
ନୂଆଦିଲ୍ଲୀ, ୦୭ ନଭେମ୍ବର (ହି.ସ.)। ରାଷ୍ଟ୍ରୀୟ ସଙ୍ଗୀତ ‘ବନ୍ଦେ ମାତରମ୍’ର ରଚନାକୁ ୧୫୧ ବର୍ଷ ପୂର୍ତ୍ତି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏବଂ କେନ୍ଦ୍ରୀୟ ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂହଙ୍କ ସମେତ ବହୁ ନେତା ଶନିବାର ଦେଶବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।
ରାଷ୍ଟ୍ରପତି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, “ରାଷ୍ଟ୍ରୀୟ ସଙ୍ଗୀତ ‘ବନ୍ଦେ ମାତରମ୍’ର ରଚନାକୁ ୧୫୧ ବର୍ଷ ପୂର୍ତ୍ତି ଅବସରରେ ମୁଁ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ସ୍ୱାଧୀନତା ସଂଗ୍ରାମ ସମୟରେ ଏହି ସଙ୍ଗୀତ ଦେଶଭକ୍ତମାନଙ୍କ ପାଇଁ ସାହସ, ଏକତା ଓ ସଂକଳ୍ପର ପ୍ରତୀକ ପାଲଟିଥିଲା। ଆଜି ମଧ୍ୟ ଏହା ଆମର ଜାତୀୟ ପରିଚୟ, ଆତ୍ମସମ୍ମାନ ଏବଂ ମାତୃଭୂମି ପ୍ରତି ସମର୍ପଣ ଭାବନାକୁ ପ୍ରତିଫଳିତ କରୁଛି। ଆଶା କରୁଛି, ଆମ ଦେଶବାସୀ ‘ବନ୍ଦେ ମାତରମ୍’ରେ ନିହିତ ‘ରାଷ୍ଟ୍ର ସର୍ବୋପରି’ ଭାବନାକୁ ଆପଣାଇବେ ଏବଂ ରାଷ୍ଟ୍ର ନିର୍ମାଣରେ ନିଜର ଯୋଗଦାନ ଦେବେ।”
ଲୋକସଭା ବାଚସ୍ପତି କହିଛନ୍ତି ଯେ, ‘ବନ୍ଦେ ମାତରମ୍’ ଭାରତମାତାଙ୍କ ପ୍ରତି ଶ୍ରଦ୍ଧା ଓ ଦେଶଭକ୍ତିର ଏକ ଅମର ସଙ୍ଗୀତ। ଏହା ଭାରତର ଜାତୀୟ ଚେତନା, ଆତ୍ମସମ୍ମାନ ଓ ଏକତାର ଏକ ଶକ୍ତିଶାଳୀ ପ୍ରତୀକ।
କେନ୍ଦ୍ରୀୟ ବୟନଶିଳ୍ପ ମନ୍ତ୍ରୀ କହିଛନ୍ତି ଯେ, ଭାରତମାତାଙ୍କ ଚରଣରେ ସମର୍ପିତ ଏହି ପ୍ରେରଣାଦାୟୀ ସଙ୍ଗୀତ ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ଦେଶ ପ୍ରତି ଅସୀମ ପ୍ରେମ ଓ ଦେଶଭକ୍ତିର ଭାବନା ଜାଗ୍ରତ କରିଥାଏ।
କେନ୍ଦ୍ରୀୟ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ କହିଛନ୍ତି ଯେ, ‘ବନ୍ଦେ ମାତରମ୍’ ହେଉଛି ଭାରତର ଆତ୍ମାର ସ୍ୱର। ଏହା ସମସ୍ତଙ୍କୁ ନିଜ ମାତୃଭୂମିକୁ ଭଲ ପାଇବା, ତା’ ପ୍ରତି ସମର୍ପିତ ରହିବା ଏବଂ ତା’ର ସେବା କରିବାକୁ ପ୍ରେରଣା ଦେଇଥାଏ। ସ୍ୱାଧୀନତା ସଂଗ୍ରାମ ସମୟରେ ଏହି ସଙ୍ଗୀତ ଲୋକଙ୍କ ହୃଦୟରେ ସ୍ୱାଧୀନତାର ଭାବନା ଜାଗ୍ରତ କରିବା ସହ ଦେଶକୁ ଏକଜୁଟ କରିବାରେ ସହାୟକ ହୋଇଥିଲା। ଭାରତମାତାଙ୍କ ସ୍ୱାଧୀନତା ପାଇଁ ନିଜର ସର୍ବସ୍ୱ ବଳିଦାନ ଦେଇଥିବା ବୀର କ୍ରାନ୍ତିକାରୀମାନଙ୍କୁ କୋଟି କୋଟି ପ୍ରଣାମ।
ଉଲ୍ଲେଖଯୋଗ୍ୟ ଯେ, ୧୮୭୫ ମସିହାରେ ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଦ୍ୱାରା ରଚିତ ଏହି କାଳଜୟୀ ସଙ୍ଗୀତ ସ୍ୱାଧୀନତା ଆନ୍ଦୋଳନ ସମୟରେ ସାରା ଦେଶର ଲୋକଙ୍କ ମନରେ ରାଷ୍ଟ୍ରପ୍ରେମର ଭାବନା ଜାଗ୍ରତ କରିଥିଲା। ବିଶେଷକରି ୧୯୦୫ ମସିହାର ସ୍ୱଦେଶୀ ଆନ୍ଦୋଳନ ସମୟରେ ‘ବନ୍ଦେ ମାତରମ୍’ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପାଇଁ ପ୍ରେରଣାର ଉତ୍ସ ଏବଂ ଏକ ଏଭଳି ଉଦ୍ଘୋଷ ପାଲଟିଥିଲା, ଯାହା ବିଦେଶୀ ଶାସନ ବିରୋଧରେ ସଂଘର୍ଷକୁ ନୂତନ ଶକ୍ତି ଯୋଗାଇଥିଲା।
ଏହି ସଙ୍ଗୀତର ପ୍ରତ୍ୟେକ ଶବ୍ଦ ମାତୃଭୂମି ପ୍ରତି ଶ୍ରଦ୍ଧା, ତ୍ୟାଗ, ସମର୍ପଣ ଓ ଗୌରବର ଭାବନାକୁ ପ୍ରକାଶ କରେ। ଏହା ଅସଂଖ୍ୟ କ୍ରାନ୍ତିକାରୀ ଓ ଦେଶବାସୀଙ୍କୁ ରାଷ୍ଟ୍ରର ସ୍ୱାଧୀନତା ପାଇଁ ନିଜର ସର୍ବସ୍ୱ ଉତ୍ସର୍ଗ କରିବାକୁ ସାହସ ଯୋଗାଇଥିଲା।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା