
ନୂଆଦିଲ୍ଲୀ, ୦୭ ନଭେମ୍ବର (ହି.ସ.)- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୀପାବଳି ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କ ଉତମ ସ୍ୱାସ୍ଥ୍ୟ, ସୁଖ ଓ ସମୃଦ୍ଧି କାମନା କରିଛନ୍ତି। ଏଥିସହ ପରିବେଶ ସୁରକ୍ଷା ଓ ପାରସ୍ପରିକ ସଦ୍ଭାବ ବଜାୟ ରଖିବାକୁ ସେ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି। ଭାରତୀୟ ମୂଲ୍ୟବୋଧରେ ଅନୁପ୍ରାଣିତ ଯୁବପିଢ଼ି ବିକଶିତ ଭାରତ ନିର୍ମାଣରେ ଉତ୍ସାହର ସହ ଯୋଗଦାନ ଦେବାକୁ ମଧ୍ୟ ସେ କହିଛନ୍ତି।
ନିଜ ବାର୍ତାରେ ରାଷ୍ଟ୍ରପତି ଭାରତ ତଥା ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ ଦୀପାବଳିର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା ଜଣାଇଛନ୍ତି। ସେ କହିଛନ୍ତି ଯେ, ଦୀପାବଳିର ଆନନ୍ଦମୟ ପର୍ବ ରାବଣ ଉପରେ ବିଜୟ ହାସଲ ପରେ ପ୍ରଭୁ ଶ୍ରୀରାମଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତନ ସହ ଜଡ଼ିତ। ପ୍ରଭୁ ଶ୍ରୀରାମ ଦୀପମାଳାର ସୁନ୍ଦର ଆଲୋକ ଦେଖିଥିଲେ। ଏହା ହିଁ ଦୀପାବଳିର ସାଂସ୍କୃତିକ ଓ ଆଧ୍ୟାତ୍ମିକ ମହତ୍ୱ। ଏହି ପର୍ବ ରାମରାଜ୍ୟର ଶୁଭାରମ୍ଭର ପ୍ରତୀକ ମଧ୍ୟ।
ମୁର୍ମୁ କହିଛନ୍ତି ଯେ, ଦୀପାବଳି ପର୍ବ ସଦ୍ଗୁଣର ଦୁର୍ଗୁଣ ଉପରେ ବିଜୟର ପ୍ରତୀକ। ଏହା ଦୁଃଖର ଅନ୍ତ ଏବଂ ଆନନ୍ଦମୟ ଓ ସମୃଦ୍ଧ ଜୀବନର ଆରମ୍ଭର ବାର୍ତା ଦେଇଥାଏ। ଏହି ଅବସରରେ ଲୋକେ ଶୁଭାରମ୍ଭ ଓ ମଙ୍ଗଳ ପାଇଁ ଭଗବାନ ଗଣେଶଙ୍କୁ ଏବଂ ସମୃଦ୍ଧି ପାଇଁ ମା’ ମହାଲକ୍ଷ୍ମୀଙ୍କୁ ପୂଜା କରିବା ସହ ସମସ୍ତଙ୍କ ସୁଖ କାମନା କରିଥାନ୍ତି।
ରାଷ୍ଟ୍ରପତି ନିଜ ବାର୍ତାରେ ଦେଶର ପ୍ରତ୍ୟେକ ନାଗରିକଙ୍କ ଉତମ ସ୍ୱାସ୍ଥ୍ୟ, ସୁଖ ଓ ସମୃଦ୍ଧି କାମନା କରିଛନ୍ତି। ସମସ୍ତେ ପରିବେଶର ସୁରକ୍ଷା କରିବା ସହ ପାରସ୍ପରିକ ସଦ୍ଭାବରେ ରହିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଭାରତୀୟ ମୂଲ୍ୟବୋଧରେ ଅନୁପ୍ରାଣିତ ଦେଶର ଦେଶପ୍ରେମୀ ଯୁବପିଢ଼ି ବିକଶିତ ଭାରତ ଗଠନରେ ଉତ୍ସାହର ସହ ଯୋଗଦାନ ଦିଅନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ