

ବଲାଙ୍ଗିର, ୭ ନଭେମ୍ବର (ହି.ସ.)- ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ସହରରେ ଗତ ଦୁଇ ସପ୍ତାହ ହେଲା ଆତଙ୍କ ଖେଳାଇଥିବା ଏକ ହିଂସ୍ର ଭାଲୁକୁ ଶେଷରେ ବନ ବିଭାଗ କାବୁ କରିବାରେ ସଫଳ ହୋଇଛି। ଏହି ଭାଲୁ ଆକ୍ରମଣରେ ଜଣକର ମୃତ୍ୟୁ ଘଟିଥିବା ବେଳେ ସହରବାସୀ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ଥିଲେ। ପାର୍ବଣ ସମୟରେ ସହର ଭିତରକୁ ଭାଲୁ ପଶିଆସି ଆତଙ୍କରାଜ ଚଳାଇଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଏବଂ ଭୟ ଦେଖାଦେଇଥିଲା। ଭାଲୁକୁ ତୁରନ୍ତ ଧରିବା ପାଇଁ ସ୍ଥାନୀୟ ଲୋକେ ବାରମ୍ବାର ଦାବି କରିଆସୁଥିଲେ।
ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବନ ବିଭାଗ ପକ୍ଷରୁ ବ୍ୟାପକ ଉଦ୍ୟମ କରାଯାଇଥିଲା। ବଲାଙ୍ଗୀରରୁ ଆସିଥିବା ଆର ଆର ଟିମ୍ ସ୍ଥାନୀୟ ବନ କର୍ମଚାରୀ ଏବଂ ଡ୍ରୋନ୍ କ୍ୟାମେରା ସାହାଯ୍ୟରେ ଭାଲୁର ଗତିବିଧି ଓ ଅବସ୍ଥିତି ଉପରେ କଡ଼ା ନଜର ରଖାଯାଇଥିଲା। ଦୀର୍ଘ ଦୁଇ ସପ୍ତାହର କସରତ ପରେ ମଙ୍ଗଳବାର ଦିନ ବନ ବିଭାଗର ଟିମ୍ ସଫଳତାର ସହ ସେହି ହିଂସ୍ର ଭାଲୁକୁ କାବୁ କରିବାରେ ସଫଳ ହୋଇଛନ୍ତି। ବନ ବିଭାଗର ଏହି ସଫଳତା ପରେ କଣ୍ଟାବାଞ୍ଜି ଅଞ୍ଚଳବାସୀ ଆଶ୍ୱସ୍ତି ହେବା ସହ ବନ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ