
ବଲାଙ୍ଗିର, 07 ନଭେମ୍ବର (ହି.ସ.) ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଭୁତିଆରବାହାଲ ଗ୍ରାମରେ ଶିକ୍ଷା କ୍ଷେତ୍ରରେ ଯୋଡ଼ି ହୋଇଛି ଆଉ ଏକ ନୂଆ ଅଧ୍ୟାୟ । ଏଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଗୁରୁବାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏହି ନୂତନ ବିଦ୍ୟାଳୟ ନିର୍ମାଣ ଦ୍ୱାରା ଅଞ୍ଚଳରେ ଶିକ୍ଷାର ଭିତ୍ତିଭୂମି ଆହୁରି ସୁଦୃଢ଼ ହେବା ସହ ଛାତ୍ରଛାତ୍ରୀଙ୍କୁ ଉନ୍ନତ ଶିକ୍ଷା ପରିବେଶ ମିଳିବାର ଆଶା ରହିଛି । ବଲାଙ୍ଗିର ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଦିଲ୍ଲୀପ ଯୋଶୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଭିତ୍ତିପ୍ରସ୍ତର ସ୍ଥାପନ ସଭାରେ ବ୍ଲକ ଅଧ୍ୟକ୍ଷା ସରିତା ବାଗ ମୁଖ୍ୟ ଅତିଥି ଏବଂ ବିଡିଓ ହୃଷୀକେଶ ଗଣ୍ଡ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ସେହିପରି ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସେବାଶ୍ରୀ ଭୋଇ, ପ୍ରବୀର କୁମାର ପଣ୍ଡା, ଏସ୍ଏମ୍ସି ସଭାପତି ସ୍ମୃତି ଭୋଇ, ଏମ୍ପି ପ୍ରତିନିଧି ପୁରୁଷୋତ୍ତମ ସାହୁ, ଆଶୀର୍ବାଦ ସାହୁ ଏବଂ ଆଲୁମିନି ସଭାପତି ଚିନ୍ତାମଣି ଚୌଧୁରୀ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଭାରତୀ ସାହୁ ସଭାର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । କୈଳାସ ଚନ୍ଦ୍ର ଭୋଇ ସଭା ପରିଚାଳନା କରିଥିବାବେଳେ ଅକ୍ଷୟ କୁମାର ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷା କମିଟିର ସଦସ୍ୟ, ପୂର୍ବତନ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିଲେ । ନୂତନ ବିଦ୍ୟାଳୟ ନିର୍ମାଣକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ