
ଜୟପୁର, ୭ ନଭେମ୍ବର (ହି.ସ.)- ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସକ୍ରିୟ ସଦସ୍ୟ ହରିଚନ୍ଦ ଜାଟ୍ ଓରଫ୍ ହରି ବକ୍ସରକୁ ରାଜସ୍ଥାନ ପୋଲିସର ଏଟିଏସ୍-ଏଜିଟିଏଫ୍ର ଉଦ୍ୟମରେ ଆମେରିକୀୟ ଏଜେନ୍ସି ଇମିଗ୍ରେସନ୍ ଆଣ୍ଡ କଷ୍ଟମ୍ସ ଏନ୍ଫୋର୍ସମେଂଟ (ଆଇସିଇ) ଅଟକ ରଖିଛି। ଏବେ ତାକୁ ଭାରତ ଆଣିବା ପାଇଁ ପ୍ରକ୍ରିୟା ଜାରି ରହିଛି।
ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (ଏଟିଏସ୍/ଏଜିଟିଏଫ୍/ଏଏନ୍ଟିଏଫ୍) ଦିନେଶ ଏମ୍.ଏନ୍.ଙ୍କ ସୂଚନା ଅନୁଯାୟୀ, ଅଭିଯୁକ୍ତ ବିଦେଶରେ ରହି ରାଜସ୍ଥାନ ସମେତ ୬ଟି ରାଜ୍ୟରେ ଚାନ୍ଦା ଆଦାୟ ପାଇଁ ଧମକ, ହତ୍ୟା ଓ ଗୁଳିକାଣ୍ଡ ଭଳି ଘଟଣାର ପରିଚାଳନା କରୁଥିଲା। ସେ ଲରେନ୍ସ ବିଷ୍ଣୋଇ ଓ ରୋହିତ ଗୋଦାରା ଗ୍ୟାଙ୍ଗକୁ ଅସ୍ତ୍ରଶସ୍ତ୍ର ଯୋଗାଣ ମଧ୍ୟ କରୁଥିଲା। ୪୦ ବର୍ଷୀୟ ହରିଚନ୍ଦ ଜାଟ୍ ରାଜସ୍ଥାନର କୋଟପୁତଲି-ବହରୋଡ଼ ଜିଲ୍ଲାର ଚତରପୁରା ନିବାସୀ। ସେ ଏପ୍ରିଲ ୨୦୨୩ରେ ନିଜ ପାସପୋର୍ଟ ବ୍ୟବହାର କରି ବିଦେଶକୁ ଫେରାର ହୋଇଯାଇଥିଲା। ରାଜସ୍ଥାନ, ହରିୟାଣା, ପଞ୍ଜାବ, ଦିଲ୍ଲୀ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରେ ଚାନ୍ଦା ଆଦାୟ ପାଇଁ ଧମକ ଓ ଗୁଳିକାଣ୍ଡ ମାମଲାରେ ସେ ୱାଂଟେଡ୍ ଥିଲା।
ମୁମ୍ବାଇରେ ବଲିଉଡ୍ ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କ ଘର ବାହାରେ ଗୁଳିକାଣ୍ଡ ଘଟାଇବା ପରେ ସେ ସୋସିଆଲ ମିଡିଆରେ ଏହାର ଦାୟିତ୍ୱ ମଧ୍ୟ ନେଇଥିଲା। ଗ୍ୟାଙ୍ଗର ସଦସ୍ୟମାନେ ହ୍ୱାଟ୍ସଆପ୍ ଓ ସିଗନାଲ୍ ମାଧ୍ୟମରେ ଭିଓଆଇପି କଲ୍ ଏବଂ ଭିପିଏନ୍ ବ୍ୟବହାର କରି ବ୍ୟବସାୟୀମାନଙ୍କୁ ଚାନ୍ଦା ଦେବା ପାଇଁ ଧମକ ଦିଅନ୍ତି। ଟଙ୍କା ନଦେଲେ ଗୁଳିକାଣ୍ଡ ଘଟାଇଥାନ୍ତି।
ଅଭିଯୁକ୍ତ ବିରୋଧରେ ରାଜସ୍ଥାନର ବିଭିନ୍ନ ଥାନାରେ ହତ୍ୟା ଉଦ୍ୟମ, ଚାନ୍ଦା ଆଦାୟ, ଆର୍ମସ୍ ଆକ୍ଟ, ସଂଗଠିତ ଅପରାଧ, ଚୋରି ଓ ମାରପିଟ୍ ସମେତ ୨୨ରୁ ଅଧିକ ମାମଲା ରୁଜୁ ହୋଇଛି। ଆର୍ମସ୍ ଆକ୍ଟ ମାମଲାରେ ୱାଂଟେଡ୍ ଥିବାରୁ ୧୪ ନଭେମ୍ବର ୨୦୨୪ରେ ସିବିଆଇ ଓ ଇଂଟରପୋଲ୍ ମାଧ୍ୟମରେ ତା ବିରୋଧରେ ରେଡ୍ କର୍ଣ୍ଣର ନୋଟିସ୍ ଜାରି କରାଯାଇଥିଲା।
ତଦନ୍ତରୁ ଜଣାପଡ଼ିଛି ଯେ, ସେ ଦୁବାଇରୁ ଡୋମିନିକାନ୍ ରିପବ୍ଲିକ୍, ପରେ ଗୁୟାନା ଏବଂ ମେକ୍ସିକୋ ସୀମା ଦେଇ ବେଆଇନ ଭାବେ ଆମେରିକାରେ ପ୍ରବେଶ କରି କାଲିଫର୍ଣ୍ଣିଆରେ ରହୁଥିଲା।
ଫେବୃଆରୀ ୨୦୨୫ରେ ଗୁୟାନାରେ ତାର ଅବସ୍ଥିତି ସମ୍ପର୍କରେ ସୂଚନା ମିଳିବା ପରେ ତା ବିରୋଧରେ ଅସ୍ଥାୟୀ ଗିରଫଦାରୀ ଅନୁରୋଧ ପଠାଯାଇଥିଲା। କିନ୍ତୁ ସେ ସେଠାରୁ ଫେରାର ହୋଇଯାଇଥିଲା। ଏଜିଟିଏଫ୍ ସିବିଆଇ ମାଧ୍ୟମରେ ପ୍ରାୟ ୫ଟି ଦେଶକୁ ୧୪ଟି ଇଂଟରପୋଲ୍ ରେଫରେନ୍ସ ପଠାଇଥିଲା। ଏହାସହ ଡିସେମ୍ବର ୨୦୨୪ରୁ ଜୁଲାଇ ୨୦୨୬ ମଧ୍ୟରେ ଆମେରିକାକୁ ୯ଟି ଇଂଟରପୋଲ୍ ନୋଟିସ୍ ପଠାଯାଇଥିଲା। ଏହା ବ୍ୟତୀତ ୨୧ ଫେବୃଆରୀ ୨୦୨୫ରେ ଗିରଫଦାରୀ ଅନୁରୋଧ, ୧୯ ଅଗଷ୍ଟ ୨୦୨୬ରେ ଅଦ୍ୟତନ ଡୋଜିୟର ଏବଂ ୨୯ ଅକ୍ଟୋବର ୨୦୨୬ରେ ଆଙ୍ଗୁଠି ଛାପ ଉପଲବ୍ଧ କରାଯାଇଥିଲା। ବୈଷୟିକ ଟିମ୍ ବିଦେଶୀ ମୋବାଇଲ୍ ନମ୍ବରଗୁଡ଼ିକର ବିଶ୍ଳେଷଣ କରି ଗୁରୁତ୍ୱପୂର୍ଣ୍ଣ ସୂଚନା ସଂଗ୍ରହ କରିଥିଲା। ଅଭିଯୁକ୍ତ ଢ୬୮୭୫୮୧୫ ପାସପୋର୍ଟ ନମ୍ବର ଜରିଆରେ ଭାରତରୁ ଫେରାର ହୋଇଥିଲା।
ଏହି ଅଭିଯାନରେ ଡିଆଇଜି ଯୋଗେଶ ଯାଦବଙ୍କ ତତ୍ୱାବଧାନରେ ଏଏସ୍ପି ସିଦ୍ଧାନ୍ତ ଶର୍ମା, ଡିଏସ୍ପି ରବୀନ୍ଦ୍ର ପ୍ରତାପ, ନିରୀକ୍ଷକ ସୁନୀଲ ଜାଙ୍ଗିଡ଼, ମନୀଷ ଶର୍ମା ଓ ରାମବିଳାସ ବିଷ୍ଣୋଇଙ୍କ ଟିମ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା।
ସେହିପରି ଇଂଟରପୋଲ୍ ଶାଖାର ଏଏସ୍ପି ନରୋତମ ଲାଲ ବର୍ମାଙ୍କ ନେତୃତ୍ୱରେ କମଲପୁରୀ, ଉମେଦ ସିଂହ, ରମେଶ କୁମାର, ସନ୍ତୋଷ ଟେଲର, ମହାବୀର ପ୍ରସାଦ, ସୁଭାଷ, ଶ୍ରବଣ, ସୁରେନ୍ଦ୍ର ଓ ସାବିତ୍ରୀଙ୍କ ସମେତ ଟିମ୍ ଦସ୍ତାବିଜ୍ ପ୍ରସ୍ତୁତି ଓ ଅନ୍ତର୍ଜାତୀୟ ସମନ୍ୱୟ କାର୍ଯ୍ୟ ତୁଲାଇଥିଲେ। ବୈଷୟିକ ଟିମ୍ର ମୋହନ ଭୁରିଆ ଓ ଜଗସୀର ସିଂହ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସୂଚନା ସଂଗ୍ରହ କରିଥିଲେ।
ଅଭିଯୁକ୍ତକୁ ଭାରତ ଆଣିବା ପାଇଁ ଆଇନଗତ ପ୍ରକ୍ରିୟା ଜାରି ରହିଛି।
-------------
ହିନ୍ଦୁସ୍ଥାନ ସମାଚାର / ଗଗନ