ଗଛରୁ ଯୁବକଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
Dead body found of youth
ଗଛରୁ ଯୁବକଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ


ଝାରସୁଗୁଡ଼ା, ୭ ନଭେମ୍ବର (ହି.ସ.)- ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ କୁଡ଼ାବଗା ଗ୍ରାମ ନିକଟସ୍ଥ ଏକ ବରଗଛରୁ ଶନିବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ଗ୍ରାମର ପ୍ରଦୀପ ରଣା (୩୪)। ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ପୁଲିସ ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ସୂଚନା ଅନୁଯାୟୀ, ଆଜି ଭୋର ସମୟରେ କେତେକ ମତ୍ସ୍ୟଜୀବୀ ହୀରାକୁଦ ଜଳଭଣ୍ଡାରରେ ମାଛ ଧରୁଥିବା ବେଳେ କୁଡ଼ାବଗା ଗ୍ରାମର ରତନ ସାଗର ନିକଟରେ ଥିବା ଏକ ବରଗଛରେ ଜଣେ ଯୁବକଙ୍କ ମୃତଦେହ ଝୁଲୁଥିବା ଦେଖିଥିଲେ। ଏନେଇ ସେମାନେ ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କୁ ପ୍ରଦୀପ ରଣା ବୋଲି ଚିହ୍ନଟ କରିବା ସହ ପରିବାର ଲୋକ ଓ ରେଙ୍ଗାଲି ପୁଲିସକୁ ସୂଚନା ଦେଇଥିଲେ। ଖବର ପାଇ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଆବଶ୍ୟକ ଆଇନଗତ ପ୍ରକ୍ରିୟା ସମ୍ପନ୍ନ କରିଥିଲା। ପରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ପ୍ରକାଶ ଥାଉ କି, ପ୍ରଦୀପ ଟାଟା ପାୱାରରେ କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ। ଗୁରୁବାର ସକାଳେ କାମକୁ ଯାଉଥିବା କହି ଘରୁ ବାହାରି ଆଉ ସେ ରାତି ପର୍ଯ୍ୟନ୍ତ ଘରକୁ ଫେରି ନ ଥିଲେ। ତାଙ୍କ ପରିବାରରେ ବିଧବା ପତ୍ନୀଙ୍କ ସମେତ ଦୁଇ ଛୋଟ ପୁଅ ଅଛନ୍ତି। ଜଣେ ଯୁବ କର୍ମଚାରୀଙ୍କ ଏଭଳି ଅକାଳ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଅନ୍ୟପକ୍ଷରେ, ମୃତକଙ୍କ ପିତା ବସୁଦେବ ରଣାଙ୍କ ଲିଖିତ ଅଭିଯୋଗ ଆଧାରରେ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ରେଙ୍ଗାଲି ଥାନା ଭାରପ୍ରାପ୍ତ ଅଧିକାରୀ ସମରେନ୍ଦ୍ର ନାୟକ ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande