
ଜଗତସିଂହପୁର/ଭୁବନେଶ୍ୱର,୦୫ ନଭେମ୍ବର (ହି.ସ.) - ସଡ଼କ ଦୁର୍ଘଟଣା ରୋକିବା ଏବଂ ଜନସାଧାରଣଙ୍କ ମଧ୍ୟରେ ସଡ଼କ ସୁରକ୍ଷା ସମ୍ପର୍କିତ ସଚେତନତା ବୃଦ୍ଧି ଲକ୍ଷ୍ୟରେ ଜଗତସିଂହପୁର ପୋଲିସ ପକ୍ଷରୁ ଗୁରୁବାର ଦିନ ଜଗତସିଂହପୁର ଥାନା ସମ୍ମୁଖରେ ଏକ ସଡ଼କ ସୁରକ୍ଷା ସଚେତନତା ଓ ହେଲମେଟ୍ ବଂଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାଂଚଳ ଆଇଜି ଡଃ ସତ୍ୟଜିତ ନାୟକ, ଆଇପିଏସ୍; ଜଗତସିଂହପୁର ଏସ୍ପି ଅଙ୍କିତ କୁମାର ବର୍ମା, ଜଗତସିଂହପୁର ଜିଲ୍ଲାପାଳ ଜେ. ସୋନାଲ,ଙ୍କ ସମେତ ଜିଲ୍ଲା ପୋଲିସର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଏହି ଅବସରରେ ଦୁଇଚକିଆ ଯାନ ଚାଳକ ଓ ଅନ୍ୟାନ୍ୟ ସଡ଼କ ବ୍ୟବହାରକାରୀଙ୍କୁ ୧୦୦ରୁ ଅଧିକ ହେଲମେଟ୍ ବଂଚନ କରାଯାଇଥିଲା। ହେଲମେଟ୍ ପିନ୍ଧିବାର ଗୁରୁତ୍ୱ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ସହ ସୁରକ୍ଷିତ ଗାଡ଼ି ଚାଳନା ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ସଡ଼କ ଦୁର୍ଘଟଣା, ଆହତ ଓ ମୃତ୍ୟୁହାର ହ୍ରାସ କରିବା ପାଇଁ ସମସ୍ତଙ୍କର ସକ୍ରିୟ ସହଯୋଗ ଆବଶ୍ୟକ ବୋଲି ଏହି କାର୍ଯ୍ୟକ୍ରମରେ ଗୁରୁତ୍ୱାରୋପ କରାଯାଇଥିଲା।
ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି କେନ୍ଦ୍ରାଂଚଳ ଆଇଜି ଡଃ ସତ୍ୟଜିତ ନାୟକ କହିଥିଲେ ଯେ, ସଡ଼କ ସୁରକ୍ଷା କେବଳ ପୋଲିସ କିମ୍ବା ପ୍ରଶାସନର ଦାୟିତ୍ୱ ନୁହେଁ, ଏହା ପ୍ରତ୍ୟେକ ନାଗରିକଙ୍କ ସାମୂହିକ ଦାୟିତ୍ୱ। ସେ ସମସ୍ତ ଦୁଇଚକିଆ ଯାନ ଚାଳକଙ୍କୁ ପ୍ରତ୍ୟେକ ସମୟରେ ମାନକ ଗୁଣବତାର ସୁରକ୍ଷା ହେଲମେଟ୍ ପିନ୍ଧିବାକୁ ଆହ୍ୱାନ ଦେଇଥିଲେ। ଅଳ୍ପ ଦୂରତା ଯାତ୍ରା ସମୟରେ ମଧ୍ୟ ହେଲମେଟ୍ ପିନ୍ଧିବା ଅତ୍ୟନ୍ତ ଜରୁରୀ ବୋଲି ସେ ଉଲ୍ଲେଖ କରିଥିଲେ।
ସେ ଆହୁରି କହିଥିଲେ ଯେ, ହେଲମେଟ୍ କେବଳ ଜରିମାନାରୁ ବର୍ତିବା ପାଇଁ ଏକ ଆଇନଗତ ବାଧ୍ୟବାଧକତା ନୁହେଁ, ବରଂ ଦୁର୍ଘଟଣା ସମୟରେ ମୁଣ୍ଡରେ ଗୁରୁତର ଆଘାତ ଓ ଅକାଳ ମୃତ୍ୟୁର ଆଶଙ୍କାକୁ ହ୍ରାସ କରିପାରୁଥିବା ଏକ ଜୀବନରକ୍ଷାକାରୀ ସୁରକ୍ଷା ଉପକରଣ।
ଏଥିସହ ସେ ଦ୍ରୁତଗତିରେ ଗାଡ଼ି ଚାଳନା, ବେପରୁଆ ଡ୍ରାଇଭିଂ ଓ ଟ୍ରାଫିକ୍ ନିୟମ ଉଲ୍ଲଂଘନରୁ ନିବୃତ ରହିବାକୁ ନାଗରିକମାନଙ୍କୁ ପରାମର୍ଶ ଦେଇଥିଲେ। ନିଜ ପରିବାର ସଦସ୍ୟ, ବନ୍ଧୁବାନ୍ଧବ ଓ ଅନ୍ୟ ସଡ଼କ ବ୍ୟବହାରକାରୀଙ୍କୁ ମଧ୍ୟ ସୁରକ୍ଷିତ ଗାଡ଼ି ଚାଳନା ଅଭ୍ୟାସ ଆପଣାଇବାକୁ ପ୍ରେରିତ କରିବା ପାଇଁ ସେ ଆହ୍ୱାନ ଜଣାଇଥିଲେ।ଜିଲ୍ଲାପାଳ ଓ ବରିଷ୍ଠ ପୋଲିସ ଅଧିକାରୀଙ୍କ ଉପସ୍ଥିତି ଜିଲ୍ଲା ପ୍ରଶାସନ ଓ ଜଗତସିଂହପୁର ପୋଲିସର ସଡ଼କ ସୁରକ୍ଷା ପ୍ରତି ସମନ୍ୱିତ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥିଲା।
ଏଭଳି ଜନସଚେତନତାମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ଜଗତସିଂହପୁର ପୋଲିସ ଟ୍ରାଫିକ୍ ନିୟମ ପାଳନ, ସୁରକ୍ଷିତ ଗାଡ଼ି ଚାଳନା ଏବଂ ସମସ୍ତଙ୍କ ପାଇଁ ଏକ ସୁରକ୍ଷିତ ସଡ଼କ ପରିବେଶ ସୃଷ୍ଟି କରିବା ଦିଗରେ ପ୍ରୟାସ ଜାରି ରଖିଛି।ଜଗତସିଂହପୁର ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ – ହେଲମେଟ୍ ପିନ୍ଧନ୍ତୁ, ଟ୍ରାଫିକ୍ ନିୟମ ମାନନ୍ତୁ ଏବଂ ସଡ଼କ ସୁରକ୍ଷାକୁ ପ୍ରାଥମିକତା ଦିଅନ୍ତୁ। ଆପଣଙ୍କ ସୁରକ୍ଷା ଆପଣଙ୍କ ଦାୟିତ୍ୱ, ପ୍ରତ୍ୟେକ ଜୀବନ ମୂଲ୍ୟବାନ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା