ଲଇକେରାରେ ବିକାଶ ପ୍ରକଳ୍ପକୁ ବିଧାୟକଙ୍କ ଗୁରୁତ୍ଵ : ଏକାଧିକ ସଡ଼କ ନିର୍ମାଣର ଶିଳାନ୍ୟାସ, ହାତୀଆନାଳା ଡ୍ୟାମ୍ ଉନ୍ନତିକରଣ କାର୍ଯ୍ୟର କଲେ ସମୀକ୍ଷା
MLA emphasis on development
ଲଇକେରାରେ ବିକାଶ ପ୍ରକଳ୍ପକୁ ବିଧାୟକଙ୍କ ଗୁରୁତ୍ୱ


ଝାରସୁଗୁଡ଼ା, ୭ ନଭେମ୍ବର (ହି.ସ.)- ଗ୍ରାମାଞ୍ଚଳରେ ଉନ୍ନତ ଗମନାଗମନ ବ୍ୟବସ୍ଥା ସହ ଭିତ୍ତିଭୂମିର ବିକାଶକୁ ଗୁରୁତ୍ୱ ଦେଇ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଲଇକେରା ବ୍ଲକ ଗସ୍ତ କରି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭ ଶିଳାନ୍ୟାସ କରିଛନ୍ତି। ଏଥିସହ ହାତୀଆନାଳା ଡ୍ୟାମ୍ ର ଉନ୍ନତିକରଣ କାର୍ଯ୍ୟ ଓ କିର୍ମିରା ବସଷ୍ଟାଣ୍ଡ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ବିଧାୟକଙ୍କ ଏହି ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଅଧୀନରେ ଅନେକ ଗୁରୁତ୍ୱପୂର୍ଣ୍ଣ ସଡ଼କ ନିର୍ମାଣ ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିଲା। ସାହାସପୁର ଗ୍ରାମପଞ୍ଚାୟତର ଖଡ଼ିଆପଡ଼ାଠାରୁ ଡୁମକୁମାଲ, ତିଲେଇମାଲ ପୂର୍ତ୍ତ ବିଭାଗ ରାସ୍ତାଠାରୁ କୁମ୍ଭାରପଡ଼ା, ବାବୁଛିପିଡ଼ିହି ଗ୍ରାମପଞ୍ଚାୟତର ସରାଇଗୁଡ଼ାଠାରୁ ପଣ୍ଡାଡ଼ିହି ଏବଂ ନିକ୍ତିମାଲ ଗ୍ରାମପଞ୍ଚାୟତର ପୂର୍ତ୍ତ ବିଭାଗ ରାସ୍ତାଠାରୁ ନିକ୍ତିମାଲ ପର୍ଯ୍ୟନ୍ତ ନୂତନ ସଡ଼କ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ଏହାପରେ ବିଧାୟକ ହାତୀଆନାଳା ଡ୍ୟାମ୍ ର ଉନ୍ନତିକରଣ କାର୍ଯ୍ୟସ୍ଥଳ ପରିଦର୍ଶନ କରିଥିଲେ। କାର୍ଯ୍ୟର ଅଗ୍ରଗତି ଓ ମାନ ଯାଞ୍ଚ କରିବା ସହ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଉଚ୍ଚମାନର କାର୍ଯ୍ୟ ସମ୍ପାଦନ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ତାଗିଦ କରିଥିଲେ। ସେହିପରି କିର୍ମିରା ବସଷ୍ଟାଣ୍ଡ ପରିଦର୍ଶନ କରି ସେଠାକାର ସ୍ଥିତି ସମୀକ୍ଷା କରିଥିଲେ।

ଏହି ଅବସରରେ ବିଧାୟକ ଶ୍ରୀ ତ୍ରିପାଠୀ କହିଥିଲେ ଯେ, ଗ୍ରାମାଞ୍ଚଳରେ ଉନ୍ନତ ଯୋଗାଯୋଗ ବ୍ୟବସ୍ଥା ହିଁ ସାମଗ୍ରିକ ବିକାଶର ମୁଖ୍ୟ ଆଧାର। ନୂତନ ସଡ଼କ ନିର୍ମାଣ ଦ୍ୱାରା ଲୋକଙ୍କ ଯାତାୟାତ ସହଜ ହେବା ସହ ଶିକ୍ଷା, ସ୍ୱାସ୍ଥ୍ୟ, ଅର୍ଥନୈତିକ କାର୍ଯ୍ୟକଳାପ ଓ ଦୈନନ୍ଦିନ ଜୀବନଯାପନରେ ଉନ୍ନତି ଆସିବ। ଅଞ୍ଚଳର ପ୍ରତ୍ୟେକ ଗ୍ରାମକୁ ଉନ୍ନତ ଯୋଗାଯୋଗ ବ୍ୟବସ୍ଥାରେ ଯୋଡ଼ିବା, ଜଳସମ୍ପଦର ସୁରକ୍ଷା ଏବଂ ବିକାଶର ସୁଫଳ ସମସ୍ତଙ୍କ ନିକଟରେ ପହଞ୍ଚାଇବା ଦିଗରେ ପ୍ରୟାସ ଜାରି ରହିବ।

ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସମେତ ମଣ୍ଡଳ ସଭାପତି କୁଳମଣି କିଶାନ, ମୋତିଲାଲ ଦନସେନା, ନିର୍ମଳ ପଟେଲ, ସରପଞ୍ଚ ସୁକାନ୍ତି ଜୟପୁରିଆ, ମନମୋହନ କଂସରାଲି, ନବୀନ ବୁଦୁଲା, ତପସ୍ୱିନୀ ରଣା, ବିନୋଦ ବୁଦୁଲା, ଦୁର୍ଯ୍ୟୋଧନ ମାକର, ଭଗବାନ ନାଏକ, ପ୍ରଦୀପ ପ୍ରଧାନ, ନବୀନ କର୍ତ୍ତା, ରାଜକୁମାର ବୁଦୁଲା, ଉଦୟ ପଟେଲ, ସୁବାସ ବାଘ, ସରୋଜ ପଟ୍ଟନାୟକ, ଦୂତିଆ ଓରାମ, ରୋହିତ କିଶାନ, କେଶବ ବେହେରା ଓ ସୋନୁ କଣ୍ଟା ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande