
ଭୋପାଳ, ୭ ନଭେମ୍ବର (ହି.ସ.)- ପ୍ରତିବର୍ଷ ଦୀପାବଳି ପର୍ବ ଆସିଲେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠିଥାଏ ଯେ, ଏଥର ଦୀପାବଳି ଅକ୍ଟୋବରରେ ପଡ଼ିବ ନା ନଭେମ୍ବରରେ? ୧୯୮୬ରୁ ଆଗାମୀ ୨୦୩୬ ପର୍ଯ୍ୟନ୍ତର ତଥ୍ୟ ବିଶ୍ଳେଷଣ କଲେ ଦୀପାବଳିର ତାରିଖକୁ ନେଇ ଏକ ଆକର୍ଷଣୀୟ ବୈଜ୍ଞାନିକ ଓ ଖଗୋଳୀୟ ଢାଂଚା ସାମ୍ନାକୁ ଆସିଛି।
ମଧ୍ୟପ୍ରଦେଶର ଜାତୀୟ ପୁରସ୍କାରପ୍ରାପ୍ତ ବିଜ୍ଞାନ ପ୍ରଚାରକ ସାରିକା ଘାରୁ ୫୧ ବର୍ଷର ସମୟସୀମାକୁ ନେଇ ଗାଣିତିକ ଓ ଖଗୋଳୀୟ ବିଶ୍ଳେଷଣ କରି କେତେକ ରୋଚକ ତଥ୍ୟ ସାମ୍ନାକୁ ଆଣିଛନ୍ତି। ସାରିକାଙ୍କ ବିଶ୍ଳେଷଣ ଅନୁଯାୟୀ, ୧୯୮୬ରୁ ୨୦୩୬ ମଧ୍ୟରେ ମୋଟ ୫୧ ବର୍ଷରୁ ୨୬ ଥର ଦୀପାବଳି ଅକ୍ଟୋବର ମାସରେ ଏବଂ ୨୫ ଥର ନଭେମ୍ବର ମାସରେ ପଡ଼ିଛି ବା ପଡ଼ିବ। ଏହି ତଥ୍ୟରୁ ଉଭୟ ମାସ ମଧ୍ୟରେ ଅନୁପାତ ପ୍ରାୟ ୫୦-୫୦ ପ୍ରତିଶତ ରହିଥିବା ଜଣାପଡ଼ୁଛି, ଯାହା ଆମ କ୍ୟାଲେଣ୍ଡରର ସଠିକତାକୁ ଦର୍ଶାଉଛି।
ଶନିବାର ଗଣମାଧ୍ୟମ ସମ୍ମୁଖରେ ନିଜର ବିଶ୍ଳେଷଣ ଉପସ୍ଥାପନ କରି ସାରିକା କହିଛନ୍ତି ଯେ, ଏହି ୫୧ ବର୍ଷ ମଧ୍ୟରେ ସବୁଠାରୁ ଶୀଘ୍ର ୧୭ ଅକ୍ଟୋବରରେ ଦୀପାବଳି ପାଳନ କରାଯାଇଥିଲା। ଏହି ସମୟରେ ଶୀତଋତୁ ଆରମ୍ଭ ହେବାକୁ ଯାଉଥାଏ। ସେହିପରି ସବୁଠାରୁ ବିଳମ୍ବରେ ୧୪ ନଭେମ୍ବରରେ ଦୀପାବଳି ପଡ଼ିଥିଲା। ଏହି ସମୟକୁ ଦେଶର ଅନେକ ଅଂଚଳରେ ଶୀତର ଆଗମନ ହୋଇସାରିଥାଏ।
ସାରିକାଙ୍କ ଅନୁଯାୟୀ, ଏହାର କାରଣ ହେଉଛି ଆମର ଇଂରାଜୀ କ୍ୟାଲେଣ୍ଡର ସୂର୍ଯ୍ୟଙ୍କ ଗତି ଉପରେ ଆଧାରିତ ଏବଂ ଏଥିରେ ବର୍ଷକୁ ୩୬୫ ଦିନ ଧରାଯାଏ। ଅନ୍ୟପକ୍ଷରେ ହିନ୍ଦୁ ପଞ୍ଜିକା ଚନ୍ଦ୍ର-ସୌର ଗଣନା ଉପରେ ଆଧାରିତ। ଏଥିରେ ଗୋଟିଏ ବର୍ଷ ୩୫୪ ଦିନର ହୋଇଥାଏ। ଏହି ୧୧ ଦିନର ପାର୍ଥକ୍ୟକୁ ସମାନ କରିବା ପାଇଁ ପ୍ରତି ତୃତୀୟ ବର୍ଷ ପଞ୍ଜିକାରେ ଏକ ଅତିରିକ୍ତ ମାସ ଯୋଡ଼ାଯାଏ, ଯାହାକୁ ଅଧିକମାସ କୁହାଯାଏ।
ସାରିକା କହିଛନ୍ତି ଯେ, ବାର୍ଷିକ ୧୧ ଦିନର ଏହି ପାର୍ଥକ୍ୟ ଏବଂ ପ୍ରତି ତୃତୀୟ ବର୍ଷ ଯୋଡ଼ାଯାଉଥିବା ଅଧିକମାସ ମିଶି ଏକ ଚକ୍ର ସୃଷ୍ଟି କରେ। ଏହା ଫଳରେ ଠିକ୍ ୧୯ ବର୍ଷ ପରେ ଦୀପାବଳି ପୁଣି ପ୍ରାୟ ସେହି ସମାନ ତାରିଖରେ ପଡ଼ିଥାଏ। ଉଦାହରଣ ସ୍ୱରୂପ, ୨୦୦୧ରେ ଦୀପାବଳି ୧୪ ନଭେମ୍ବରରେ ପଡ଼ିଥିବା ବେଳେ ୧୯ ବର୍ଷ ପରେ ୨୦୨୦ରେ ମଧ୍ୟ ଏହା ୧୪ ନଭେମ୍ବରରେ ପଡ଼ିଥିଲା।
ସାରିକାଙ୍କ ଅନୁଯାୟୀ, ଦୀପାବଳିର ତାରିଖରେ ଏହି ପରିବର୍ତନ ଆମ ପରିବେଶ ସହିତ ମଧ୍ୟ ଜଡ଼ିତ। ଯେତେବେଳେ ଦୀପାବଳି ଅକ୍ଟୋବର ମଧ୍ୟଭାଗରେ ପଡ଼େ, ସେତେବେଳେ ମୌସୁମୀ ପରବର୍ତୀ ସମୟ ହୋଇଥିବାରୁ ବାୟୁମଣ୍ଡଳରେ ଆର୍ଦ୍ରତା ରହିଥାଏ ଏବଂ ପାଗ ଗରମ ଥାଏ। ଅନ୍ୟପକ୍ଷରେ ନଭେମ୍ବର ମଧ୍ୟଭାଗରେ ଦୀପାବଳି ପଡ଼ିଲେ ଉତର ଭାରତରେ କୁହୁଡ଼ି ଓ ଶୀତ ବଢ଼ିବା ଯୋଗୁଁ ବାଣଫୁଟାରୁ ବାହାରୁଥିବା ଧୂଆଁ ସ୍ମଗ୍ର ରୂପ ନେଇଥାଏ, ଯାହା ପରିବେଶ ପାଇଁ ଏକ ଗମ୍ଭୀର ଆହ୍ୱାନ ସୃଷ୍ଟି କରେ।
ସାରିକା ଘାରୁ କହିଛନ୍ତି ଯେ, ଦୀପାବଳି କେବଳ ଦୀପର ପର୍ବ ନୁହେଁ, ବରଂ ଏହା ଆମ ପୂର୍ବଜମାନଙ୍କ ଉନ୍ନତ ଖଗୋଳୀୟ ବିଜ୍ଞାନର ଏକ ପ୍ରମାଣ। ଏହି ବିଜ୍ଞାନ ଚନ୍ଦ୍ର ଓ ସୂର୍ଯ୍ୟଙ୍କ ଗତିକୁ ଆମ ଜୀବନ ଏବଂ ପର୍ବପର୍ବାଣୀ ସହିତ ଯୋଡ଼ି ରଖିଛି।
-----------
ହିନ୍ଦୁସ୍ଥାନ ସମାଚାର / ଗଗନ