



ସମ୍ବଲପୁର, ୦୫, ନଭେମ୍ବର (ହି.ସ.) - ସ୍ଥାନୀୟ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପରିସରରେ ଆଜି ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନରେ ମେରା ଯୁବ ଭାରତ, ସମ୍ବଲପୁର ପକ୍ଷରୁ ଜିଲ୍ଲା ସ୍ତରୀୟ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ ଓ ଯୁବ ସଂସଦ-୨୦୨୭’ ଅନୁଷ୍ଠିତ ହୋଇଯାଇଛି। ଏହି ଯୁବ ସଂସଦରେ ସମ୍ବଲପୁର ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରୁ ୧୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଜି.ଏମ୍. ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବୈମକେଶ ତ୍ରିପାଠୀ, ଏଡିଏମ୍ (ଜେନେରାଲ୍) ଅଶୋକ କୁମାର ଭୋଇ, ସମାଜସେବୀ ସୁଧୀର ବହିଦାର, ଅତୁଲ କୁମାର ପ୍ରଧାନ ଏବଂ ସମ୍ବଲପୁର ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ ମେହେର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ମଂଚାସୀନ ଅତିଥିମାନେ ନିଜ ନିଜ ବକ୍ତବ୍ୟରେ ଯୁବପିଢ଼ିଙ୍କ ମଧ୍ୟରେ ଗଣତାନ୍ତ୍ରିକ ଚେତନା, ନେତୃତ୍ୱ ଦକ୍ଷତା, ତର୍କ ଓ ଯୁକ୍ତି ଉପସ୍ଥାପନ କ୍ଷମତା ଏବଂ ରାଷ୍ଟ୍ର ନିର୍ମାଣରେ ସକ୍ରିୟ ଅଂଶଗ୍ରହଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଯୁବ ସଂସଦ ଭଳି ମଂଚ ଯୁବପିଢ଼ିଙ୍କୁ ନିଜର ମତାମତ ପ୍ରକାଶ କରିବା ସହ ଦେଶର ବିକାଶମୂଳକ ଆଲୋଚନାରେ ସାମିଲ ହେବାକୁ ସୁଯୋଗ ପ୍ରଦାନ କରିଥାଏ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଯୁବ ସଂସଦର ବିଚାରକ ମଣ୍ଡଳୀରେ ଡ. ରଘୁମଣି ନାଏକ, ଡ. ଶୋଭାମୟୀ ମହାପାତ୍ର, ଜ୍ଞାନରଞ୍ଜନ ସାହୁ, ଡ. ବବିତା ମହାନନ୍ଦିଆ ଏବଂ କୁମକୁମ ପ୍ରିୟଦର୍ଶିନୀ ସାହୁ ଯୋଗଦେଇ ପ୍ରତିଯୋଗୀ ମାନଙ୍କର ଯୁକ୍ତି, ଉପସ୍ଥାପନା, ବିଷୟବସ୍ତୁ ଉପରେ ଜ୍ଞାନ ଓ ଆତ୍ମବିଶ୍ୱାସର ମୂଲ୍ୟାୟନ କରିଥିଲେ। ପ୍ରତିଯୋଗିତାରେ ବୈଷ୍ଣବୀ ଯାଦବ ପ୍ରଥମ ସ୍ଥାନ, ଜ୍ୟୋତିର୍ମୟୀ ପ୍ରଧାନ ଦ୍ୱିତୀୟ ସ୍ଥାନ ଏବଂ ତନଭୀର ଶର୍ମା ତୃତୀୟ ସ୍ଥାନ ଅଧିକାର କରିଥିଲେ। ସମସ୍ତ ବିଜୟୀ ପ୍ରତିଯୋଗୀ ମାନଙ୍କୁ ଅତିଥିମାନେ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ଯୁବ ନେତୃତ୍ୱ ଓ ରାଷ୍ଟ୍ର ନିର୍ମାଣରେ ସକ୍ରିୟ ଭୂମିକା ନେବାକୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମକୁ ସମ୍ବଲପୁରର ଯୁବ ଆଇକନ୍ ଅର୍ପିତା ବେହେରା ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଯୁବ ସ୍ୱେଚ୍ଛାସେବୀ ଏବଂ ଅନ୍ୟାନ୍ୟ ଅତିଥିମାନେ ଉପସ୍ଥିତ ରହି ଆୟୋଜିତ ଯୁବ ସଂସଦ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ। ଏହି କାର୍ଯ୍ୟକ୍ରମ ଯୁବପିଢ଼ିଙ୍କ ମଧ୍ୟରେ ଗଣତାନ୍ତ୍ରିକ ମୂଲ୍ୟବୋଧ, ନେତୃତ୍ୱ ଓ ଦେଶ ଗଠନ ପ୍ରତି ଦାୟିତ୍ୱବୋଧ ବୃଦ୍ଧି କରିବାରେ ଏକ ଉଲ୍ଲେଖନୀୟ ପ୍ରୟାସ ହେବ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ