ବୋରିଗୁମ୍ମାରେ ଅଜବ ପ୍ରାଥମିକ ଶିକ୍ଷା,  ଗୋଟାଏ ପଟେ ଭିତିପ୍ରସ୍ତର ସ୍ଥାପନ ଅନ୍ୟପଟେ ଛାତ୍ର ଛାତ୍ରୀଙ୍କ ଧାରଣା ଜାରି
ଜୟପୁର, ୭ ନଭେମ୍ବର (ହି.ସ.)- ଗୋଟିଏ ପଟେ ନାଚ, ଗୀତ ଓ ଉତ୍ସବର ମାହୋଲରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନର ଆଦର୍ଶ ପ୍ରାଥମିକ ଶିକ୍ଷାକୁ ସାକାର କରିବା ପାଇଁ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ତୃତୀୟ ପର୍ଯ୍ୟାୟ ଭିତ୍ତିପ୍ରସ୍ତର। ଅନ୍ୟପଟେ... ପାଠ ପଢ଼ିବା ବୟସରେ ହାତରେ ବହି ଓ କଲମ ବଦଳରେ ନ୍ୟାୟ ପାଇ
ବୋରିଗୁମ୍ମାରେ ଅଜବ ପ୍ରାଥମିକ ଶିକ୍ଷା ,  ଗୋଟାଏ ପେଟ ଭିତି ପ୍ରସ୍ତର ସ୍ଥାପନ ଅନ୍ୟପଟେ ଛାତ୍ର ଛାତ୍ରୀଙ୍କ ଧାରଣା ଜାରି


ଜୟପୁର, ୭ ନଭେମ୍ବର (ହି.ସ.)- ଗୋଟିଏ ପଟେ ନାଚ, ଗୀତ ଓ ଉତ୍ସବର ମାହୋଲରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନର ଆଦର୍ଶ ପ୍ରାଥମିକ ଶିକ୍ଷାକୁ ସାକାର କରିବା ପାଇଁ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ତୃତୀୟ ପର୍ଯ୍ୟାୟ ଭିତ୍ତିପ୍ରସ୍ତର। ଅନ୍ୟପଟେ... ପାଠ ପଢ଼ିବା ବୟସରେ ହାତରେ ବହି ଓ କଲମ ବଦଳରେ ନ୍ୟାୟ ପାଇଁ ସ୍କୁଲ ଫାଟକ ଆଗରେ ଧାରଣାରେ ବସିଛନ୍ତି କୁନି କୁନି ପିଲା। ସ୍ୱପ୍ନ ଅଛି, ପାଠ ପଢ଼ିବାର ଇଚ୍ଛା ଅଛି, ଭବିଷ୍ୟତ ଗଢ଼ିବାର ଆଶା ବି ଅଛି। ହେଲେ ଶିକ୍ଷକ ନାହାନ୍ତି। ଏପଟେ ନୂଆ ଆଦର୍ଶ ବିଦ୍ୟାଳୟର ଭିତ୍ତିପ୍ରସ୍ତର, ସେପଟେ ଶିକ୍ଷକ ମରୁଡ଼ିରେ ଅଚଳ ହୋଇପଡ଼ିଛି ଗୋଟିଏ ସରକାରୀ ପ୍ରଥମିକ ବିଦ୍ୟାଳୟ।ଏହା କି ପ୍ରକାର ଶିକ୍ଷା ବ୍ୟବସ୍ଥା ? କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକର ଏହି ଦୁଇଟି ଚିତ୍ର ଏବେ ଶିକ୍ଷା ବିଭାଗର କାର୍ଯ୍ୟଦକ୍ଷତା ଉପରେ ବଡ଼ ପ୍ରଶ୍ନଚିହ୍ନ ଲଗାଇଛି। ବିଦ୍ୟାଳୟରେ ଶିକ୍ଷକ ନାହାନ୍ତି, ପାଠପଢ଼ା ଆଜିକୁ ୭ ଦିନ ହେବ ଠପ୍। ଏପରିକି ବନ୍ଦ ହୋଇଯାଇଛି ମଧ୍ୟାହ୍ନ ଭୋଜନ। ନିଜ ଭବିଷ୍ୟତ ପାଇଁ ବିଦ୍ୟାଳୟ ଫାଟକ ଆଗରେ ୩ ଦିନ ହେବ ଧାରଣାରେ ଛାତ୍ରଛାତ୍ରୀ। ଏ ଚିତ୍ର ହେଉଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଗୁମୁଡ଼ା ପଞ୍ଚାୟତ ଭୂମିଆଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟର। ଶିକ୍ଷକ ଅଭାବରୁ ପାଠପଢ଼ା ସମ୍ପୂର୍ଣ୍ଣ ବ୍ୟାହତ ହୋଇଥିବା ଅଭିଯୋଗ କରି ଗୁରୁବାର ଠାରୁ ୧୬୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଓ ଅଭିଭାବକ ଆନ୍ଦୋଳନକୁ ଓହ୍ଲାଇଛନ୍ତି।ବିଦ୍ୟାଳୟରେ ମୋଟ ୩ ଜଣ ଶିକ୍ଷକ ଥିବା ବେଳେ ସେଥିରୁ ୨ ଜଣଙ୍କୁ ବିଏଲଓ ଦାୟିତ୍ୱରେ ନିୟୋଜିତ କରାଯାଇଛି। ଫଳରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଠପଢ଼ା ଦାୟିତ୍ୱ ଏବେ ମାତ୍ର ଜଣେ ଶିକ୍ଷକଙ୍କ ଉପରେ।ଏଭଳି ସ୍ଥିତିରେ ପାଠପଢ଼ା କିପରି ହେବ l କିପରି ଗଢ଼ିବ ଆଦିବାସୀ ଉପାନ୍ତ ଅଞ୍ଚଳରେ ପିଲାଙ୍କ ଭବିଷ୍ୟତ। ତୁରନ୍ତ ଶିକ୍ଷକ ସମସ୍ୟା ଦୂର କରିବା ପାଇଁ ଛାତ୍ର ଛାତ୍ରୀ ନିବେଦନ କରିଛନ୍ତି । କେବଳ ଶିକ୍ଷକ ଅଭାବ ନୁହେଁ, ବିଦ୍ୟାଳୟର ଭିତ୍ତିଭୂମି ମଧ୍ୟ ଚିନ୍ତାଜନକ। ସ୍କୁଲରେ ନାହିଁ ପାଚେରୀ। ପଛପଟେ ଜଙ୍ଗଲ ଓ କେନାଲ ଥିବାରୁ ପିଲାଙ୍କ ସୁରକ୍ଷାକୁ ନେଇ ଚିନ୍ତାରେ ଅଭିଭାବକ। ତିନି ଦିନ ଧରି ସ୍କୁଲ ଫାଟକରେ ତାଲା ପକାଇ ଚାଲିଛି ଆନ୍ଦୋଳନ। ହେଲେ ଅଭିଯୋଗ ଅନୁଯାୟୀ, ସମସ୍ୟାର ସମାଧାନ ପାଇଁ ଏଯାଏଁ ଶିକ୍ଷା ବିଭାଗର କୌଣସି ଅଧିକାରୀ ଧାରଣାସ୍ଥଳରେ ପହଞ୍ଚି ନାହାନ୍ତି। ସମାଧାନ ନହେଲେ ଛାତ୍ରଛାତ୍ରୀଙ୍କୁ ସାଙ୍ଗରେ ନେଇ ଜିଲ୍ଲାପାଳଙ୍କୁ ଭେଟିବେ ବୋଲି ଚେତାବନୀ ଦେଇଛନ୍ତି ଅଭିଭାବକ। ଗୋଟିଏ ପଟେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ତୃତୀୟ ପର୍ଯ୍ୟାୟ ଭିତ୍ତିପ୍ରସ୍ତର, ଅନ୍ୟପଟେ ଶିକ୍ଷକ ଅଭାବରୁ ଭୂମିଆଗୁଡ଼ା ବିଦ୍ୟାଳୟରେ ତାଲା। ଏହି ବିଡ଼ମ୍ବନାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟ ପିଙ୍କୁ ଶତପଥୀ lସରକାର ଗୁଣାତ୍ମକ ଶିକ୍ଷାର ଡିଣ୍ଡିମ ପିଟୁଛନ୍ତି। ନୂଆ ନୂଆ ଯୋଜନା ଓ ଆଦର୍ଶ ବିଦ୍ୟାଳୟର ସ୍ୱପ୍ନ ଦେଖାଉଛନ୍ତି। ହେଲେ ଯେଉଁଠି ଗୋଟିଏ ଶିକ୍ଷକଙ୍କ ଭରସାରେ ଆଠଟି ଶ୍ରେଣୀର ପାଠପଢ଼ା, ସେଠି ଗୁଣାତ୍ମକ ଶିକ୍ଷା କେବଳ ସ୍ୱପ୍ନ ନୁହେଁ କି l ସାତ ଦିନ ଧରି ପାଠପଢ଼ା ବନ୍ଦ, ମଧ୍ୟାହ୍ନ ଭୋଜନ ବନ୍ଦ ଏବଂ ତିନି ଦିନ ଧରି ଧାରଣା ଜାରି। ତଥାପି ବିଭାଗୀୟ ଅଧିକାରୀଙ୍କ ନିରବତା ଏବେ ଅନେକ ପ୍ରଶ୍ନ ସୃଷ୍ଟି କରିଛି।ପିଲାଙ୍କ ଭବିଷ୍ୟତ ସହ ଏଭଳି ଖେଳ କାହିଁକି ? ଶିକ୍ଷକ ନିଯୁକ୍ତି ଓ ସୁରକ୍ଷିତ ଭିତ୍ତିଭୂମି ଯୋଗାଇବାର ଦାୟିତ୍ୱ କାହାର lଆଦର୍ଶ ବିଦ୍ୟାଳୟର ଭିତ୍ତିପ୍ରସ୍ତର ଶିକ୍ଷାର ବିକାଶର ପ୍ରତୀକ ହୋଇପାରେ, ହେଲେ ଭୂମିଆଗୁଡ଼ା ଭଳି ବିଦ୍ୟାଳୟରେ ଶିକ୍ଷକ ଅଭାବ ଦୂର ନହେଲେ ଗୁଣାତ୍ମକ ଶିକ୍ଷାର ସ୍ୱପ୍ନ କେମିତି ସାକାର ହେବ l ଏବେ ଅପେକ୍ଷା, କେବେ ଚେତିବ ଶିକ୍ଷା ବିଭାଗ, କେବେ ଫେରିବ ଉପାନ୍ତ ଅଞ୍ଚଳର ଆଦିବାସୀ ଛାତ୍ର ଛାତ୍ରୀଙ୍କ ହାତକୁ ବହି ଓ କଲମ l ଶିକ୍ଷକ କେବେ ଯୋଗଦେବେ, କେବେ ହେବ ଶିକ୍ଷାଦାନ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande