
- ଦୀପାବଳି ଅବସରରେ ବାଗଡୋଗ୍ରାରେ ସେନା ଓ ବାୟୁସେନାର ଯବାନମାନଙ୍କ ସହ ପାଳନ କଲେ ପର୍ବ
- ୮ ନଭେମ୍ବରରେ ସିକ୍କିମରେ ଯବାନମାନଙ୍କୁ ଭେଟିବେ
ବାଗଡୋଗ୍ରା/ଗାଙ୍ଗଟକ, ୦୭ ନଭେମ୍ବର (ହି.ସ.)। ଅଗ୍ନିପଥ ଯୋଜନାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶନିବାର କହିଛନ୍ତି ଯେ, ଚାରି ବର୍ଷର ନିର୍ଦ୍ଧାରିତ ସେବା ଅବଧି ପୂରଣ କରୁଥିବା ଅବଶିଷ୍ଟ ୭୫ ପ୍ରତିଶତ ଅଗ୍ନିବୀରଙ୍କୁ ସେମାନଙ୍କ ଇଚ୍ଛା ଓ କାର୍ଯ୍ୟଦକ୍ଷତା ଆଧାରରେ ଅତିରିକ୍ତ ଦୁଇ ବର୍ଷ ସେବା କରିବାର ସୁଯୋଗ ମିଳିବ। ନିର୍ଦ୍ଧାରିତ ମାନକ ଓ ମାପଦଣ୍ଡ ପୂରଣ କରୁଥିବା ଅଗ୍ନିବୀରମାନଙ୍କୁ ନିୟମିତ ସୈନିକ ଭାବେ ସେନାରେ ସାମିଲ ହେବାର ସୁଯୋଗ ମଧ୍ୟ ଦିଆଯିବ। ଏହି ପଦକ୍ଷେପ ଯୁବକମାନଙ୍କୁ ମାତୃଭୂମିର ସେବା କରିବା ପାଇଁ ଆଉ ଏକ ସୁଯୋଗ ପ୍ରଦାନ କରିବ।
ପ୍ରତିରକ୍ଷା ମନ୍ତ୍ରୀ ଉତ୍ତର-ପୂର୍ବ ଭାରତର ସୁରକ୍ଷା କ୍ଷେତ୍ରରେ ବାଗଡୋଗ୍ରା ଅଞ୍ଚଳର ସାମରିକ ଗୁରୁତ୍ୱ ଉପରେ ଆଲୋକପାତ କରି ଏଠାରେ ନିୟୋଜିତ ବାୟୁସେନା କର୍ମଚାରୀମାନଙ୍କୁ ସମ୍ପୂର୍ଣ୍ଣ ସତର୍କତା ଓ ଅଭିଯାନଗତ ପ୍ରସ୍ତୁତି ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ। ସିକ୍କିମ ଅଭିମୁଖେ ଯାତ୍ରା କରିବା ପୂର୍ବରୁ ଶିଲିଗୁଡ଼ିର ବାଗଡୋଗ୍ରା ଏୟାରଫିଲ୍ଡରେ ବାୟୁସେନା କର୍ମଚାରୀମାନଙ୍କୁ ସମ୍ବୋଧିତ କରି ସେ କହିଥିଲେ ଯେ, ଆଧୁନିକ ଯୁଦ୍ଧର ସ୍ୱରୂପ ଦ୍ରୁତ ଗତିରେ ବଦଳୁଛି। ବର୍ତ୍ତମାନ ଯୁଦ୍ଧ କେବଳ ସୀମାରେ ହେଉଥିବା ପାରମ୍ପରିକ ଲଢ଼େଇ ମଧ୍ୟରେ ସୀମିତ ନାହିଁ। ସାଇବର ଆକ୍ରମଣ, ଡ୍ରୋନ୍ ଆକ୍ରମଣ, ଛଦ୍ମ ଯୁଦ୍ଧ ଏବଂ ସୋସିଆଲ ମିଡିଆ ମାଧ୍ୟମରେ ଭ୍ରାନ୍ତ ସୂଚନା ପ୍ରସାର କରିବା ମଧ୍ୟ ଜାତୀୟ ସୁରକ୍ଷା ପାଇଁ ବଡ଼ ଆହ୍ୱାନ ପାଲଟିଛି।
ଦୀପାବଳିର ପୂର୍ବ ସନ୍ଧ୍ୟାରେ ପଶ୍ଚିମବଙ୍ଗର ବାଗଡୋଗ୍ରା ଏୟାରଫିଲ୍ଡରେ ଭାରତୀୟ ବାୟୁସେନାର ପୂର୍ବାଞ୍ଚଳ ବାୟୁ କମାଣ୍ଡ ପକ୍ଷରୁ ଆୟୋଜିତ ଏକ ସମାରୋହରେ ରାଜନାଥ ସିଂହ ଏହି ଘୋଷଣା କରିଥିଲେ। ଏହି ଅବସରରେ ସେ ଭାରତୀୟ ସେନା ଓ ବାୟୁସେନାର ଯବାନମାନଙ୍କ ସହ ଦୀପାବଳି ପାଳନ କରିବା ସହ ଯବାନ ଓ ସେମାନଙ୍କ ପରିବାରବର୍ଗଙ୍କୁ ପର୍ବର ଶୁଭେଚ୍ଛା ଜଣାଇଥିଲେ। ସେ ଯବାନମାନଙ୍କ ସହ କଥା ହୋଇ ସେମାନଙ୍କ ମନୋବଳ ବଢ଼ାଇଥିଲେ ଏବଂ ମିଠା ବାଣ୍ଟି ସେମାନଙ୍କ ସହ ଖୁସି ବାଣ୍ଟିଥିଲେ। କାର୍ଯ୍ୟକ୍ରମରେ ବାୟୁସେନାର ଜଣେ ଯବାନ ସଙ୍ଗୀତ ମଧ୍ୟ ପରିବେଷଣ କରିଥିଲେ।
ଦେଶର ସୁରକ୍ଷାରେ ନିୟୋଜିତ ସୈନିକମାନଙ୍କ ସାହସ, ସମର୍ପଣ ଓ ବଳିଦାନର ପ୍ରଶଂସା କରି ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ ଯେ, ପର୍ବପର୍ବାଣୀ ସମୟରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜ ପରିବାର ଓ ଘର କଥା ମନେପଡ଼େ। କିନ୍ତୁ ଯବାନମାନେ ନିଜ ଭାବନାକୁ ହୃଦୟରେ ଚାପି ରଖି ଦିନରାତି ଦେଶବାସୀଙ୍କ ସୁରକ୍ଷାରେ ନିୟୋଜିତ ରହିଥାନ୍ତି। ସେମାନଙ୍କ ତ୍ୟାଗ ଓ ତପସ୍ୟାକୁ ଶବ୍ଦରେ ବ୍ୟକ୍ତ କରିବା ସହଜ ନୁହେଁ। ସମଗ୍ର ଦେଶ ପକ୍ଷରୁ ସେ ଯବାନମାନଙ୍କ ନିଷ୍ଠା ଓ ସମର୍ପଣ ଭାବନାକୁ ଅଭିନନ୍ଦନ ଜଣାଇଥିଲେ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା