
ପୁରୀ, ୭ ନଭେମ୍ବର (ହି.ସ.)- ଆଗାମୀ ଦୀପାବଳି ଉତ୍ସବ ଏବଂ ପବିତ୍ର ବଡ଼ବଡ଼ୁଆ କାର୍ଯ୍ୟକ୍ରମକୁ ଶାନ୍ତିପୂର୍ଣ୍ଣ ଓ ସୁରକ୍ଷିତ ଭାବେ ପାଳନ କରିବା ନେଇ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ସମ୍ପର୍କରେ ଅବଗତ କରାଇଛନ୍ତି। ଜିଲ୍ଲାପାଳ ଶ୍ରୀ ପରିଡ଼ାଙ୍କ ସୂଚନା ଅନୁଯାୟୀ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ର ଗାଇଡଲାଇନ୍ ଅନୁଯାୟୀ ଦୀପାବଳି ଦିନ ସନ୍ଧ୍ୟା ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ କେବଳ ବାଣ ଫୁଟାଇବା ପାଇଁ ସମୟ ନିର୍ଦ୍ଧାରଣ କରାଯାଇଛି ଏବଂ ଏହି ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ହିଁ ବାଣ ଫୁଟାଇବାର ବ୍ୟବସ୍ଥା ରହିଛି। ଏହା ପରବର୍ତ୍ତୀ ପର୍ଯ୍ୟାୟରେ କେହି ମଧ୍ୟ ବାଣ ଫୁଟାଇ ପାରିବେ ନାହିଁ ଏବଂ ଯେଉଁମାନେ ଏହି ନିୟମକୁ ଉଲ୍ଲଂଘନ କରିବେ, ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।
ପବିତ୍ର ବଡ଼ବଡ଼ୁଆ ଦିନ ଏବଂ ତାହା ପରଦିନ ଏହି ଦୁଇ ଦିନ ପାଇଁ କାର୍ଯ୍ୟକ୍ରମ ରହୁଥିବାରୁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ନେଇ ଜିଲ୍ଲାପାଳ ଶ୍ରୀ ପରିଡ଼ା ଅବଗତ କରାଇଛନ୍ତି। ସୁରକ୍ଷା ଓ ଶୃଙ୍ଖଳା ଦୃଷ୍ଟିରୁ ବିଭିନ୍ନ ସ୍ଥାନରେ ମାଜିଷ୍ଟ୍ରେଟ୍ ମୁତୟନ ସହିତ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯିବ । ଏଥିସହିତ, ଅଗ୍ନିଶମ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇ ବିଭିନ୍ନ ଫାୟାର ଟିମ୍ ଓ ପୋଲିସ ଟିମ୍ ନିୟୋଜିତ କରାଯିବ। ଗ୍ରାଉଣ୍ଡ ମ୍ୟାନେଜମେଣ୍ଟ ଅର୍ଥାତ୍ ଭିଡ଼ ପରିଚାଳନା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହୋଇଥିବାରୁ, ପୋଲିସ ବିଭାଗ ଏବଂ ମାଜିଷ୍ଟ୍ରେଟ୍ ମାନେ ସେହି ସ୍ଥାନମାନଙ୍କରେ ଉପସ୍ଥିତ ରହିବେ।
ପ୍ରଶାସନ ପକ୍ଷରୁ ସମସ୍ତ ଅଫିସିଆଲ୍, ପୋଲିସ ପ୍ରଶାସନ ଏବଂ ଅଗ୍ନିଶମ ବିଭାଗର ମିଳିତ ସହଯୋଗରେ ଏହି ପବିତ୍ର ବଡ଼ବଡ଼ୁଆ କାର୍ଯ୍ୟକ୍ରମକୁ କୌଣସି ପ୍ରକାରର ଅଗ୍ନି ଦୁର୍ଘଟଣା ବିନା ସୁରକ୍ଷିତ ଭାବେ ସମ୍ପନ୍ନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଜିଲ୍ଲାପାଳ ଶ୍ରୀ ପରିଡ଼ା ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ଯେ, ଦୀପାବଳି ଭଳି ଏକ ପବିତ୍ର ଦିନରେ ସମସ୍ତେ ସତର୍କ ଓ ସଚେତନ ରୁହନ୍ତୁ, ଖୁସିରେ ପର୍ବ ପାଳନ କରନ୍ତୁ ଏବଂ ସାବଧାନତାର ସହ କେବଳ ନିର୍ଦ୍ଧାରିତ ସମୟ ସୀମା ଭିତରେ ବାଣ ଫୁଟାଇ ସହଯୋଗ କରନ୍ତୁ।
ହିନ୍ଦୁସ୍ଥାନ ସମାଚାର / ବିଜୟ