ସମାଜସେବୀ କମଳା ଦେବୀଙ୍କ ସପ୍ତମ ବାର୍ଷିକ ଶ୍ରାଦ୍ଧରେ ଶ୍ରଦ୍ଧାଞ୍ଜଳି ସଭା
କେନ୍ଦ୍ରାପଡ଼ା, ୦୫ ନଭେମ୍ବର(ହି.ସ.) – କେନ୍ଦ୍ରାପଡ଼ା ମାଟିର ପରିଚିତ ତଥା ବିଶିଷ୍ଟ ସମାଜସେବୀ ସ୍ୱର୍ଗତ କମଳା ଦେବୀଙ୍କ ସପ୍ତମ ବାର୍ଷିକ ଶ୍ରାଦ୍ଧ ଉପଲକ୍ଷେ ଆଜି ଏକ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ନିମାଇଁ ଚରଣ ମାନସିକ ଅଗ୍ରସର ବିଦ୍ୟାଳୟ ପରିସରରେ ଆୟୋଜିତ ଏହି ସ୍ମ
ସମାଜସେବୀ କମଳା ଦେବୀଙ୍କ ସପ୍ତମ ବାର୍ଷିକ ଶ୍ରାଦ୍ଧରେ ଶ୍ରଦ୍ଧାଞ୍ଜଳି ସଭା


କେନ୍ଦ୍ରାପଡ଼ା, ୦୫ ନଭେମ୍ବର(ହି.ସ.) – କେନ୍ଦ୍ରାପଡ଼ା ମାଟିର ପରିଚିତ ତଥା ବିଶିଷ୍ଟ ସମାଜସେବୀ ସ୍ୱର୍ଗତ କମଳା ଦେବୀଙ୍କ ସପ୍ତମ ବାର୍ଷିକ ଶ୍ରାଦ୍ଧ ଉପଲକ୍ଷେ ଆଜି ଏକ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ନିମାଇଁ ଚରଣ ମାନସିକ ଅଗ୍ରସର ବିଦ୍ୟାଳୟ ପରିସରରେ ଆୟୋଜିତ ଏହି ସ୍ମୃତିଚାରଣ କାର୍ୟ୍ୟକ୍ରମରେ ବିଶିଷ୍ଟ କବି ସ୍ୱପ୍ନାଂଶୁ କୁମାର ଦାସ ସଭାପତିତ୍ୱ କରିଥିଲେ।ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ମହାବିଦ୍ୟାଳୟ ଅଧ୍ୟକ୍ଷ କୈଳାଶ ଚନ୍ଦ୍ର ବରାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ କମଳା ଦେବୀଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ। ସେ ନିଜ ବକ୍ତବ୍ୟରେ କହିଥିଲେ ଯେ, ସ୍ୱର୍ଗତ କମଳା ଦେବୀ ଭାରତୀୟ ସଂସ୍କୃତି, ରାମାୟଣ ଏବଂ ମହାଭାରତ ଭଳି ମହାନ ପୌରାଣିକ ଗ୍ରନ୍ଥରେ ଅଗାଧ ପାଣ୍ଡିତ୍ୟ ହାସଲ କରିଥିଲେ। କେବଳ ପଠନ କିମ୍ବା ଆଲୋଚନାରେ ସୀମିତ ନ ରହି, ସେହି ପବିତ୍ର ଗ୍ରନ୍ଥଗୁଡ଼ିକର ତତ୍ୱ, ମୂଲ୍ୟବୋଧ ଓ ମାନବୀୟ ବାର୍ତାକୁ ସମାଜର କଲ୍ୟାଣ ତଥା ନୈତିକ ଉତ୍ଥାନ ଦିଗରେ କାର୍ଯ୍ୟକାରୀ କରିବା ପାଇଁ ସେ ଜୀବନବ୍ୟାପୀ ଅକ୍ଲାନ୍ତ ପରିଶ୍ରମ କରିଥିଲେ। ତାଙ୍କର ନିସ୍ୱାର୍ଥପର ସେବା ଓ ନିଷ୍ଠା ଆଗାମୀ ପିଢ଼ି ପାଇଁ ମାର୍ଗଦର୍ଶକ ହୋଇ ରହିବ। ସଭାରେ ମୁଖ୍ୟ ବକ୍ତା ଭାବେ ‘ସତୀର୍ଥ’ ସାହିତ୍ୟ ଅନୁଷ୍ଠାନର ସଭାପତି ଅମର ପ୍ରସାଦ ରାଉତ ଯୋଗଦେଇ ସ୍ୱର୍ଗତ ଦେବୀଙ୍କ ସମାଜ ପ୍ରତି ଥିବା ଅବଦାନକୁ ଶ୍ରଦ୍ଧାର ସହ ସ୍ମରଣ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବରେ ପୂର୍ବତନ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶରତ କୁମାର ରାଉତ, ସମାଜସେବୀ ଭାଗବତ ଷଡ଼ଙ୍ଗୀ ଏବଂ ବିଶିଷ୍ଟ କବୟିତ୍ରୀ କବିତା ମୁଦୁଲି ଉପସ୍ଥିତ ରହି ତାଙ୍କ ସ୍ମୃତିଚାରଣ କରିବା ସହ ଅମର ଆତ୍ମାର ସଦ୍ଗତି କାମନା କରି ଗଭୀର ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।ଏହି କାର୍ୟ୍ୟକ୍ରମକୁ ଆଦିତ୍ୟ ବରାଳ ଓ ଫଗୁ ସ୍ୱାଇଁ ସୂଚାରୁ ରୂପେ ପରିଚାଳନା କରିଥିଲେ। ସଭାରେ ସ୍ଥାନୀୟ ଅଂଚଳର ବହୁ ଶିକ୍ଷାବିତ୍, ବୁଦ୍ଧିଜୀବୀ ତଥା ସାହିତ୍ୟାନୁରାଗୀ ଉପସ୍ଥିତ ଥିଲେ। ଶେଷରେ କବି ମନ୍ମଥ ବରାଳ ସମସ୍ତ ମଂଚାସୀନ ଅତିଥି, ସହଯୋଗୀ ଏବଂ ଉପସ୍ଥିତ ଭଦ୍ରବ୍ୟକ୍ତିମାନଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande