କିର୍ମିରା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଓ ବିଶେଷଜ୍ଞ ସଙ୍କଟ
Doctor-problem-Kirmira-hospital
କିର୍ମିରା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଓ ବିଶେଷଜ୍ଞ ସଙ୍କଟ


ଝାରସୁଗୁଡ଼ା, ୭ ନଭେମ୍ବର (ହି.ସ.)- କିର୍ମିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଓ ବିଶେଷଜ୍ଞଙ୍କ ଅଭାବ ଯୋଗୁଁ ସ୍ୱାସ୍ଥ୍ୟସେବା ଏକପ୍ରକାର ବିପର୍ଯ୍ୟସ୍ତ ହୋଇପଡ଼ିଛି। ଦୀର୍ଘଦିନ ଧରି ଏକାଧିକ ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି ପଡ଼ିଥିବାରୁ ରୋଗୀମାନେ ଉପଯୁକ୍ତ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଛନ୍ତି।

ସୂଚନା ଅନୁଯାୟୀ, କିର୍ମିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମୋଟ ୨୩ଟି ଡାକ୍ତର ଓ ବିଶେଷଜ୍ଞ ପଦବୀ ମଧ୍ୟରୁ ୧୧ଟି ଖାଲି ପଡ଼ିଛି। ମଞ୍ଜୁରୀପ୍ରାପ୍ତ ୪ଟି ବିଶେଷଜ୍ଞ ଡାକ୍ତର ପଦବୀ ମଧ୍ୟରୁ ଶଲ୍ୟ ଚିକିତ୍ସା, ପ୍ରସୂତି ଓ ସ୍ତ୍ରୀରୋଗ ଏବଂ ଶିଶୁରୋଗ ବିଶେଷଜ୍ଞ ପଦବୀ ଖାଲି ରହିଛି। ସେହିପରି ୧୬ଟି ମଞ୍ଜୁରୀପ୍ରାପ୍ତ ଏମବିବିଏସ୍ ଡାକ୍ତର ପଦବୀ ମଧ୍ୟରୁ ମାତ୍ର ୪ ଜଣ କାର୍ଯ୍ୟରତ ଅଛନ୍ତି। ଅନ୍ୟ ୮ଟି ପଦବୀ ଖାଲି ଥିବାବେଳେ ୪ ଜଣ ଡାକ୍ତର ଉଚ୍ଚଶିକ୍ଷା ପାଇଁ ଛୁଟିରେ ରହିଛନ୍ତି। ଏଥିସହ ମଞ୍ଜୁରୀପ୍ରାପ୍ତ ୩ଟି ଫାର୍ମାସିଷ୍ଟ ପଦବୀ ମଧ୍ୟରୁ ୨ଟି ଖାଲି ପଡ଼ିଛି।

କିର୍ମିରା ଓ ଲଇକେରା ବ୍ଲକର ଶତାଧିକ ଗ୍ରାମବାସୀ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭରଶୀଳ। ମାତ୍ର ଆବଶ୍ୟକ ଡାକ୍ତର ଓ ବିଶେଷଜ୍ଞ ନଥିବାରୁ ଅନେକ ରୋଗୀ ଚିକିତ୍ସା ନପାଇ ନିରାଶ ହୋଇ ଫେରୁଛନ୍ତି। ଡାକ୍ତର ଅଭାବର ପ୍ରଭାବ ଉଭୟ ବହିର୍ବିଭାଗ ଓ ଜରୁରୀକାଳୀନ ସେବା ଉପରେ ପଡ଼ୁଛି। ବିଶେଷକରି ମାତୃ ଓ ଶିଶୁ ସ୍ୱାସ୍ଥ୍ୟସେବା ଚିନ୍ତାଜନକ ସ୍ଥିତିରେ ରହିଛି। ପ୍ରସୂତି ଓ ସ୍ତ୍ରୀରୋଗ ବିଶେଷଜ୍ଞ ଏବଂ ନିଶ୍ଚେତକ ବିଶେଷଜ୍ଞଙ୍କ ଅଭାବ ଯୋଗୁଁ ଜଟିଳ ପ୍ରସବ କ୍ଷେତ୍ରରେ ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ପଡ଼ୁଛି।

ଏଭଳି ସ୍ଥିତିରେ ଖାଲି ପଡ଼ିଥିବା ଡାକ୍ତର ଓ ବିଶେଷଜ୍ଞ ପଦବୀଗୁଡ଼ିକୁ ତୁରନ୍ତ ପୂରଣ କରିବା ସହ ସ୍ୱାସ୍ଥ୍ୟକେନ୍ଦ୍ରର ଭିତ୍ତିଭୂମିର ବିକାଶ, ପର୍ଯ୍ୟାପ୍ତ ଔଷଧ ଓ ଆବଶ୍ୟକ ଚିକିତ୍ସା ଉପକରଣ ଯୋଗାଇଦେବାକୁ ଆଞ୍ଚଳିକ ବିକାଶ ପରିଷଦ ଦାବି କରିଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande