ଦୀପାବଳି ବଜାର ଉପରେ ପ୍ରଶାସନିକ କଟକଣା, ବ୍ୟବସାୟୀ ଅସନ୍ତୁଷ୍ଟ
Small-vendres-unhappy-Admin-JHS
ଦୀପାବଳି ବଜାର ଉପରେ ପ୍ରଶାସନିକ କଟକଣା, ବ୍ୟବସାୟୀ ଅସନ୍ତୁଷ୍ଟ


ଝାରସୁଗୁଡ଼ା, ୫ ନଭେମ୍ବର (ହି.ସ.)- ଆଲୋକର ପର୍ବ ଦୀପାବଳିକୁ ଆଉ ଅଳ୍ପ କିଛିଦିନ ବାକି ଥିବାବେଳେ ସହରରେ ପାର୍ବଣ ବଜାର ଜମିବା ଆରମ୍ଭ ହୋଇଛି। ଦୀପ, ଫୁଲ, ସଳିତା, ରଙ୍ଗୋଲି ରଙ୍ଗ ସମେତ ବିଭିନ୍ନ ପୂଜା ସାମଗ୍ରୀର ପସରା ମେଲାଇ ରାସ୍ତାକଡ଼ରେ ବସିଲେଣି ବ୍ୟବସାୟୀ। ତେବେ ଏହି ପାର୍ବଣ ଋତୁରେ ଜିଲ୍ଲା ପ୍ରଶାସନର କଟକଣାକୁ ନେଇ ଖୁଚୁରା ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ରାସ୍ତାକଡ଼ ଓ ଡ୍ରେନ୍ ଉପରେ କୌଣସି ସାମଗ୍ରୀ ନ ରଖିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ସହରରେ ଟ୍ରାଫିକ୍ ସମସ୍ୟା ହ୍ରାସ କରିବା ସହ ସାଧାରଣ ଲୋକଙ୍କ ଯାତାୟାତକୁ ସୁଗମ କରିବା ଏହି ନିର୍ଦ୍ଦେଶର ମୁଖ୍ୟ ଉଦ୍ଦେଶ୍ୟ। ତେବେ ପାର୍ବଣ ସମୟରେ ଦୋକାନ ସମ୍ମୁଖରେ ସାମଗ୍ରୀ ପ୍ରଦର୍ଶନ କରି ଗ୍ରାହକଙ୍କୁ ଆକୃଷ୍ଟ କରିବା ବ୍ୟବସାୟର ଏକ ପ୍ରମୁଖ ମାଧ୍ୟମ ହୋଇଥିବାରୁ ଏହି କଟକଣା ସେମାନଙ୍କ ବ୍ୟବସାୟକୁ ପ୍ରଭାବିତ କରିବ ବୋଲି ବ୍ୟବସାୟୀମାନେ ଆଶଙ୍କା କରୁଛନ୍ତି।

ବିଶେଷକରି ଗ୍ରାମାଞ୍ଚଳରୁ ବହୁ ଛୋଟ ଛୋଟ ବ୍ୟବସାୟୀ ଦୀପାବଳି ସମୟରେ ଦୀପ, ଫୁଲ, ସଳିତା ଓ ରଙ୍ଗ ଆଦି ବିକ୍ରି କରିବା ପାଇଁ ସହରକୁ ଆସିଥାନ୍ତି। ରାସ୍ତାକଡ଼ରେ ଅସ୍ଥାୟୀ ଦୋକାନ ଖୋଲି ବର୍ଷକୁ ଥରେ ଆସୁଥିବା ଏହି ପର୍ବରୁ ଅଧିକ ଦୁଇ ପଇସା ରୋଜଗାର କରିବା ସେମାନଙ୍କ ମୁଖ୍ୟ ଲକ୍ଷ୍ୟ। ଏହି ଅଳ୍ପ କିଛି ଦିନର ଆୟ ଅନେକ ପରିବାରର ଆର୍ଥିକ ଆବଶ୍ୟକତା ପୂରଣରେ ସହାୟକ ହୋଇଥାଏ। ଏଭଳି ସ୍ଥିତିରେ ପ୍ରଶାସନର କଟକଣା ଛୋଟ ବ୍ୟବସାୟୀଙ୍କ ଜୀବିକା ଉପରେ ପ୍ରତିକୂଳ ପ୍ରଭାବ ପକାଇବା ନେଇ ଚିନ୍ତା ବଢ଼ିଛି। ଅନ୍ୟପକ୍ଷରେ ରାସ୍ତା ଓ ଡ୍ରେନ୍ ଅବରୋଧ ଯୋଗୁଁ ସାଧାରଣ ଲୋକେ ଯେପରି ଅସୁବିଧାରେ ନ ପଡ଼ନ୍ତି, ସେଥିପ୍ରତି ମଧ୍ୟ ଧ୍ୟାନ ଦେବା ଜରୁରୀ। ତେଣୁ ଉଭୟ ଜନସାଧାରଣଙ୍କ ସୁବିଧା ଓ ଛୋଟ ବ୍ୟବସାୟୀଙ୍କ ଜୀବିକାକୁ ଗୁରୁତ୍ୱ ଦେଇ ପ୍ରଶାସନ ନିଜ ନିର୍ଦ୍ଦେଶର ପୁନର୍ବିଚାର କରିବା ସହ ସେମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନରେ ଅସ୍ଥାୟୀ ଦୋକାନ ଖୋଲିବାର ବିକଳ୍ପ ବ୍ୟବସ୍ଥା କରୁ ବୋଲି ସାଧାରଣରେ ଦାବି ହେଉଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande