ଓଡିଶାକୁ ନିଶାମୁକ୍ତ କରିବ କଳିଙ୍ଗ ସେନା : ହେମନ୍ତ ରଥ
Bhubaneswar, 07 ନଭେମ୍ବର (ହି.ସ.) ଗଠନ ହେବ କଳିଙ୍ଗ ନିଶା ନିବାରଣ କମିଟି ଆତ୍ମନିଯୁକ୍ତି ଯୋଜନାରେ ସମସ୍ତଙ୍କୁ ମିଳିବ ବ୍ୟାଙ୍କ ଋଣ ଶିଳ୍ପ ଓ କର୍ପୋରେଟ ସଂସ୍ଥା ନିଯୁକ୍ତିରେ ଓଡିଆଙ୍କୁ ଅଗ୍ରାଧିକାର ଅଖଣ୍ଡ ଓଡିଶା ପାଇଁ ଜାରି ରହିବ ସଂଗ୍ରାମ ଓଡିଶାକୁ ମଦମୁକ୍ତ କରିବ କଳିଙ୍ଗ ସେନା । ଲ
ଓଡିଶାକୁ ନିଶାମୁକ୍ତ କରିବ କଳିଙ୍ଗ ସେନା : ହେମନ୍ତ ରଥ


Bhubaneswar, 07 ନଭେମ୍ବର (ହି.ସ.)

ଗଠନ ହେବ କଳିଙ୍ଗ ନିଶା ନିବାରଣ କମିଟି

ଆତ୍ମନିଯୁକ୍ତି ଯୋଜନାରେ ସମସ୍ତଙ୍କୁ ମିଳିବ ବ୍ୟାଙ୍କ ଋଣ

ଶିଳ୍ପ ଓ କର୍ପୋରେଟ ସଂସ୍ଥା ନିଯୁକ୍ତିରେ ଓଡିଆଙ୍କୁ ଅଗ୍ରାଧିକାର

ଅଖଣ୍ଡ ଓଡିଶା ପାଇଁ ଜାରି ରହିବ ସଂଗ୍ରାମ

ଓଡିଶାକୁ ମଦମୁକ୍ତ କରିବ କଳିଙ୍ଗ ସେନା । ଲୋକଙ୍କ ଜୀବନ ନେଉଥିବା ଦେଶୀ କିମ୍ୱା ବିଦେଶୀ ମଦ କିଛି ବି ବିକ୍ରି ହେବାକୁ ଦିଆଯିବ ନାହିଁ । ଏଥିପାଇଁ ପଞ୍ଚାୟତ ସ୍ତରରେ କଳିଙ୍ଗ ନିଶା ନିବାରଣ କମିଟି ଗଠନ ସହିତ ଏବେ ଯେଉଁମାନେ ନିଶା ନିବାରଣ ପାଇଁ ଲଢେଇ କରୁଛନ୍ତି ସେମାନଙ୍କୁ ସମସ୍ତ ପ୍ରକାର ସହାୟତା କରାଯିବ । ଆଜି ଦଳର ପ୍ରତିଷ୍ଠା ଦିବସରେ ଏହି ଘୋଷଣା କରିଛନ୍ତି କଳିଙ୍ଗସେନା ସୁପ୍ରିମୋ ହେମନ୍ତ ରଥ । “ଶ୍ରୀ ରଥ କହିଛନ୍ତି ଯେ ଓଡିଶାର ସ୍ୱାର୍ଥ, ସ୍ୱାଭିମାନ ଓ ଅସ୍ମିତାର ସୁରକ୍ଷା ପାଇଁ କଳିଙ୍ଗ ସେନା ସର୍ବଦା କାର୍ଯ୍ୟ କରୁଛି । ତେବେ ରାଜ୍ୟରେ ବ୍ୟାପକ ନିଶା କାରବାର ଯୁବପୀଢିଙ୍କୁ ନଷ୍ଟ କରିବାରେ ଲାଗିଛି । ନିଶା ଯୋଗୁଁ ପରିବାର ଉଜୁଡି ଯାଉଛି । ତେଣୁ ଓଡିଶାକୁ ଯେତେ ଶୀଘ୍ର ସମ୍ଭବ ନିଶାମୁକ୍ତ କରାଯିବା ଆବଶ୍ୟକ । ଏଥିପାଇଁ କଳିଙ୍ଗ ସେନା ପ୍ରତି ପଞ୍ଚାୟତରେ କଳିଙ୍ଗ ନିଶା ନିବାରଣ କମିଟି ଗଠନ କରି ଏହି କାର୍ଯ୍ୟ ହାତକୁ ନେବ । “ସେହିଭଳି ଓଡିଶାର ଅଖଣ୍ଡତାର ସୁରକ୍ଷା ପାଇଁ ଦଳ ଆଗାମୀ ଦିନରେ ଏକାଧିକ ପଦକ୍ଷେପ ଗ୍ରହଣ କରିବ । ଅନ୍ୟ ରାଜ୍ୟମାନେ ଯେଭଳି ଓଡିଶା ସୀମାରେ ପଶି ସେମାନଙ୍କର ସ୍ୱାର୍ଥ ସାଧନ କରୁଛନ୍ତି ତାହା କରିବାକୁ ଦିଆଯିବ ନାହିଁ । ମା’, ମାଟି ସହିତ ଭାଷାର ସୁରକ୍ଷା ପାଇଁ କଳିଙ୍ଗ ସେନା ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିବ । ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରତି ଜିଲ୍ଲାରେ ଅଭିଯାନ ଆରମ୍ଭ କରାଯିବ । ପଞ୍ଚାୟତ ସ୍ତରରେ ଉଚ୍ଚ ଶିକ୍ଷିତମାନଙ୍କୁ ଚିହ୍ନଟ କରାଯାଇ ଏଥିରେ ସାମିଲ ପାଇଁ ପଦକ୍ଷେ ଗ୍ରହଣ କରାଯିବ । “ଓଡିଶାର ଭବିଷ୍ୟତପିିଢିି, ବିଶେଷକରି ଯୁବବର୍ଗଙ୍କ ସ୍ୱାର୍ଥ ହାସଲ ପାଇଁ କଳିଙ୍ଗ ସେନା ସର୍ବଦା କାର୍ଯ୍ୟ କରୁଛି । ଏହି ଯୁବବର୍ଗ ଯେଭଳି ସହଜରେ ବ୍ୟାଙ୍କରୁ ଋଣ ପାଇ ଆତ୍ମନିର୍ଭର ହେବା ସହିତ ଅନ୍ୟମାନଙ୍କୁ ନିଯୁକ୍ତି ଦେଇପାରିବେ ସେଥି ପାଇଁ ଦଳ କାର୍ଯ୍ୟ ଆରମ୍ଭ କରିଛି । ଓଡିଶାରୁ ବିପୁଳ ଜମା ସଂଗ୍ରହ କରୁଥିବା ବ୍ୟାଙ୍କ୍ମାନେ ଯେଭଳି ଓଡିଶାର ଯୁବକ ଯୁବତୀମାନଙ୍କୁ ବିଭିନ୍ନ ଆତ୍ମନିର୍ଭରଶୀଳ ଯୋଜନାରେ ଋଣ ଯୋଗାଣ କରିବେ ସେଥିପାଇଁ ବ୍ୟାଙ୍କ୍ ଗୁଡିକ ଉପରେ ଚାପ ପକାଯିବ । ସେହିଭଳି ଓଡିଶାରେ ପୁଞ୍ଜି ନିବେଶ ପାଇଁ ଆଗେଇ ଆସୁଥିବା କର୍ପୋରେଟ ସଂସ୍ଥାଗୁଡିକୁ ସ୍ୱାଗତ କରାଯିବା ସହିତ ସେମାନଙ୍କ ସଂସ୍ଥାରେ ଯେଭଳି ଓଡିଆ ଯୁବକ ଯୁବତୀମାନେ ପ୍ରଥମେ ନିଯୁକ୍ତି ପାଆନ୍ତି ସେଥି ପାଇଁ ପଦକ୍ଷେ ଗ୍ରହଣ କରାଯିବ । ଯେଉଁ ସଂସ୍ଥାମାନେ ଓଡିଆ ଯୁବକ ଯୁବତୀଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦେବେ ନାହିଁ, ସେମାନଙ୍କର ଓଡିଶାରେ କୌଣସି ଆବଶ୍ୟକ ନାହିଁ ବୋଲି ଶ୍ରୀ ରଥ କହିଛନ୍ତି । “କୃଷି ପ୍ରଧାନ ରାଜ୍ୟ ଓଡିଶାରେ କୃଷକମାନେ ଧାନ ଉତ୍ପାଦନରେ ଯେଭଳି ସର୍ବଭାରତୀୟ ସ୍ତରରେ ରେକର୍ଡ କରିଛନ୍ତି ସେହିଭଳି ଅନ୍ୟ ଅର୍ଥକରୀ ଫସଲ ଉତ୍ପାଦନ ପାଇଁ ସେମାନଙ୍କୁ ଦଳ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଦିଆଯିବ । ବିଶେଷକରି ସେମାନେ କିଭଳି ସହଜରେ ଋଣ, ଉନ୍ନତ କିସମର ବିହନ, ଅମଳ ପରବର୍ତ୍ତୀ ବିକ୍ରି ସୁବିଧା ଓ ବଜାର ବ୍ୟବସ୍ଥା ପାଇ ପାରିବେ ସେ ସଂକ୍ରାନ୍ତରେ ସରକାରଙ୍କ ସହିତ ଆଲୋଚନା କରି ସହଯୋଗ ଯୋଗାଇ ଦିଆଯିବ । “ଶ୍ରୀ ରଥ କହିଛନ୍ତି ଯେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ ଓଡିଶାର ଉଚ୍ଚ ଶିକ୍ଷିତମାନଙ୍କୁ ପ୍ରାର୍ଥୀ କରିବ । ଓଡିଶାର ଲୋକମାନେ ଦୁଇଟି ଜାତୀୟ ଓ ଗୋଟିଏ ଆଞ୍ଚଳିକ ଦଳର କାର୍ଯ୍ୟକୁ ପରଖି ସାରିଲେଣି । ଏବେ ସେମାନେ ନୂଆ ଦଳ ସନ୍ଧାନରେ କଳିଙ୍ଗ ସେନା ହିଁ ସେମାନଙ୍କ ପାଇଁ ନୂଆ ବିକଳ୍ପ ହୋଇପାରିବ । “ଆଜିର ପ୍ରତିଷ୍ଠା ଦିବସରେ ରାଜ୍ୟର ବିଭିନ୍ନ ଜିଲ୍ଲାର ସହସ୍ରାଧିକ କଳିଙ୍ଗ ସୈନିକ ଯୋଗ ଦେଇଥିବା ବେଳେ ପ୍ରତିବର୍ଷ ଭଳି ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ ଓ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଦଳର ରାଜ୍ୟ ଉପ ସଭାପତି ହେମନ୍ତ ସିଂହ ସ୍ୱାଗତ ଭାଷଣ ଦେଇଥିଲା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସମ୍ପାଦିକ ମୋନାଲିଶା ବିଶ୍ୱାଳ ପରିଚାଳନା କରିଥିଲେ । ଭଦ୍ରକ ଜିଲ୍ଲା ସଭାପତି ଗଦାଧର ବେହେରା ଧନ୍ୟବାଦ ଅର୍ପଣ କରି କହିଥିଲେ ଯେ, ଦଳର ସଙ୍ଗଠନକୁ ମଜଭୁତ କରିବା ପାଇଁ ଯୁବ ସମାଜ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉପ ସଭାପତି ଅବଦୁଲ କୟୁମ ଖାନ, ପୂର୍ଣ୍ଣଚନ୍ଦ୍ର ସାହୁ, ଅନନ୍ତ ମହାନ୍ତି, ସାଧାରଣ ସମ୍ପାଦକ ବିଜୟ ରାଜ, ଇଂ ମନୋଜ ନାୟକ, ପ୍ରଫେସର ଅଶୋକ ନାୟକ, ଇଂ ସ୍ୱାତୀଶ ରଞ୍ଜନ ସାହୁ, ସଙ୍ଗଠନ ମନ୍ତ୍ରୀ ସଞ୍ଜୟ ପ୍ରଧାନ, ସମ୍ପାଦକ ଅଶୋକ ସାହୁ, ପ୍ରଫୁଲ ପରିଡା, ମଧୁ ସୁଦନ ସାହୁ ପ୍ରମୁଖ ନିଜ ନିଜର ଅଭିଭାଷଣ ରଖିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande