
ଝାରସୁଗୁଡ଼ା, ୭ ନଭେମ୍ବର (ହି.ସ.)- ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଆଜି ଡିଏମ୍ଏଫ୍ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜସ୍ୱ ପ୍ରଶାସନ ସହ ଜଡ଼ିତ ବିଭିନ୍ନ ବିଭାଗର କାର୍ଯ୍ୟଧାରା ତଥା ସରକାରୀ ଯୋଜନାର ଅଗ୍ରଗତି ଉପରେ ବିସ୍ତୃତ ଆଲୋଚନା ଓ ସମୀକ୍ଷା କରାଯାଇଥିଲା। ବିଶେଷ କରି ରାଜସ୍ୱ, ଅବକାରୀ, ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, ପଞ୍ଜୀକରଣ, ଖଣି ଏବଂ ଜଳକର ବାବଦ ରାଜସ୍ୱ ଆଦାୟର ସ୍ଥିତି ଉପରେ ଜିଲ୍ଲାପାଳ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରି ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
ବୈଠକରେ ଚାଷୀ ପଞ୍ଜୀକରଣ, ଦାଖଲ ଖାରଜ, ଓଡ଼ିଶା ଲୋକସେବା ଅଧିକାର ଅଧିନିୟମ, ଓଏଲ୍ଆର୍ (ଓଏଲଆର-୮-ଏ, ଓଏଲଆର- ୧୯୧-ସି), ବିଭିନ୍ନ ସାର୍ଟିଫିକେଟ୍ ମାମଲା, ଜବରଦଖଲ ଉଚ୍ଛେଦ ମାମଲା ଏବଂ ଜମିଜମା ରେକର୍ଡର ସ୍କାନିଂ ତଥା ଡିଜିଟାଇଜେସନ ଆଦି ବିଷୟର ଅଗ୍ରଗତି ଉପରେ ସମୀକ୍ଷା କରାଯାଇଥିଲା। ସମସ୍ତ ସେବାକୁ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ଏବଂ ମାମଲାଗୁଡ଼ିକର ଶୀଘ୍ର ଫଇସଲା କରିବାକୁ ସମସ୍ତ ତହସିଲଦାର ଓ ରାଜସ୍ୱ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଓଏଲ୍ଆର୍ ଆଇନର ଧାରା ୮(୧)(ସି) ଅନୁଯାୟୀ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବା ପାଇଁ ସମସ୍ତ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହା ବ୍ୟତୀତ 'ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ' ପ୍ରତିଷ୍ଠା ନିମନ୍ତେ ସମ୍ପୃକ୍ତ ବ୍ଲକ ଶିକ୍ଷା ଅଧିକାରୀ ମାନଙ୍କ ସହ ଆଲୋଚନା କରି ଉପଯୁକ୍ତ ସରକାରୀ ଜମି ଚିହ୍ନଟ କରିବା ଏବଂ ଆବଶ୍ୟକୀୟ ପଦକ୍ଷେପ ଶୀଘ୍ର ଗ୍ରହଣ କରିବା ପାଇଁ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି ବେଆଇନ ଖନନ ଓ ପରିବହନ ରୋକିବା ପାଇଁ ପ୍ରବର୍ତ୍ତନ କାର୍ଯ୍ୟକୁ ଆହୁରି ଜୋରଦାର କରିବାକୁ ଖଣି ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ଉକ୍ତ ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ ଲଳିତ ସୋରେଙ୍ଗ, ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା, ଜିଲ୍ଲାର ସମସ୍ତ ତହସିଲଦାର, ଅଧିକାରୀ ତଥା ସମସ୍ତ ରାଜସ୍ୱ ଅଧିକାରୀମାନେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ