୭ଟି ବିଶ୍ୱବିଦ୍ୟାଳୟର ନାକ ମାନ୍ୟତା ନବୀକରଣ ପାଇଁ ନିର୍ଦ୍ଦେଶ
ନବୀକରଣ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ସଂପୃକ୍ତ ବିଶ୍ୱବିଦ୍ୟାଳୟକୁ କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଭୁବନେଶ୍ୱର, ୫ ନଭେମ୍ବର (ହି.ସ.)। ରାଜ୍ୟର ୭ଟି ବିଶ୍ୱବିଦ୍ୟାଳୟର ଜାତୀୟ ମୂଲ୍ୟାୟନ ଓ ପ୍ରତ୍ୟାୟନ ପରିଷଦ (ନାକ) ମାନ୍ୟତା ନବୀକରଣ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଏଥିପା
୭ଟି ବିଶ୍ୱବିଦ୍ୟାଳୟର ନାକ ମାନ୍ୟତା ନବୀକରଣ ପାଇଁ ନିର୍ଦ୍ଦେଶ


ନବୀକରଣ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ସଂପୃକ୍ତ ବିଶ୍ୱବିଦ୍ୟାଳୟକୁ କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର, ୫ ନଭେମ୍ବର (ହି.ସ.)। ରାଜ୍ୟର ୭ଟି ବିଶ୍ୱବିଦ୍ୟାଳୟର ଜାତୀୟ ମୂଲ୍ୟାୟନ ଓ ପ୍ରତ୍ୟାୟନ ପରିଷଦ (ନାକ) ମାନ୍ୟତା ନବୀକରଣ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଏଥିପାଇଁ ସଂପୃକ୍ତ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଖୁବ୍ଶୀଘ୍ର ନବୀକରଣ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି।

ଏହି ତାଲିକାରେ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ଧରଣୀଧର ବିଶ୍ୱବିଦ୍ୟାଳୟ, ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ଏବଂ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ସମେତ ୭ଟି ବିଶ୍ୱବିଦ୍ୟାଳୟ ରହିଛି। ମାନ୍ୟତା ନବୀକରଣ ପ୍ରକ୍ରିୟାରେ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବେ। ଏଥିସହ ଏ ସମ୍ପର୍କରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ସହ ମଧ୍ୟ ଉଚ୍ଚଶିକ୍ଷା ବିଭାଗ ଯୋଗାଯୋଗରେ ରହିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ରାଜ୍ୟର ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଏବଂ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ଏହି କ୍ରମରେ ବିଶ୍ୱବିଦ୍ୟାଳୟଗୁଡ଼ିକରେ କୁଳପତି ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇଛି। ଏଥିସହ ୧୪୦୦ରୁ ଊର୍ଦ୍ଧ୍ୱ ପ୍ରାଧ୍ୟାପକ ଓ ସହକାରୀ ପ୍ରାଧ୍ୟାପକ ପଦବୀ ପୂରଣ ପାଇଁ ସାକ୍ଷାତକାର ପ୍ରକ୍ରିୟା ଜାରି ରହିଛି।

ଜାତୀୟ ପ୍ରତିଷ୍ଠାନ ମାନ୍ୟତା ଢାଞ୍ଚା (ଏନଆଇଆରଏଫ) ସମେତ ଅନ୍ୟାନ୍ୟ ଜାତୀୟ ରାଙ୍କିଂରେ ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକର ସ୍ଥାନ ଉନ୍ନତ କରିବା ଦିଗରେ ମଧ୍ୟ କାର୍ଯ୍ୟ ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande