
କେନ୍ଦ୍ରାପଡ଼ା, ୦୭ ନଭେମ୍ବର(ହି.ସ.) – ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନର କ୍ରୀଡ଼ା ବିଭାଗର ମିଳିତ ସହଯୋଗରେ ଆଜି ଇଚ୍ଛାପୁରସ୍ଥିତ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମଠାରେ ଆଜି ଆୟୋଜିତ ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ଉଦ୍ୟାପିତ ହୋଇଯାଇଛି। ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ପରିପ୍ରେକ୍ଷୀରେ ଆୟୋଜିତ ଏହି ମହୋତ୍ସବର ଉଦ୍ୟାପନୀ ସମାରୋହ ଜିଲ୍ଲା କ୍ରୀଡ଼ା ଅଧିକାରୀ ଲୋକନାଥ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରବୀନ୍ଦ୍ର କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁବଶକ୍ତି ରାଷ୍ଟ୍ରର ସବୁଠାରୁ ସୃଜନଶୀଳ, ଗତିଶୀଳ ଓ ପରିବର୍ତନକାରୀ ସମ୍ପଦ ବୋଲି ମତବ୍ୟକ୍ତ କରିଥିଲେ। ଯୁବପିଢ଼ିଙ୍କ ସକ୍ରିୟ ଅଂଶଗ୍ରହଣ ଓ ନେତୃତ୍ୱ ହିଁ ବିକଶିତ ଭାରତ ଗଠନର ମୁଖ୍ୟ ଆଧାର ବୋଲି ସେ ଉଲ୍ଲେଖ କରିଥିଲେ। ଜିଲ୍ଲା କ୍ରୀଡ଼ା ସଂସଦର ସମ୍ପାଦକ ସୟଦ ଅକମଲ ଅଲ୍ଲୀ ଏବଂ ଜିଲ୍ଲା ସାହିତ୍ୟ ସଂସଦର ସଭାପତି ତଥା ଅବସରପ୍ରାପ୍ତ ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ କରୁଣାକର ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମାର୍ଶାଘାଇ ମହାବିଦ୍ୟାଳୟର ଅଧ୍ୟାପକ ସୁକାନ୍ତ କୁମାର ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ମହୋତ୍ସବରେ ରାଜକନିକା, ରାଜନଗର, ପଟ୍ଟାମୁଣ୍ଡାଇ, ଆଳି, ମହାକାଳପଡ଼ା, ଗରଦପୁର, ଡେରାବିଶ, କେନ୍ଦ୍ରାପଡ଼ା ଓ ମାର୍ଶାଘାଇ ବ୍ଲକ୍ର ବିଭିନ୍ନ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ‘ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ସମାଜ’ବିଷୟବସ୍ତୁକୁ ଆଧାର କରି ଲୋକନୃତ୍ୟ, ଲୋକସଙ୍ଗୀତ, ପଥପ୍ରାନ୍ତ ନାଟକ, ଚିତ୍ରାଙ୍କନ ଓ କବିତା ଲିଖନ ଭଳି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ପ୍ରତ୍ୟେକ ବିଭାଗର ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାରୀ ପ୍ରତିଯୋଗୀ ଏବଂ ପଥପ୍ରାନ୍ତ ନାଟକର ପ୍ରଥମ ସ୍ଥାନ ଅଧିକାର କରିଥିବା ଦଳକୁ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ କରାଯାଇଛି।ଚିତ୍ରାଙ୍କନ ପ୍ରତିଯୋଗିତାରେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜିତ ପ୍ରସାଦ କର ପ୍ରଥମ, ମାର୍ଶାଘାଇ ମହାବିଦ୍ୟାଳୟର ଶୁଚିସ୍ମିତା ନାୟକ ଦ୍ୱିତୀୟ ଏବଂ ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟର ପୂର୍ଣ୍ଣିମା ଜେନା ତୃତୀୟ ସ୍ଥାନ ହାସଲ କରିଥିଲେ। କବିତା ଲିଖନରେ ତୁଳସୀ ମହିଳା ମହାବିଦ୍ୟାଳୟର ସୁମିତ୍ରା ପାଣି ପ୍ରଥମ, ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟର ଶୁଭଲକ୍ଷ୍ମୀ ଦାସ ଦ୍ୱିତୀୟ ଏବଂ ବାୟାବାବା ମହାବିଦ୍ୟାଳୟର ମାଧୁରୀ ନାୟକ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ଲୋକସଙ୍ଗୀତ ପ୍ରତିଯୋଗିତାରେ ଶୈଳେନ୍ଦ୍ର ନାରାୟଣ ମହାବିଦ୍ୟାଳୟ ପ୍ରଥମ, ମହାବୀର ସାଂସ୍କୃତିକ ସଂଗଠନ, ଇନ୍ଦୁପୁର ଦ୍ୱିତୀୟ ଏବଂ ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟ ତୃତୀୟ ସ୍ଥାନ ହାସଲ କରିଥିଲେ। ଲୋକନୃତ୍ୟରେ ଆଳି ମହାବିଦ୍ୟାଳୟ ପ୍ରଥମ ଓ ଶୈଳେନ୍ଦ୍ର ନାରାୟଣ ମହାବିଦ୍ୟାଳୟ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ପଥପ୍ରାନ୍ତ ନାଟକ ପ୍ରତିଯୋଗିତାରେ ମାର୍ଶାଘାଇ ମହାବିଦ୍ୟାଳୟ ପ୍ରଥମ, ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟ ଦ୍ୱିତୀୟ ଏବଂ ରାଜନଗର ଜଗନ୍ନାଥ ମହାବିଦ୍ୟାଳୟ ତୃତୀୟ ସ୍ଥାନ ହାସଲ କରିଥିଲେ। କାର୍ଯ୍ୟକ୍ରମରେ ବିଚାରକ ଭାବେ କରୁଣାକର ଦାସ, ସଞ୍ଜୟ କୁମାର ମଲ୍ଲିକ, ବିଚିତ୍ରାନନ୍ଦ ବେହେରା, ବନ୍ଦିତା ଧାୱନ, ଅନିମା ଜେନା, ପ୍ରଶାନ୍ତ କୁମାର ମହାରଣା, ସଞ୍ଜୟ କୁମାର ସାମନ୍ତରାୟ, ସୂର୍ଯ୍ୟମଣି ବେହେରା ଓ ପ୍ରଭାବତୀ ନାୟକ ଟୁଲୁ ମଲ୍ଲିକ, ସୁଭଦ୍ରା ମଲ୍ଲିକ, ଦେବସୁନ୍ଦର ପାଢ଼ୀ, ଦିଲ୍ଲୀପ ମଲ୍ଲିକ, ଦେବେନ୍ଦ୍ର ଦାସ ଓ ଶ୍ରୀଧର ମଲ୍ଲିକ ପ୍ରମୁଖ କାର୍ୟ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି