
ଘଟଗାଁ,୭ ନଭେମ୍ବର (ହି.ସ.) - ମା’ ତାରିଣୀ ମନ୍ଦିରର ସମନ୍ୱିତ ବିକାଶ ପ୍ରକଳ୍ପକୁ ନୂଆ ଗତି ଦେବା ଲକ୍ଷ୍ୟରେ ଶନିବାର ଅପରାହ୍ନରେ ଓବିସିସିର ପରିଚାଳନା ନିର୍ଦ୍ଦେଶକ (ଏମ୍ଡି) ଅନୁପମ ଶାହା ଘଟଗାଁ ଗସ୍ତ କରି ବିଭିନ୍ନ ନିର୍ମାଣସ୍ଥଳ ପରିଦର୍ଶନ କରିବା ସହ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଥିଲେ। ବିଶେଷକରି ନିର୍ମାଣ କାର୍ଯ୍ୟରେ ଗତି ଆଣିବା ଏବଂ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ୱରିତ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ।ଗସ୍ତ ଆରମ୍ଭରେ ଶ୍ରୀ ଶାହା ମା’ ତାରିଣୀଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ଏହାପରେ ପ୍ରକଳ୍ପ ଅଂଚଳର ବିଭିନ୍ନ ସ୍ଥାନ ବୁଲି ନିର୍ମାଣ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିଥିଲେ। ଘଟଗାଁ-କେନ୍ଦୁଝର ରାସ୍ତାର କଲେଜ ଛକ ନିକଟରେ ପ୍ରସ୍ତାବିତ ସ୍ୱାଗତ ତୋରଣ ନିର୍ମାଣ ସ୍ଥାନ ଏବଂ ଘଟଗାଁ-ଆନନ୍ଦପୁର ରାସ୍ତାର ମନ୍ଦିର ପ୍ରବେଶ ବାଇପାସ୍ ଗୋଲେଇ ନିକଟରେ ଚିହ୍ନଟ ହୋଇଥିବା ଅନ୍ୟ ଏକ ସ୍ୱାଗତ ତୋରଣ ସ୍ଥଳ ପରିଦର୍ଶନ କରିଥିଲେ।ସେହିପରି ପ୍ରକଳ୍ପ ଅନ୍ତର୍ଗତ ପୋଖରୀର ଉନ୍ନତିକରଣ କାର୍ଯ୍ୟ ଯାଂଚ କରିବା ସହ ଏହାକୁ ପର୍ଯ୍ୟଟକଙ୍କ ପାଇଁ ଅଧିକ ଆକର୍ଷଣୀୟ ଓ ସୁବିଧାଜନକ କରିବା ନେଇ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ଏହାବ୍ୟତୀତ ସ୍କୁଲ ଗୃହ, ପ୍ରାଣୀ ସମ୍ପଦ ଚିକିତ୍ସାଳୟ, ଯାତ୍ରୀନିବାସ, ପ୍ରସାଦାଳୟ ଓ ନଡ଼ିଆ ଗୋଦାମ ଗୃହ ନିର୍ମାଣର ଅଗ୍ରଗତି ମଧ୍ୟ ତଦାରଖ କରିଥିଲେ। ଅବଶିଷ୍ଟ କାର୍ଯ୍ୟକୁ ଯଥାଶୀଘ୍ର ଶେଷ କରିବା ପାଇଁ ସମ୍ପୃକ୍ତ ଅଧିକାରୀ ଓ ନିର୍ମାଣକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ।ବର୍ଷା ଋତୁ ଶେଷ ହୋଇଥିବାରୁ ନିର୍ମାଣ କାର୍ଯ୍ୟ ପାଇଁ ଏହା ଅନୁକୂଳ ସମୟ ବୋଲି ଦର୍ଶାଇ କାମରେ ଶିଥିଳତା ନ ରଖିବାକୁ କହିଥିଲେ। ମୃତିକା ସଂରକ୍ଷଣ କାର୍ଯ୍ୟାଳୟ ନିକଟରେ ପ୍ରସ୍ତାବିତ ନିର୍ମାଣର ନକ୍ସା ଅନୁଧ୍ୟାନ କରି ତୁରନ୍ତ କାର୍ଯ୍ୟ ଆରମ୍ଭ ଉପରେ ଗୁରୁତ୍ୱ ଦେଇଥିଲେ। ମନ୍ଦିର ଭିତରେ ଭକ୍ତଙ୍କ ସୁବିଧା ପାଇଁ ଧାଡ଼ି ଦର୍ଶନ ବ୍ୟବସ୍ଥାର କାର୍ଯ୍ୟ ମଧ୍ୟ ଶୀଘ୍ର ଆରମ୍ଭ କରିବାକୁ କହିଥିଲେ। ପରେ ସ୍ଥାନୀୟ ଡାକବଙ୍ଗଳାଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ପ୍ରକଳ୍ପର ବିଭିନ୍ନ ଦିଗ ଓ କାର୍ଯ୍ୟ ତ୍ୱରାନ୍ୱିତ କରିବା ନେଇ ଆଲୋଚନା ହୋଇଥିଲା। ବିଶେଷକରି ଜମି ଅଧିଗ୍ରହଣ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦିଆଯାଇ ଜମି ହରାଇଥିବା ବ୍ୟକ୍ତିମାନଙ୍କୁ ଖୁବ୍ଶୀଘ୍ର କ୍ଷତିପୂରଣ ରାଶି ପ୍ରଦାନ କରାଯିବ ବୋଲି ସୂଚନା ମିଳିଥିଲା। ଏହାଦ୍ୱାରା ଜମି ଅଧିଗ୍ରହଣ ପ୍ରକ୍ରିୟା ସହଜ ହେବା ସହ ପ୍ରକଳ୍ପର ବାକି କାର୍ଯ୍ୟ ଆଗକୁ ବଢ଼ିବ ବୋଲି ଆଶା ପ୍ରକାଶ ପାଇଛି। ଏହି ପରିଦର୍ଶନ ସମୟରେ ଓବିସିସିର ମୁଖ୍ୟ ମ୍ୟାନେଜର ନରସିଂହ ମହାନ୍ତ, ଜିଏମ୍ ସୌମ୍ୟ ଶଙ୍କର ଦାଶ, ଅଧୀକ୍ଷଣ ଯନ୍ତ୍ରୀ ଜୟନ୍ତ ଜେନା, ଏସ୍ଡିଓ ସୌମ୍ୟ ସରୂପ, ଯନ୍ତ୍ରୀ ଇଂ. ସାଇ ସ୍ୱରୂପ ପ୍ରଧାନ, ଅନିଲ ଆଚାର୍ଯ୍ୟ, ତହସିଲଦାର ଚାରୁଲତା ସିଂହ, ପୂର୍ତ ବିଭାଗର ଏସ୍ସିଇ ଇଂ. ରାଜଶ୍ରୀ ବେହେରା, ପୂର୍ବତନ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ରାଜେନ୍ଦ୍ର ପଟ୍ଟନାୟକ, ଦିଲ୍ଲୀପ ଖଟେଇଙ୍କ ସମେତ ଠିକା ସଂସ୍ଥାର କର୍ମଚାରୀମାନେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ