
କେନ୍ଦ୍ରାପଡ଼ା, ୦୭ ନଭେମ୍ବର(ହି.ସ.) – ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୬' ଜିଲ୍ଲା ସଂସ୍କୃତି ଭବନରେ ଆଜି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନ ଓ ଜିଲ୍ଲା ପ୍ରଶାସନର ଆନୁକୂଲ୍ୟରେ ଅନୁଷ୍ଠିତ ଉକ୍ତ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ସମଗ୍ର ଶିକ୍ଷା ଅଭିଯାନ ପ୍ରକଳ୍ପ ସଂଯୋଜକ ପବିତ୍ର ମୋହନ ବାରିକ ସଭାପତିତ୍ୱ କରିଥିଲେ। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମହାକାଳପଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଡଃ ଦୁର୍ଗା ପ୍ରସନ ନାୟକ ଯୋଗ ଦେଇଥିବା ବେଳେ ସମ୍ମାନନୀୟ ଅତିଥି ଭାବେ ଜିଲ୍ଲାପାଳ ରଘୁରାମ ଆର୍ ଆୟର, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ନମିତା ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଦୀପ୍ତି ନାୟକ, ସ୍ୱାଗତିକା ସ୍ୱାଇଁ, ଶୁଭସ୍ମିତା ତ୍ରିପାଠୀ ଯୋଗ ଦେଇଥିଲେ। ଗ୍ରାମାଂଚଳରେ ଥିବା ସହକାରୀ ବିଦ୍ୟାଳୟରେ ପଠନ କରୁଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ ଅନ୍ୱେଷଣ କରିବା ହିଁ ସୁରଭି ମହୋତ୍ସବର ମୂଳ ଲକ୍ଷ୍ୟ ବୋଲି ମୁଖ୍ୟ ଅତିଥି ଡଃ ନାୟକ ମତ ପ୍ରକାଶ କରିଥିଲେ। ଓଡ଼ିଶାର ସମୃଦ୍ଧସଂସ୍କୃତି, ପରମ୍ପରା, ଲୋକକଳାର ଝଲକ୍ ପିଲାମାନଙ୍କ ନୃତ୍ୟ, ସଙ୍ଗୀତ ଆଦି ପ୍ରତିଯୋଗିତାରେ ଦେଖିବାକୁ ମିଳିଥିଲା। ଜିଲ୍ଲା ସ୍ତରୀୟ ସୁରଭି ମହୋତ୍ସବ ଉପଲକ୍ଷେ ପ୍ରଥମେ ସ୍କୁଲ ଓ ପରେ କ୍ଲଷ୍ଟର, ବ୍ଲକ୍ ସ୍ତରରେ ୧୩ ଟି ବିଷୟରେ ପ୍ରତିଯୋଗିତା ଆୟୋଜନ ପୂର୍ବରୁ କରାଯାଇଥିଲା। ବ୍ଲକ୍ ସ୍ତରୀୟ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରାୟ ୩୪୦ ରୁ ଉର୍ଦ୍ଧ୍ୱ ଛାତ୍ର ଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ମହୋତ୍ସବ ପ୍ରତିଯୋଗିତାରେ ଭାଗ ନେଇଥିଲେ। ପ୍ରତ୍ୟେକ ବିଷୟରେ କୃତିତ୍ୱ ଅର୍ଜନ କରି ପ୍ରଥମ ସ୍ଥାନ ଅଧିକାର କରିଥିବା ଦଳ/ ପ୍ରତିଯୋଗୀ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ। ଅପରାହ୍ନର ଉଦଯାପନୀ ଉତ୍ସବରେ ଉତ୍ସବର ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ଯୋଗ ଦେଇଥିବା ବେଳେ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ମୁଖ୍ୟ ବକ୍ତା, ସମ୍ମାନନୀୟ ଅତିଥି ଭାବେ ଡେରାବିଶ ବ୍ଲକ୍ ଅଧ୍ୟକ୍ଷା ପ୍ରଭାତୀ ମଲ୍ଲିକ, ଡି.ଆଇ.ଇ.ଟିଅଧ୍ୟକ୍ଷାସୁଲୋଚନା ଦେହୁରି, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ପ୍ରାରମ୍ଭରେ ପିଏମ ଶ୍ରୀ କୋରୋ ପଂଚାୟତ ଉଚ୍ଚ ବିଦ୍ୟାଳୟ ଛାତ୍ରୀମାନେ ସୁରଭି ସଙ୍ଗୀତ ଗାନ କରିଥିଲେ। ୧୩ଟି ବିଭାଗରେ କୃତିତ୍ୱ ଅର୍ଜନ କରିଥିବା କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ। ଗୁରୁଙ୍କ ନିକଟରେ ଛାତ୍ରଛାତ୍ରୀମାନେ ସମର୍ପିତ ହୋଇ ଏକାଗ୍ର ଚିତରେ ବିଦ୍ୟା ଅଧ୍ୟୟନ କଲେ ଭଲ ମଣିଷ ହୋଇପାରିବ ବୋଲି ମୁଖ୍ୟ ଅତିଥି ପିଲାମାନଙ୍କୁ ପରାମର୍ଶ ଦେଇଥିଲେ। ଜିଲ୍ଲାସ୍ତରୀୟ ଉତ୍ସବରେ ୯ଟି ବ୍ଲକର ମଣ୍ଡଳ ଶିକ୍ଷା ଅଧିକାରୀ, ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ, ସି.ଆର.ସି.ସି, ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଅଭିଭାବକ ଓ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଓ ଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନ ଓ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ୟ୍ୟାଳୟର ଅଧିକାରୀ ଓ କର୍ମକର୍ତାମାନେ ସହଯୋଗ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି