୪ କି.ମି. କାନ୍ଧରେ ବୋହି ବୃଦ୍ଧାଙ୍କ ଜୀବନ ବଞ୍ଚାଇଲେ ୨ ହୋମଗାର୍ଡ, ଆରକ୍ଷୀ ଅଧୀକ୍ଷକଙ୍କ ଦ୍ଵାରା ସମ୍ବର୍ଦ୍ଧିତ
Home-Guard-Feliciated-KDML
ଫୋଟ


କନ୍ଧମାଳ, ୭ ନଭେମ୍ବର (ହି.ସ.)- ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ସୃଷ୍ଟ ଲଗାଣ ବର୍ଷା ଏବଂ ଭୂସ୍ଖଳନ କାରଣରୁ ଦକ୍ଷିଣ ଓଡ଼ିଶାର ବିଭିନ୍ନ ପାହାଡ଼ିଆ ଅଞ୍ଚଳରେ ବିପର୍ଯ୍ୟୟ ସୃଷ୍ଟି ହୋଇଥିବାବେଳେ କନ୍ଧମାଳ ଜିଲ୍ଲାର ଅନେକ ଦୁର୍ଗମ ଗ୍ରାମରେ ବ୍ୟାପକ ଧନଜୀବନ କ୍ଷୟକ୍ଷତି ଘଟିଛି। ଏହି ବାତ୍ୟା ସମୟରେ କନ୍ଧମାଳ ଜିଲ୍ଲା ପୋଲିସର ଦୁଇ ଜଣ ସାହସୀ ହୋମଗାର୍ଡ ନିଜ ଜୀବନକୁ ବାଜି ଲଗାଇ ଯେଉଁ କର୍ତ୍ତବ୍ୟନିଷ୍ଠା ଓ ମାନବିକତା ପ୍ରଦର୍ଶନ କରିଛନ୍ତି, ତାହାକୁ ସମଗ୍ର ରାଜ୍ୟରେ ଏବେ ପ୍ରଶଂସା କରାଯାଇଛି। ପ୍ରକୃତିର ଏହି ତାଣ୍ଡବ ଭିତରେ ଉପଦ୍ରୁତ ଡାଙ୍ଗେସୀ ଗ୍ରାମରୁ ଜଣେ ଅସହାୟ ୮୦ ବର୍ଷୀୟା ବୃଦ୍ଧା ସୁମିତ୍ରା ପ୍ରଧାନ ଏବଂ ତାଙ୍କ ପୁଅ ଦତ୍ତ ପ୍ରଧାନଙ୍କୁ ନିଶ୍ଚିତ ମୃତ୍ୟୁମୁଖରୁ ଉଦ୍ଧାର କରିବା ସହ ୪ କିଲୋମିଟର କାନ୍ଧରେ ବୋହି ସୁରକ୍ଷିତ ଆଶ୍ରୟସ୍ଥଳୀକୁ ଆଣିବାରେ ସେମାନେ ସଫଳ ହୋଇଛନ୍ତି।

ଏହି ସାହସିକ କାର୍ଯ୍ୟ ସାମ୍ନାକୁ ଆସିବା ପରେ ସ୍ଥାନୀୟ ଜନସାଧାରଣ ଓ ପ୍ରଶାସନ ପକ୍ଷରୁ ଦୁଇ ହୋମଗାର୍ଡଙ୍କୁ ଭୂୟସୀ ପ୍ରଶଂସା କରାଯାଇଛି। କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ (ଏସପି) ରାମେନ୍ଦ୍ର ପ୍ରସାଦ ନିଜ କାର୍ଯ୍ୟାଳୟରେ ଉଭୟ ସୁନୀଲ କୁମାର ପ୍ରଧାନ ଏବଂ ହେମନ୍ତ ଦିଗାଲଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇଛନ୍ତି। ସେମାନଙ୍କୁ ପ୍ରଶଂସାପତ୍ର ଓ ଉତ୍ତରୀୟ ପ୍ରଦାନ କରି ଏସପି କହିଛନ୍ତି ଯେ, “ବିପଦ ସମୟରେ ନିଜ ଜୀବନକୁ ଉତ୍ସର୍ଗ କରି ଅନ୍ୟର ଜୀବନ ରକ୍ଷା କରିବା ହିଁ ପୋଲିସର ପ୍ରକୃତ ଧର୍ମ। ଏହି ଦୁଇ ହୋମଗାର୍ଡଙ୍କ ତ୍ୟାଗ, ସାହସ ଓ ନିସ୍ୱାର୍ଥପର ସେବା ସମଗ୍ର ବାହିନୀ ପାଇଁ ଗର୍ବ ଓ ପ୍ରେରଣା।” ଜିଲ୍ଲା ପୋଲିସର ଏହି ମାନବିକତାପୂର୍ଣ୍ଣ ପଦକ୍ଷେପ ସମଗ୍ର ଅଞ୍ଚଳରେ ଏବେ ଏକ ଆଦର୍ଶ ଉଦାହରଣ ସୃଷ୍ଟି କରିଛି।

ସାମୁଦ୍ରିକ ବାତ୍ୟା ‘ଅର୍ଣ୍ଣବ’ ଯୋଗୁଁ ଅଞ୍ଚଳର ପାହାଡ଼ିଆ ରାସ୍ତାଗୁଡ଼ିକ ଉପରେ ବ୍ୟାପକ ଭୂସ୍ଖଳନ ଘଟି ବଡ଼ ବଡ଼ ପଥର ଖଣ୍ଡ, କାଦୁଅ ଓ ବିରାଟକାୟ ଗଛ ଉପୁଡ଼ି ପଡ଼ି ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା। ଏହି ବିପଦସଙ୍କୁଳ ଅବସ୍ଥାରେ ଡାଙ୍ଗେସୀ ଗ୍ରାମରେ ବୃଦ୍ଧା ସୁମିତ୍ରା ପ୍ରଧାନ ଏବଂ ତାଙ୍କ ପୁଅ ଫସି ରହିଥିଲେ। ବୟସାଧିକ୍ୟ ଓ ଅସୁସ୍ଥତା କାରଣରୁ ବୃଦ୍ଧା ଜଣକ ନିଜ ବଳରେ ସେଠାରୁ ବାହାରିବା ଅସମ୍ଭବ ଥିଲା ଏବଂ କୌଣସି ଯାନବାହନ ଚଳାଚଳର ସୁବିଧା ନ ଥିବାରୁ ମା’-ପୁଅଙ୍କ ଜୀବନ ପ୍ରତି ମୁହୂର୍ତ୍ତରେ ବିପଦପୂର୍ଣ୍ଣ ହୋଇପଡ଼ିଥିଲା।

ଏହି ସୂଚନା ପାଇବା କ୍ଷଣି କନ୍ଧମାଳ ପୋଲିସ ବିଭାଗରେ କାର୍ଯ୍ୟରତ ଦୁଇ ଯବାନ— ହୋମଗାର୍ଡ ନଂ ୪୪୮ ସୁନୀଲ କୁମାର ପ୍ରଧାନ ଏବଂ ହୋମଗାର୍ଡ ନଂ ୨୨୦ ହେମନ୍ତ ଦିଗାଲ ତୁରନ୍ତ ଉଦ୍ଧାର ପାଇଁ ଆଗେଇ ଆସିଥିଲେ। ପ୍ରତିକୂଳ ପାଗ, ପ୍ରବଳ ବର୍ଷା ଓ ଖସଡ଼ା ପାହାଡ଼ିଆ ବାଟକୁ ଖାତିର ନକରି ଦୁଇ ଯବାନ ପାଦରେ ଚାଲି ଚାଲି ଦୁର୍ଗମ ଡାଙ୍ଗେସୀ ଗ୍ରାମରେ ପହଞ୍ଚିଥିଲେ। ସ୍ଥିତିର ଗମ୍ଭୀରତା ଦେଖି ସେମାନେ ବୃଦ୍ଧା ସୁମିତ୍ରା ପ୍ରଧାନଙ୍କୁ ନିଜ କାନ୍ଧରେ ବୋହିଥିଲେ। ଅନ୍ୟପଟେ ତାଙ୍କ ପୁଅଙ୍କୁ ସାହାରା ଦେଇ ପ୍ରାୟ ୪ କିଲୋମିଟର ପାହାଡ଼ିଆ ଦୁର୍ଗମ ପଥ ଅତିକ୍ରମ କରି ସିକାବାଡ଼ି ନିରାପଦ ଆଶ୍ରୟସ୍ଥଳୀରେ ସୁରକ୍ଷିତ ଭାବେ ପହଞ୍ଚାଇଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande