
ଜୟପୁର, ୭ ନଭେମ୍ବର (ହି.ସ.)- ମାଣ୍ଡିଆ ଚାଷର ପ୍ରଚାର, ପ୍ରସାର ତଥା ଏହାର ଉତ୍ପାଦନ ବୃଦ୍ଧି ଓ ଚାଷୀଙ୍କ ଆର୍ଥିକ ସଶକ୍ତିକରଣ ଉଦ୍ଦେଶ୍ୟରେ ଆଜି କୋରାପୁଟ ଜିଲ୍ଲାର ଡି.ଏନ୍.କେ. ସଦ୍ଭାବନା ଗୃହଠାରେ ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।
ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ କୋଟପାଡ଼ର ବିଧାୟକ ରୂପୁ ଭତ୍ରା ଯୋଗଦେଇଥିବା ବେଳେ କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସସ୍ମିତା ମେଲେକା, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭଗବାନ ମୁଦୁଲି, ଜିଲ୍ଲା ବିଜେପି ସଭାପତି ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ବିଧାୟକ କୋରାପୁଟଙ୍କ ପ୍ରତିନିଧି ମଦନ କ୍ରିଷାନୀ ଏବଂ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ଏହା ସହିତ ମାଣ୍ଡିଆ ଚାଷର ପ୍ରଚାର ଓ ପ୍ରସାରରେ ଅବଦାନ ରଖିଥିବା ମାଣ୍ଡିଆ ରାଣୀ ଡ. ରାଇମତି ଘୁରିଆ, କୃଷି ବିଜ୍ଞାନ କେନ୍ଦ୍ର, କୋରାପୁଟର ବିଭାଗୀୟ ମୁଖ୍ୟ ତଥା ବରିଷ୍ଠ ବୈଜ୍ଞାନିକ ଡ. ସୁନୀତା ଦାଣ୍ଡସେନା, ଆରଆର ଟିଟିଏସ କୋରାପୁଟର ଏଡିଅର ଡ. ପର୍ଶୁରାମ ସିଆଳ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଭବାନୀ ଶଙ୍କର ମହାପାତ୍ର, ଉପନିର୍ଦ୍ଦେଶକ ଉଦ୍ୟାନ କୃଷି ବିଭାଗ ଅନ୍ତର୍ଯ୍ୟାମୀ ସାହୁ, ପ୍ରକଳ୍ପ ନିର୍ଦ୍ଦେଶକ ଜଳଛାୟା ଉନ୍ନୟନ ବିଭାଗ ଅଶୋକ କୁମାର ସେନାପତି, ଜିଲ୍ଲା ମୁଖ୍ୟ ମତ୍ସ୍ୟ ଅଧିକାରୀ ରାମଚନ୍ଦ୍ର ମାଝୀ, ନିର୍ବାହୀ ଯନ୍ତ୍ରୀ (କୃଷି) ସତ୍ୟନାରାୟଣ ଦାଶ, ଜିଲ୍ଲା କୃଷି ଅଧିକାରୀ ନନ୍ଦପୁର ଶ୍ରୀମତୀ ସୁନୀତା ଆର୍. ଏବଂ ଜିଲ୍ଲା କୃଷି ଅଧିକାରୀ କୋରାପୁଟ ଡ. ସୁଭଶ୍ରୀ ବନ୍ଦିତା ପ୍ରମୁଖ ଯୋଗଦେଇଥିଲେ।
ଏହି ଅବସରରେ କୋରାପୁଟ ଜିଲ୍ଲାରେ ମାଣ୍ଡିଆ ଚାଷର ସଫଳତା ଓ ଏହାର ଅଗ୍ରଗତି ସମ୍ପର୍କରେ ଆଲୋକପାତ କରାଯାଇଥିଲା। ଜିଲ୍ଲାର ୧୪ଟି ବ୍ଲକ୍ ମଧ୍ୟରୁ ୧୨ଟି ବ୍ଲକ୍ ରେ ଶ୍ରୀ ଅନ୍ନ ଅଭିଯାନ ଯୋଜନା ଅଧୀନରେ ମୋଟ ୧୫,୯୮୭ ହେକ୍ଟର ଜମିରେ ୨୭,୭୫୦ ଜଣ ଚାଷୀ ମାଣ୍ଡିଆ ଚାଷ କରି ଯୋଜନାର ବିଭିନ୍ନ ପ୍ରୋତ୍ସାହନମୂଳକ ସୁବିଧାର ଲାଭ ଉଠାଉଛନ୍ତି। ବର୍ତ୍ତମାନ ମାଣ୍ଡିଆ ଉତ୍ପାଦନରେ କୋରାପୁଟ ଜିଲ୍ଲା ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ପାଇଁ ଗୌରବ ଆଣିଛି।
କାର୍ଯ୍ୟକ୍ରମରେ ବିଭିନ୍ନ କୃଷକ ଉତ୍ପାଦକ ସଂଗଠନ, ସହାୟକ ସଂସ୍ଥା, କ୍ଷେତ୍ରସ୍ତରୀୟ ସହଯୋଗୀ ସଂସ୍ଥା ଏବଂ ବହୁ ସଂଖ୍ୟାରେ ଚାଷୀ ଯୋଗଦେଇ ମାଣ୍ଡିଆ ଚାଷର ଅନୁଭୂତି ଓ ସଫଳତା ବାଣ୍ଟିଥିଲେ।
ମୁଖ୍ୟ ଅତିଥି ବିଧାୟକ ରୂପୁ ଭତ୍ରା ନିଜ ଅଭିଭାଷଣରେ ମାଣ୍ଡିଆର ଗୁଣବତ୍ତା, ପୁଷ୍ଟିକର ମୂଲ୍ୟ ଏବଂ ଏହାର ଆର୍ଥିକ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସ୍ଥାନୀୟ ସ୍ତରରେ ମାଣ୍ଡିଆ ଚାଷ ଓ ଉତ୍ପାଦନକୁ ଅଧିକ ପ୍ରୋତ୍ସାହିତ କରି ଏହାକୁ ଜାତୀୟ ତଥା ଆନ୍ତର୍ଜାତୀୟ ବଜାରରେ ପହଞ୍ଚାଇବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ମୂଲ୍ୟଯୁକ୍ତ ଖାଦ୍ୟ ସାମଗ୍ରୀର ବଜାର ସୃଷ୍ଟି ଓ ଚାଷୀଙ୍କ ଆୟ ବୃଦ୍ଧି ଦିଗରେ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ।
ଉତ୍ସବ ଅବସରରେ ମାଣ୍ଡିଆ ଚାଷରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ମାଣ୍ଡିଆ ରାଣୀ ଡ. ରାଇମତି ଘୁରିଆ, ଶ୍ରେଷ୍ଠ ପ୍ରଦର୍ଶନକାରୀ ଚାଷୀ, ଶ୍ରେଷ୍ଠ କୃଷକ ଉତ୍ପାଦକ ସଂଗଠନ , ସ୍ୱେଚ୍ଛାସେବୀ ସଂଗଠନ ଏବଂ ସମ୍ପୃକ୍ତ ବ୍ଲକ୍ ର କୃଷି ଅଧିକାରୀମାନଙ୍କୁ ସେମାନଙ୍କର ଉତ୍କୃଷ୍ଟ ଅବଦାନ ଓ କାର୍ଯ୍ୟଦକ୍ଷତା ପାଇଁ ସମ୍ମାନିତ କରାଯାଇଥିଲା।
ଶେଷରେ ତାପସ ଚନ୍ଦ୍ର ରାୟ, ଯୋଜନା ଅଧିକାରୀ, କୃଷି ବିଭାଗ, କୋରାପୁଟ ଉପସ୍ଥିତ ସମସ୍ତ ଅତିଥି, ଅଧିକାରୀ, ସଂସ୍ଥାର ପ୍ରତିନିଧି ଓ ଚାଷୀମାନଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ କାର୍ଯ୍ୟକ୍ରମର ପରିସମାପ୍ତି ଘୋଷଣା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି