
ଭୁବନେଶ୍ୱର, 07 ନଭେମ୍ବର (ହି.ସ.)-‘ବନ୍ଦେ ମାତରମ୍’ ରଚନାର 151 ବର୍ଷ ପୂର୍ତ୍ତି ଅବସରରେ
ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ
ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭାରତୀୟ ଜାତୀୟ ଚେତନାର ପ୍ରତୀକ ‘ବନ୍ଦେ ମାତରମ୍’
ରଚନାର ଗୌରବମୟ ପୂର୍ତ୍ତି ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି।
୧୮୭୫ ମସିହା ଆଜିର ଦିନରେ ଋଷି ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ
ଦ୍ୱାରା ରଚିତ ଏହି କାଳଜୟୀ ସଙ୍ଗୀତ ଭାରତୀୟ ସ୍ୱାଧୀନତା ସଂଗ୍ରାମ ସମୟରେ ଲକ୍ଷ ଲକ୍ଷ ସଂଗ୍ରାମୀଙ୍କୁ
ଦେଶମାତୃକାର ମୁକ୍ତି ଲାଗି ସର୍ବସ୍ୱ ସମର୍ପଣ କରିବାକୁ ଅନନ୍ୟ ପ୍ରେରଣା ଯୋଗାଇଥିଲା। ବିଗତ ଦେଢ଼ ଶତାବ୍ଦୀ ଧରି 'ବନ୍ଦେ ମାତରମ୍' ଆମ ସାଂସ୍କୃତିକ
ଐତିହ୍ୟ, ଅଖଣ୍ଡତା ଏବଂ
‘ରାଷ୍ଟ୍ର ପ୍ରଥମ’ଆଦର୍ଶର ଏକ ଦୃଢ଼
ସ୍ତମ୍ଭ ଭାବରେ ପ୍ରତିଷ୍ଠିତ ହୋଇ ରହିଛି।
ଅତୀତରେ ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ଓ ତୋଷଣ ମାନସିକତା କାରଣରୁ
ଏହାର ପ୍ରକୃତ ଗୌରବକୁ ସୀମିତ ରଖିବାର ଅପଚେଷ୍ଟା କରାଯାଇଥିଲା, ଯାହା ଆମ
ରାଷ୍ଟ୍ରୀୟ ସ୍ୱାଭିମାନ ପ୍ରତି ଅନ୍ୟାୟ ଥିଲା।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦୂରଦୃଷ୍ଟିସମ୍ପନ୍ନ
ନେତୃତ୍ୱରେ ଆଜି ଭାରତ ଦାସତ୍ୱର ପ୍ରତୀକଗୁଡ଼ିକୁ ପରିହାର କରି ନିଜର ସାଂସ୍କୃତିକ ଗୌରବକୁ
ପୁନରୁଦ୍ଧାର କରିଛି। ‘ପଞ୍ଚ ପ୍ରଣ’ ସଂକଳ୍ପ ଆଧାରରେ ‘ବନ୍ଦେ ମାତରମ୍’ ପୁନର୍ବାର ସମଗ୍ର
ରାଷ୍ଟ୍ରରେ ସର୍ବୋଚ୍ଚ ସମ୍ମାନ ଲାଭ କରିଛି ଏବଂ ବିକଶିତ ଭାରତ ଗଠନର ଏକ ମହାନ୍ ସଂକଳ୍ପ ସ୍ୱରୂପ
ଉଭା ହୋଇଛି।
ଏହି ଅବସରରେ ଆସନ୍ତୁ, ମାତୃଭୂମିର ପ୍ରଗତି ଓ ସେବାରେ ନିଜକୁ ଉତ୍ସର୍ଗ କରି ଦେଶକୁ ବିଶ୍ୱସ୍ତରରେ
ନୂତନ ଶିଖରରେ ପହଞ୍ଚାଇବା ପାଇଁ ଏକତ୍ର ସଂକଳ୍ପବଦ୍ଧ ହେବା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା