


ସମ୍ବଲପୁର, ୭ ନଭେମ୍ବର (ହି.ସ.)- ସମ୍ବଲପୁରର ଅଗ୍ରଣୀ ସାମାଜିକ ସାଂସ୍କୃତିକ ସଂଗଠନ ଗୁରୁ ପଦ୍ମ ସମ୍ଭବ ପ୍ରଚାର ସମିତି ପକ୍ଷରୁ ଲକ୍ଷ୍ମୀ ଡୁଙ୍ଗୁରୀ ପାଦ ଦେଶର ସମ୍ବଳକ ଉଡ୍ଡୀୟାନ ପ୍ରକୃତି ଉଦ୍ୟାନରେ ଶନିବାର ସଫେଇ ଅଭିଯାନ ସହ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଚାର ସମିତିର ସଦସ୍ୟ ସଦସ୍ୟାମାନେ ସମ୍ବଳକ ଉଡ୍ଡୀୟାନ ପରିସରକୁ ସଫା ସୁତୁରା କରିବା ସହ ଏଠାରେ ସମର୍ପଣ ଉତ୍ସବରେ ରୋପଣ କରାଯାଇଥିବା ବୃକ୍ଷଗୁଡିକୁ ପୂଜାର୍ଚ୍ଚନା କରାଯାଇଥିଲା। ସମ୍ବଲପୁରର ପୁରାତନ ନାମ ସମ୍ବଳକ ହୋଇଥିବା ବେଳେ ଏହା ଉଡ୍ଡୀୟାନର ଅଂଶବିଶେଷ ରହିଥିଲା । ଏବେବି ସମ୍ବଲପୁରର ପୁରାତନ ଇତିହାସ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ସେପରି କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇ ପାରିନାହିଁ । ଏପରିକି ଏ ଦିଗରେ ଆବଶ୍ୟକ ଉଦ୍ୟମ ବି ହୋଇ ପାରୁନାହିଁ। ଗୁରୁ ପଦ୍ମ ସମ୍ଭବ ସମ୍ବଲପୁର ମାଟିର ଗୈ।ରବ ହୋଇଥିବା ବେଳେ ଭାରତୀ ସମାଜ ଏବଂ ଗୁରୁ ପଦ୍ମ ସମ୍ଭବ ପ୍ରଚାର ସମିତି ପକ୍ଷରୁ ଲକ୍ଷ୍ମୀ ଡୁଙ୍ଗୁରି ପାଦଦେଶରେ ସମ୍ବଳକ ଉଡ୍ଡୀୟାନ ପ୍ରକୃତି ଉଦ୍ୟାନକୁ ସମ୍ବଲପୁର ଇତିହାସର ପ୍ରତିକୃତି ଭାବରେ ବିକଶିତ କରିବା ନେଇ ଉଦ୍ୟମ କରାଯାଉଛି। ବୋୖଦ୍ଧ ଧର୍ମରେ ସହଜ ଯାନ ବା ତନ୍ତ୍ରଯାନର ପ୍ରବର୍ତ୍ତିକା ଲକ୍ଷ୍ମୀକରାଙ୍କ ନାମରେ ଲକ୍ଷ୍ମୀ ଡୁଙ୍ଗୁରୀ ନାମିତ ହୋଇଛି। ତେଣୁ ଗୁରୁ ପଦ୍ମସମ୍ଭବଙ୍କ ସମୟର ଇତିହାସକୁ ଲୋକଲୋଚନକୁ ଆଣିବା ପାଇଁ ସମ୍ବଳକ ଉଡ୍ଡୀୟାନ ରେ ନିୟମିତ କାର୍ଯ୍ୟକ୍ରମ ଆୟୋଜନ ଜାରି ରଖିବା ପାଇଁ ପ୍ରଚାର ସମିତି ଆବାହକ ଭବାନୀଶ ମତ ଦେଇଛନ୍ତି । ଏହାପରେ ଏହାକୁ ଐତିହାସିକ ପ୍ରକୃତି ଉଦ୍ୟାନ ଭାବରେ ବିକଶିତ କରିବା ପାଇଁ ପ୍ରଚାର ସମିତି ପକ୍ଷରୁ ସମ୍ବଲପୁର ମହାନଗର ନିଗମ କମିଶନର ରେହାନ ଖତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରାଯିବା ସହ ଆଲୋଚନା କରାଯାଇଥିଲା।
ଆଜିର କାର୍ଯ୍ୟକ୍ରମରେ ଗୁରୁ ପଦ୍ମସମ୍ଭବ ପ୍ରଚାର ସମିତି ର ଅଭିଷେକ ଭୋଇ, ସୁବ୍ରତ ପ୍ରଧାନ, ଲଲିତା ଭୋଇ, ରଞ୍ଜିତ ସାହୁ, ଅଶୋକ ତ୍ରିପାଠୀ, ଭାରତୀ ସମାଜର ମହାସଚିବ ଦେବୀ ପ୍ରସାଦ ଭୋଇ, ଗୋପବନ୍ଧୁ ସେନାପତି, କ୍ଷେତ୍ରୀୟ ସଂଯୋଜକ ଡ଼. ସ୍ବୟଂ ପ୍ରକାଶ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ