
ଆଜି ମାଜିଷ୍ଟ୍ରେଟ ଉପସ୍ଥିତିରେ ବିଡ଼ିଓ ଖୋଲିଲେ ତାଲା
କେନ୍ଦ୍ରାପଡ଼ା, ୦୫ ନଭେମ୍ବର(ହି.ସ.) – ଡେରାବିଶ ବ୍ଲକରେ କୋଟିଏ ଟଙ୍କାରୁ ଉର୍ଦ୍ଧ୍ୱ ସରକାରୀ ଗ୍ରାଚ୍ୟୁଇଟି ଟଙ୍କା ହଡ଼ପ କରିଥିବା ଘଟଣାରେ ଅଭିଯୁକ୍ତ କିରାଣି ଶଶିକାନ୍ତ ରଣାଙ୍କ ଅଫିସ ରୁମ୍ରେ ପଡ଼ିଥିବା ତାଲା ଖୋଲାଯିବା ସହ ତାଙ୍କ କାର୍ଯ୍ୟାଳୟ ଭିତରେ ଥିବା ସମସ୍ତ ଫାଇଲ୍ ଓ ଦସ୍ତାବିଜ ରେକର୍ଡ଼ ତଦନ୍ତ କରିବାକୁ ଜିଲ୍ଲାପାଳ ଏକ ତଦନ୍ତ କାରୀ ଟିମ୍ ଗଠନ କରିଥିଲେ। ଗତକାଲି ତାଙ୍କ ଅଫିସ୍ ରୁମ୍ ତାଲା ଖୋଲାଯିବାକୁ ସ୍ଥିର କରାଯାଇଥିବାବେଳେ ମାଜିଷ୍ଟ୍ରେଟ, ପୋଲିସ ଉପସ୍ଥିତ ଥିବାବେଳେ ଡେରାବିଶ ବ୍ଲକ୍ର ଖୋଦ୍ ବିଡ଼ିଓ ନମିତା ବାରିକ୍ ଆରମ୍ଭରୁ ଆସି ସଙ୍ଗେ ସଙ୍ଗେ ଚାଲିଯାଇଥିଲେ ଏବଂ ଏହି ତଦନ୍ତ କାରୀ ଟିମ୍ରେ ଥିବା କେନ୍ଦ୍ରାପଡ଼ା ବ୍ଲକର ସେକ୍ସନ ଅଫିସର ମିନାକ୍ଷୀ ବାରିକ, ସିନିୟର୍ ରେଭିନ୍ୟୁ ଆସିଷ୍ଟାଂଟ ଅରୁଣ କୁମାର ଦାସ ଓ କମ୍ପ୍ୟୁଟର ପ୍ରୋଗ୍ରାମର ତାପସ ରଞ୍ଜନ ପରିଡ଼ା ତଦନ୍ତ ସମୟରେ ଆସିନଥିଲେ। ଏକ ସମ୍ବେଦନଶୀଳ ଘଟଣାରେ ଜିଲ୍ଲାପାଳ ଏହି ୩ ଜଣ କର୍ମଚାରୀଙ୍କୁ ଡେପୁଟେସନରେ ଡେରାବିଶ ବ୍ଲକକୁ ଅର୍ଡର କରିଥିବାବେଳେ ମାନିନଥିଲେ ଜିଲ୍ଲାପାଳଙ୍କ ଆଦେଶ। ତଦନ୍ତକାରୀ ଟିମ୍ରେ ଏହି କର୍ମଚାରୀଙ୍କ ଅନୁପସ୍ଥିତି ଘଟଣାରେ ତାଲା ଖୋଲାଯିବା ବନ୍ଦ କରାଯାଇଥିଲା ଏବଂ ଆଜି ସକାଳେ ଖୋଲାଯିବା ପାଇଁ ସ୍ଥିର କରାଯାଇଥିଲା। ଆଜି ସକାଳେ ମାଜିଷ୍ଟ୍ରେଟ, ପୋଲିସ, ବିଡ଼ିଓ ଓ ତଦନ୍ତ କାରୀ ଟିମ୍ର ସମସ୍ତ କର୍ମଚାରୀଙ୍କ ଉପସ୍ଥିତିରେ ତାଲା ଖୋଲାଯାଇଥିଲା। ଏହାପରେ ଏହି ତଦନ୍ତ କାରୀ ଟିମ୍ର ୩ କର୍ମଚାରୀ ସମସ୍ତ ଫାଇଲ୍ ଓ ଦସ୍ତାବିଜ ରେକର୍ଡ଼ ତଦନ୍ତ କରିବା ସହ ଯାଂଚ କରୁଛନ୍ତି। ଡେରାବିଶ ବ୍ଲକ ଏବିଡିଓଙ୍କ ମତାମତ ନେବାରୁ ଆଜି ଏହି ତଦନ୍ତ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇନଥିବାରୁ ରିପୋର୍ଟ ହୋଇନାହିଁ। ଆସନ୍ତାକାଲି ସମସ୍ତ ଫାଇଲ୍ ଯାଂଚ ସରିବା ପରେ ପଂଚାୟତିରାଜ ବିଭାଗରୁ ଆସିଥିବା ସ୍ପେଶାଲ ଅଡିଟ ଟିମ୍ ଅଧିକାରୀଙ୍କୁ ସମସ୍ତ ରିପୋର୍ଟ ଦାଖଲ କରିବେ ତଦନ୍ତକାରୀ ଟିମ୍ରେ ଥିବା କର୍ମଚାରୀ।
.......................................
ହିନ୍ଦୁସ୍ଥାନ ସମାଚାର / ରବି