ବାଙ୍କତିରା ବ୍ୟାରେଜ୍ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣରେ ଅଗ୍ରଗତି
ଭୁବନେଶ୍ୱର , ୦୭ ନଭେମ୍ବର (ହି.ସ.) - ବାଲେଶ୍ୱର ଜିଲ୍ଲାର ବୁଢ଼ାବଳଙ୍ଗ ନଦୀ ଉପରେ ପ୍ରସ୍ତାବିତ ବହୁ ପ୍ରତୀକ୍ଷିତ ବାଙ୍କତିରା ବ୍ୟାରେଜ୍ ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ନୂଆ ଗତି ମିଳିଛି। ଦୀର୍ଘଦିନ ଧରି ଜମି ଅଧିଗ୍ରହଣକୁ ନେଇ ରହିଥିବା ପ୍ରତିବନ୍ଧକ ଦୂର ହେବା ସହ ଏବେ କ୍ଷତିପୂରଣ ପ୍ରଦାନ ପର୍ଯ୍ୟାୟ
ବାଙ୍କତିରା ବ୍ୟାରେଜ୍ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣରେ ଅଗ୍ରଗତି


ଭୁବନେଶ୍ୱର , ୦୭ ନଭେମ୍ବର (ହି.ସ.) - ବାଲେଶ୍ୱର ଜିଲ୍ଲାର ବୁଢ଼ାବଳଙ୍ଗ ନଦୀ ଉପରେ ପ୍ରସ୍ତାବିତ ବହୁ ପ୍ରତୀକ୍ଷିତ ବାଙ୍କତିରା ବ୍ୟାରେଜ୍ ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ନୂଆ ଗତି ମିଳିଛି। ଦୀର୍ଘଦିନ ଧରି ଜମି ଅଧିଗ୍ରହଣକୁ ନେଇ ରହିଥିବା ପ୍ରତିବନ୍ଧକ ଦୂର ହେବା ସହ ଏବେ କ୍ଷତିପୂରଣ ପ୍ରଦାନ ପର୍ଯ୍ୟାୟରେ ପହଂଚିଛି। ଏହି ପରିପ୍ରେକ୍ଷୀରେ ଶନିବାର ଅନୁଷ୍ଠିତ ସମୀକ୍ଷା ବୈଠକରେ ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଥିଲେ। ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ଚିହ୍ନଟ ହୋଇଥିବା ଜମିର ଦଖଲ ଆସନ୍ତା ୧୫ ନଭେମ୍ବର ସୁଦ୍ଧା ହସ୍ତାନ୍ତର କରିବାକୁ ଲକ୍ଷ୍ୟ ରଖାଯାଇଛି।

ବାଲେଶ୍ୱର ଜିଲ୍ଲାର ରେମୁଣା ବ୍ଲକ୍ ରେ ଅବସ୍ଥିତ ଏହି ପ୍ରକଳ୍ପ ଉତର ଓଡ଼ିଶାର କୃଷି ସମୃଦ୍ଧି ଓ ଜଳ ସୁରକ୍ଷା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ସାବ୍ୟସ୍ତ ହେବ। ଏହାଦ୍ୱାରା ମୟୂରଭଞ୍ଜ ଜିଲ୍ଲାର ବେତନଟୀ ବ୍ଲକ୍ ଏବଂ ବାଲେଶ୍ୱର ଜିଲ୍ଲାର ରେମୁଣା, ବାଲେଶ୍ୱର ସଦର ଓ ବସ୍ତା ବ୍ଲକ୍ ର ୧୨୦ଟି ଗ୍ରାମର ପ୍ରାୟ ୨୧,୨୬୯ ଜଣ ଲୋକ ଉପକୃତ ହେବା ସହ ପ୍ରାୟ ୭,୩୦୦ ହେକ୍ଟର ଜମିକୁ ଖରିଫ ଋତୁରେ ସୁନିଶ୍ଚିତ ଜଳସେଚନ ସୁବିଧା ମିଳିବ।

ଏହାସହ ବ୍ୟାରେଜ୍ ରୁ ବାଲେଶ୍ୱର ପୌରାଂଚଳକୁ ଦୈନିକ ୬୦ ନିୟୁତ ଲିଟର ଏବଂ ବାଲେଶ୍ୱର ସଦର ଓ ରେମୁଣା ବ୍ଲକ୍ ର ୩୪ଟି ଗ୍ରାମ ପଂଚାୟତକୁ ଦୈନିକ ୪୦ ନିୟୁତ ଲିଟର ଜଳ ଯୋଗାଣ ସମ୍ଭବ ହେବ। ଏଥିସହିତ ଏହି ବ୍ୟାରେଜ୍ ରେ ସଂରକ୍ଷିତ ଜଳ ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ବ୍ଲକ୍ ରେ ଥିବା ବର୍ତମାନର ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପ ଅଧୀନରେ ପ୍ରାୟ ୨,୦୦୦ ହେକ୍ଟର ଜମିକୁ ଖରିଫ ଋତୁରେ ନିରବଚ୍ଛିନ୍ନ ଜଳସେଚନ ଯୋଗାଇବାରେ ସହାୟକ ହେବ।

ପ୍ରକଳ୍ପ ପାଇଁ ଡାର୍କୁଳି, ଗଣ୍ଡାର୍ଡ ଓ ତାଳମେଢ଼ି ଗ୍ରାମରେ ଥିବା ମୋଟ ୭.୯୮ ଏକର ଘରୋଇ ଜମି ଅଧିଗ୍ରହଣ ପ୍ରକ୍ରିୟା ଏବେ କ୍ଷତିପୂରଣ ପ୍ରଦାନ ପର୍ଯ୍ୟାୟରେ ପହଂଚିଛି। ଅନ୍ୟପକ୍ଷରେ, ଆବଶ୍ୟକୀୟ ଜଙ୍ଗଲ ଜମି ଅନୁମୋଦନ ମଧ୍ୟ ମିଳିସାରିଛି। ସରକାରୀ ସ୍ତରରେ ନିରନ୍ତର ଉଦ୍ୟମ, ତ୍ୱରିତ ପଦକ୍ଷେପ ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଯୋଗୁଁ ଜମି ଅଧିଗ୍ରହଣ ସମ୍ପର୍କିତ ଦୀର୍ଘଦିନର ସମସ୍ୟାର ସମାଧାନ ଦିଗରେ ଉଲ୍ଲେଖନୀୟ ଅଗ୍ରଗତି ସମ୍ଭବ ହୋଇଛି।

ଆବଶ୍ୟକ ପ୍ରାରମ୍ଭିକ ପ୍ରସ୍ତୁତି ସହ ଜମି ଅଧିଗ୍ରହଣ ପ୍ରକ୍ରିୟା ଆଗେଇ ଚାଲିଥିବାରୁ ଜମି ଉପଲବ୍ଧ ହେବା ମାତ୍ରେ ବାଙ୍କତିରା ବ୍ୟାରେଜ୍ ପ୍ରକଳ୍ପର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ। ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ଜଳସେଚନ ସୁବିଧାର ସମ୍ପ୍ରସାରଣ, ପାନୀୟ ଜଳ ସୁରକ୍ଷା ଏବଂ କୃଷିର ଉନ୍ନତି ମାଧ୍ୟମରେ ଆଂଚଳିକ ବିକାଶକୁ ନୂଆ ଦିଗ ଦେବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାର ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande