
ନୂଆଦିଲ୍ଲୀ, ୦୭ ନଭେମ୍ବର (ହି.ସ.)। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶନିବାର କହିଛନ୍ତି ଯେ, ଦୀପାବଳି ଓ ଛଠ୍ ପୂଜା ସମେତ ପାର୍ବଣ ଋତୁରେ ଯାତ୍ରୀଙ୍କ ବଢୁଥିବା ଭିଡ଼କୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ପ୍ରାୟ ୧୮ ହଜାର ଅତିରିକ୍ତ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଯାଇଛି। ଏହାବ୍ୟତୀତ ଦେଶର ବିଭିନ୍ନ ରେଳ ଷ୍ଟେସନରେ ପ୍ରାୟ ୭୦୦ଟି କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଆଧାରିତ କ୍ୟାମେରା ଲଗାଯାଇଛି। ଏହା ମାଧ୍ୟମରେ ଯାତ୍ରୀଙ୍କ ଭିଡ଼ ଉପରେ ନଜର ରଖାଯାଉଛି। ଯାତ୍ରୀଙ୍କ ସୁବିଧା ପାଇଁ ପ୍ରାୟ ୨୦ଟି ପ୍ରମୁଖ ରେଳ ଷ୍ଟେସନରେ ହୋଲ୍ଡିଂ ଏରିଆ ମଧ୍ୟ ନିର୍ମାଣ କରାଯାଇଛି।
ରେଳ ଭବନସ୍ଥିତ ରେଳବାଇର ୱାର୍ ରୁମ୍ର ପ୍ରସ୍ତୁତି ଓ ପରିଚାଳନା ବ୍ୟବସ୍ଥାର ସମୀକ୍ଷା କରିବା ପରେ ବୈଷ୍ଣବ ସାମ୍ବାଦିକମାନଙ୍କୁ କହିଥିଲେ ଯେ, ଦୁର୍ଗାପୂଜା, ଦୀପାବଳି ଓ ଛଠ୍ ପର୍ବ ସମୟରେ ରେଳବାଇ ଉପରେ ଯାତାୟାତର ଚାପ ବହୁତ ବଢ଼ିଯାଇଥାଏ। ଏହି ଆହ୍ୱାନର ମୁକାବିଲା ପାଇଁ ରେଳବାଇ ପକ୍ଷରୁ ଗତ ୬ ମାସ ଧରି ପ୍ରସ୍ତୁତି ଆରମ୍ଭ କରାଯାଇଥିଲା। ଗତବର୍ଷ ପାର୍ବଣ ଋତୁରେ ପ୍ରାୟ ୧୨ ହଜାର ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଯାଇଥିବା ବେଳେ ଚଳିତ ବର୍ଷ ଏହାକୁ ବୃଦ୍ଧି କରାଯାଇ ପ୍ରାୟ ୧୮ ହଜାର କରାଯାଇଛି। ଏଥିମଧ୍ୟରୁ ଅନେକ ସ୍ୱତନ୍ତ୍ର ଟ୍ରେନ୍କୁ ନିୟମିତ ସେବାରେ ମଧ୍ୟ ପରିଣତ କରାଯାଇଛି।
ସେ କହିଥିଲେ ଯେ, ଗତ ଆର୍ଥିକ ବର୍ଷରେ ରେଳବାଇ ପ୍ରାୟ ୭୫ ହଜାର ସ୍ୱତନ୍ତ୍ର ଟ୍ରେନ୍ ଚଳାଇଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ଏହି ସଂଖ୍ୟା ୮୦ ହଜାରରୁ ଅଧିକ ହେବାକୁ ଯାଉଛି। ପର୍ବପର୍ବାଣୀ ସମୟରେ ଯାତ୍ରୀମାନେ ଯେପରି ନିଜ ଘରେ ପହଞ୍ଚିବାରେ କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ଏବଂ ଭିଡ଼ର ସୁବ୍ୟବସ୍ଥିତ ପରିଚାଳନା ହୋଇପାରିବ, ସେଥିପାଇଁ ରେଳବାଇ ପ୍ରୟାସ କରୁଛି।
ରେଳମନ୍ତ୍ରୀ କହିଥିଲେ ଯେ, ଯାତ୍ରୀଙ୍କ ସୁବିଧା ପାଇଁ ପ୍ରାୟ ୨୦ଟି ଷ୍ଟେସନରେ ସ୍ୱତନ୍ତ୍ର ହୋଲ୍ଡିଂ ଏରିଆ ନିର୍ମାଣ କରାଯାଇଛି। ଏଠାରେ ଯାତ୍ରୀମାନେ ଟ୍ରେନ୍ ଛାଡ଼ିବା ପୂର୍ବରୁ ଆରାମରେ ଅପେକ୍ଷା କରିପାରିବେ। ଯାତ୍ରୀମାନଙ୍କୁ ଟିକେଟ୍ କାଟିବା ପାଇଁ ଷ୍ଟେସନ ପରିସର ଭିତରକୁ ଯିବାକୁ ନପଡ଼ିବା ପାଇଁ ଏହି ଅଞ୍ଚଳଗୁଡ଼ିକରେ ଟିକେଟ୍ କାଉଣ୍ଟର ମଧ୍ୟ ସ୍ଥାନାନ୍ତର କରାଯାଇଛି। ସୁରକ୍ଷା ଯାଞ୍ଚ ସମୟରେ ଲମ୍ବା ଧାଡ଼ିକୁ ଏଡ଼ାଇବା ପାଇଁ ଲଗେଜ୍ ଯାଞ୍ଚ ନିମନ୍ତେ ଅନେକ ସ୍କାନିଂ କାଉଣ୍ଟର ମଧ୍ୟ ନିର୍ମାଣ କରାଯାଇଛି।
ସେ ଆହୁରି କହିଥିଲେ ଯେ, ରେଳବାଇର ୱାର୍ ରୁମ୍ ୨୪ ଘଣ୍ଟା କାର୍ଯ୍ୟ କରୁଛି। ଏଠାରେ ରେଳ ସୁରକ୍ଷା ବଳ (ଆରପିଏଫ୍), ପରିଚାଳନା, ଯାନ୍ତ୍ରିକ ଓ ବୈଦ୍ୟୁତିକ ବିଭାଗର ଅଧିକାରୀ ଏବଂ କର୍ମଚାରୀମାନେ ନିୟୋଜିତ ଅଛନ୍ତି। ୱାର୍ ରୁମ୍ରେ ଲାଇଭ୍ ହିଟ୍ ମ୍ୟାପ୍ ମାଧ୍ୟମରେ ବିଭିନ୍ନ ଷ୍ଟେସନରେ ଯାତ୍ରୀଙ୍କ ଭିଡ଼ର ସ୍ଥିତି ଉପରେ ନଜର ରଖାଯାଉଛି। ଏଥିରେ ସବୁଜ ରଙ୍ଗ ସାଧାରଣ ଭିଡ଼, ହଳଦିଆ ରଙ୍ଗ ବଢୁଥିବା ଭିଡ଼ ଏବଂ ନାଲି ରଙ୍ଗ ଅତ୍ୟଧିକ ଭିଡ଼ର ସଙ୍କେତ ଦେଇଥାଏ। ରେଳମନ୍ତ୍ରୀଙ୍କ ବ୍ୟତୀତ ରେଳବାଇ ବୋର୍ଡର ଅଧ୍ୟକ୍ଷ ଏବଂ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ନିୟମିତ ଭାବେ ଏଠାରୁ ସମସ୍ତ ବ୍ୟବସ୍ଥାର ତଦାରଖ କରୁଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା