
ବଲାଙ୍ଗୀର, ୦୭ ନଭେମ୍ବର(ହି.ସ.) – ଆଜି ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ ମିଶ୍ର ସ୍ଥାନୀୟ ସରକାରୀ ଆୟୁର୍ବେଦିକ ମହାବିଦ୍ୟାଳୟକୁ ଯାଇ ସେଠାରେ ଥିବା ବିଭିନ୍ନ ସମସ୍ୟା ଓ ତାର ସମାଧାନକୁ ନେଇ କଲେଜ କର୍ତୃପକ୍ଷ ପୁରାତନ ଓ ବର୍ତମାନର ଛାତ୍ର ନେତାଙ୍କ ସହ ଆଲୋଚନା କରିଛନ୍ତି। ଆଲୋଚନା ସମୟରେ ବିଶେଷ କରି ଶ୍ରୀ ମିଶ୍ର ବିଧାୟକ ଥିବା ବେଳେ ତାଙ୍କ ଉଦ୍ୟମରେ ଅଣାଯାଇଥିବା ବିଭିନ୍ନ ପ୍ରକଳ୍ପ ପାଇଁ ଆସିଥିବା ଅନୁଦାନରେ ପ୍ରକଳ୍ପ କାମର ମନ୍ଥରତାକୁ ନେଇ ଆଲୋଚନା ହୋଇଥିଲା। ବହୁକୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ଚାଲିଥିବା ଅଡିଟରିୟମ ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରିନାହିଁ ଫଳରେ ଆୟୁର୍ବେଦ ମହାବିଦ୍ୟାଳୟର ଅନେକ ଚିକିତ୍ସା ଶିକ୍ଷା ଜନିତ କାର୍ଯ୍ୟକ୍ରମ ପାଇଁ ଡାକ୍ତରୀ ଛାତ୍ରମାନେ ହଇରାଣ ହେଉଛନ୍ତି। ବାରମ୍ବାର ନିର୍ମାଣ କରୁଥିବା ସଂସ୍ଥା ତଥା ତଦାରଖ କରୁଥିବା ବିଭାଗୀୟ ଯନ୍ତ୍ରୀଙ୍କୁ ଏନେଇ ଅଭିଯୋଗ କଲେ ହେଁ କୌଣସି ପ୍ରକାର ଫଳ ମିଳୁନାହିଁ। ଏହାକୁ ନେଇ ଶ୍ରୀ ମିଶ୍ର ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶୃତି ଦେଇଥିଲେ। କଲେଜରେ ଶିକ୍ଷା ପାଇଁ ଦରକାର ହେଉଥିବା ହର୍ବାଲ ଗାର୍ଡେନ ଓ ଛାତ୍ରଛାତ୍ରୀଙ୍କ ନିମିତ ଦରକାର ହେଉଥିବା ଖେଳ ପଡିଆକୁ ନେଇ କୌଣସି ଅଗ୍ରଗତି ହୋଇପାରି ନାହିଁ । ତେଣୁ ଏ ଦିଗରେ ବିିଧିବଦ୍ଧ ଉଦ୍ୟମ କରାଯିବ ବୋଲି ଆଲୋଚନା ବେଳେ ନିଷ୍ପତି ହୋଇଥିଲା। ତାହା ସହ କଲେଜ ପ୍ରତିଷ୍ଠାତା ସଭ୍ୟମାନଙ୍କର ପ୍ରତିମୂର୍ତି ବସାଇବା ଏବଂ ଏ ବାବଦ ଖର୍ଚ୍ଚ ସେହି ପ୍ରତିଷ୍ଠାତା ସଭ୍ୟମାନଙ୍କର ପରିବାର ବର୍ଗ ବହନ କରିବେ ବୋଲି ପୁରାତନ ଛାତ୍ର ସଂସଦ ସଭାପତି ବାସୁଦେବ ପତି କହିଥିଲେ ଏବଂ ଅଡିଟରିୟମ ସଂଲଗ୍ନ କୋଠରିଗୁଡିକୁ କଲେଜ ପ୍ରତିଷ୍ଠା ଦିଗରେ ଉଦ୍ୟମ କରି ସଫଳ ହୋଇଥିବା ପ୍ରତିଷ୍ଠାତା ସଭ୍ୟମାନଙ୍କର ସ୍ମୃତିରେ ନାମକରଣ କରାଯିବ ବୋଲି ଆଲୋଚନା ସମୟରେ ନିଷ୍ପତି ହୋଇଥିଲା। ଆଜିର ଏହି ଆଲୋଚନା ସମୟରେ ପୂର୍ବତନ ଆଇନମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ସହ କଲେଜ ଅଧ୍ୟକ୍ଷ ଡା. ମନୋଜ ସାହୁ, ପୁରାତନ ଛାତ୍ର ସଂସଦ ସଭାପତି ଡା. ବାସୁଦେବ ପତି, ବର୍ତମାନର ଛାତ୍ର ସଂସଦ ଉପସଭାପତି ଅଭିଷେକ ରଥଙ୍କ ସମେତ କଲେଜ କର୍ମଚାରୀ ଓ ଡାକ୍ତରୀ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ