
ଝାରସୁଗୁଡ଼ା, ୭ ନଭେମ୍ବର (ହି.ସ.)- ଦୁଇ ଦିନ ଧରି ନିଖୋଜ ଥିବା ଜଣେ ଓଏସପି ଯବାନଙ୍କ ଝୁଲନ୍ତା ମୃତଦେହକୁ ସୁନ୍ଦରଗଡ଼ ଜିଲ୍ଲା ହେମଗିରି ପୁଲିସ ଶନିବାର ସକାଳେ ଉଦ୍ଧାର କରିଛି। ମୃତ ଯବାନ ହେଲେ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ରେଙ୍ଗାଲି ଥାନା ଅନ୍ତର୍ଗତ ଦେଓପାଲି ଗ୍ରାମର ଚୂଳ ସାହୁଙ୍କ ଏକମାତ୍ର ପୁଅ ପୃଥ୍ୱୀରାଜ ସାହୁ (୩୩)। ସେ ଓଡ଼ିଶା ସ୍ପେଶାଲ ପୁଲିସ (ଓଏସପି)ରେ କାର୍ଯ୍ୟରତ ଥିବାବେଳେ ଝାରସୁଗୁଡ଼ାସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ନିୟୋଜିତ ଥିଲେ।
ପ୍ରାପ୍ତ ସୂଚନା ଅନୁଯାୟୀ, କୌଣସି କାରଣରୁ ଗତ ଗୁରୁବାରଠାରୁ ପୃଥ୍ୱୀରାଜ ହଠାତ୍ ନିଖୋଜ ହୋଇଯାଇଥିଲେ। ଏନେଇ ପରିବାର ପକ୍ଷରୁ ଝାରସୁଗୁଡ଼ା ପୁଲିସକୁ ସୂଚନା ଦିଆଯିବା ପରେ ପୁଲିସ ତାଙ୍କର ଖୋଜାଖୋଜି ଆରମ୍ଭ କରିଥିଲା। ଏହି ସମୟରେ ଗତ ଶୁକ୍ରବାର ଦିନ ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଅନ୍ତର୍ଗତ ଘୁଡ଼ାମରା ଘାଟି ନିକଟରେ ତାଙ୍କ ସ୍କୁଟିକୁ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏନେଇ ସେମାନେ ହେମଗିରି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ନିକଟସ୍ଥ ଜଙ୍ଗଲରେ ଖୋଜାଖୋଜି ଆରମ୍ଭ କରିଥିଲା। ଶେଷରେ ଶନିବାର ସକାଳେ ଘାଟି ନିକଟସ୍ଥ ଜଙ୍ଗଲରେ ଏକ ବେରୁଆ ଗଛରେ ପୃଥ୍ୱୀରାଜଙ୍କ ଝୁଲନ୍ତା ମୃତଦେହକୁ ପୋଲିସ ଠାବ କରିଥିଲା। ପୋଲିସ ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଜଣେ ଯୁବ ଯବାନଙ୍କ ଏଭଳି ଅକାଳ ମୃତ୍ୟୁ ଖବର ତାଙ୍କ ଗାଁ ଓ ପରିବାରରେ ଶୋକର ଛାୟା ଖେଳାଇ ଦେଇଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ