସ୍ୱତନ୍ତ୍ର ସଚେତନତା ସଭା ସ୍ଥାନୀୟ ନୂଆପଡ଼ା ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ସୁକନ୍ୟା ସମୃଦ୍ଧି ଯୋଜନା' ସମ୍ପର୍କରେ ଜନସାଧାରଣ ତଥା ଅଭିଭାବକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ସଭାରେ ଜିଲ୍ଲା ଆର୍ôଥକ ସେବା ଓ ସଂଚୟ ଅଧିକାରୀ ସୁମନା ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗଦେଇ କନ୍ୟା ସନ୍ତାନମାନଙ୍କ ସୁରକ୍ଷିତ ଏବଂ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ପାଇଁ ସୁକନ୍ୟା ସମୃଦ୍ଧି ଯୋଜନାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ସେ ଉପସ୍ଥିତ ଅଭିଭାବକମାନଙ୍କୁ ଏହି ଯୋଜନାର ବିଭିନ୍ନ ସୁବିଧା, ସୁଧ ହାର ଏବଂ ସଂଚୟ ପ୍ରକ୍ରିୟା ସମ୍ପର୍କରେ ବିସ୍ତୃତ ଭାବେ ଅବଗତ କରାଇଥିଲେ।
ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ପଣ୍ଡା ଏବଂ ଶିକ୍ଷୟତ୍ରୀ ପିଙ୍କି ପଟେଲ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ରଖିବା ସହ ଶୈଶବରୁ କନ୍ୟା ସନ୍ତାନର ଉଚ୍ଚଶିକ୍ଷା ତଥା ସ୍ୱାବଲମ୍ବନ ନିମନ୍ତେ ଆର୍ôଥକ ଯୋଜନା କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। କାର୍ଯ୍ୟକ୍ରମକୁ ସୁରୁଖୁରୁରେ ସମ୍ପାଦନ କରିବାରେ ଜିଲ୍ଲା ସଂଚୟ ଓ ଆର୍ôଥକ ସେବା ବିଭାଗର କର୍ମଚାରୀ ହେମକାନ୍ତ ବାଗ ଏବଂ ଜଗନ୍ନାଥ ରାଉତ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।ସଭାରେ ବହୁ ସଂଖ୍ୟାରେ ଅଭିଭାବକ, ବିଦ୍ୟାଳୟର କର୍ମଚାରୀ ତଥା ସ୍ଥାନୀୟ ଭଦ୍ରବ୍ୟକ୍ତି ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ