
ଝାରସୁଗୁଡ଼ା, ୭ ନଭେମ୍ବର (ହି.ସ.)- ଜାଲ୍ ଦସ୍ତଖତ ଓ ନକଲି ପାୱାର ଅଫ୍ ଆଟର୍ଣ୍ଣି ଜରିଆରେ ପୈତୃକ ଜମି ବିକ୍ରି କରାଯାଇଥିବା ନେଇ ଏକ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ଏହି ଘଟଣାରେ ଦୀର୍ଘ ତିନି ବର୍ଷ ପରେ ମଧ୍ୟ ପୁଲିସ ଅଭିଯୁକ୍ତଙ୍କ ସନ୍ଧାନ ପାଇବାରେ ବିଫଳ ହୋଇଥିବା ବେଳେ ଏବେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ (ଆରଡିସି) ଏହି ଘଟଣାରେ ହସ୍ତକ୍ଷେପ କରିଛନ୍ତି। ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ଆରଡିସିଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ଅଭିଯୋଗ ଅନୁଯାୟୀ, ଛତିଶଗଡ଼ ରାଜ୍ୟର ଶକ୍ତି ଜିଲ୍ଲା ଚନ୍ଦ୍ରପୁର ନିବାସୀ ହରିହର ପୁରୀଙ୍କ ପୁଅ ଭାନୁ ପୁରୀ ଗୋସ୍ୱାମୀଙ୍କ ନାମରେ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ତହସିଲ ଅନ୍ତର୍ଗତ କଣ୍ଢେଇକେଲା ମୌଜାର ଖାତା ନମ୍ବର ୩୦୩ରେ ପୈତୃକ ଜମି ରେକର୍ଡଭୁକ୍ତ ରହିଛି। ପୂର୍ବରୁ ଏହି ଜମି ତାଙ୍କ ଅଜା ସୋମେଶ୍ୱର ପୁରୀଙ୍କ ନାମରେ ଥିଲା। ତାଙ୍କ ମୃତ୍ୟୁ ପରେ ଜମିର ରେକର୍ଡ ତାଙ୍କ ପୁଅ ହରିହର ପୁରୀଙ୍କ ନାମକୁ ପରିବର୍ତ୍ତନ ହୋଇଥିଲା। ପରବର୍ତ୍ତୀ ସମୟରେ କଲମ-୨ ପ୍ରକ୍ରିୟାରେ ଭାନୁଙ୍କ ନାମରେ ଜମି ରେକର୍ଡଭୁକ୍ତ ହୋଇଥିଲା।
ତେବେ ୨୦୨୩ ମସିହାରେ ଉକ୍ତ ଖାତାର ପ୍ଲଟ୍ ନମ୍ବର ୧୦୩୫ରୁ ୨ ଏକର ୧୫ ଡେସିମିଲ ଜମି ବିକ୍ରି ହୋଇଥିବା ନେଇ ଲଖନପୁର ତହସିଲ କାର୍ଯ୍ୟାଳୟ ପକ୍ଷରୁ ଭାନୁଙ୍କୁ ମ୍ୟୁଟେସନ୍ ନୋଟିସ୍ ଜାରି କରାଯାଇଥିଲା। ଏହି ନୋଟିସ୍ ପାଇବା ପରେ ସେ ତହସିଲ କାର୍ଯ୍ୟାଳୟ ସହ ଯୋଗାଯୋଗ କରି ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ।
ତାଙ୍କ ଅଭିଯୋଗ ଅନୁସାରେ, ନକଲି ପାୱାର ଅଫ୍ ଆଟର୍ଣ୍ଣି ପ୍ରସ୍ତୁତ କରି ତାଙ୍କ ବାପା ହରିହରଙ୍କ ଜାଲ୍ ଦସ୍ତଖତ ବ୍ୟବହାର କରି ଉକ୍ତ ଜମି ବିକ୍ରି କରାଯାଇଥିଲା। ଆହୁରି ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି, ଲଖନପୁର ପରିବର୍ତ୍ତେ ଝାରସୁଗୁଡ଼ା ଜିଲ୍ଲା ସବ୍ରେଜିଷ୍ଟ୍ରାର (ଡିଏସ୍ଆର୍) କାର୍ଯ୍ୟାଳୟରେ ଏହି ଜମି ବିକ୍ରି ଦଲିଲ ପଞ୍ଜୀକୃତ ହୋଇଥିବା ଭାନୁ ଅଭିଯୋଗ କରିଛନ୍ତି। ଏନେଇ ସେ କଣ୍ଢେଇକେଲା ଫାଣ୍ଡିରେ ଏତଲା ଦେଇଥିଲେ। ମାତ୍ର ତିନି ବର୍ଷ ବିତିଯାଇଥିଲେ ମଧ୍ୟ ପୁଲିସ ଅଭିଯୁକ୍ତଙ୍କ ସମ୍ପର୍କରେ କୌଣସି ସୁରାକ୍ ପାଇପାରି ନଥିବା ସେ ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷରେ, ତହସିଲ ଓ ଜିଲ୍ଲା ପ୍ରଶାସନ ସ୍ତରରେ ନ୍ୟାୟ ନ ମିଳିବାରୁ ଭାନୁ ଉତ୍ତରାଞ୍ଚଳ ଆରଡିସିଙ୍କ ଦ୍ୱାରସ୍ଥ ହୋଇଥିଲେ। ତାଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଇ ଡ୍ରଇଂ ଆଣ୍ଡ୍ ଡିସବର୍ସିଂ ଅଫିସର ରଶ୍ମିରଞ୍ଜନ ରାଉତ ପତ୍ର ସଂଖ୍ୟା ୧୦୭୭୨ ଜରିଆରେ ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।
ଏବେ ଆରଡିସିଙ୍କ ନିର୍ଦ୍ଦେଶ ପରେ ଏହି ଜମି କାରବାରର ପ୍ରକୃତ ରହସ୍ୟ ଉନ୍ମୋଚନ ହେବା ସହ ଅଭିଯୋଗକାରୀଙ୍କୁ ନ୍ୟାୟ ମିଳିବ ବୋଲି ଆଶା ପ୍ରକାଶ ପାଇଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ