
ପୁରୀ, ୭ ନଭେମ୍ବର (ହି.ସ.)- ଭାରତ ନିର୍ବାଚନ ଆୟୋଗ ତା ୦୧-୦୧-୨୦୨୭ ରିଖକୁ ଯୋଗ୍ୟତା ତାରିଖ ଭାବେ ଗ୍ରହଣ କରି ଫଟୋ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ନିମନ୍ତେ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ଏକ ସଠିକ୍, ଅଦ୍ୟତନ, ସମାବେଶୀ ଏବଂ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତ କରିବା।
ମତଦାନ କେନ୍ଦ୍ରଗୁଡ଼ିକର ସୁବ୍ୟବସ୍ଥାକରଣ / ପୁନର୍ବିନ୍ୟାସ ତା ୨୦.୧୧.୨୦୨୬ ରିଖ ସୁଦ୍ଧା, ସମନ୍ୱିତ ଚିଠା ଭୋଟର ତାଲିକା ପ୍ରକାଶନ ତା ୩୦.୧୧.୨୦୨୬ ରିଖ, ଦାବି ଓ ଆପତ୍ତି ଦାଖଲ ସମୟ ସୀମା ତା ୩୦.୧୧.୨୦୨୬ ରୁ ୩୦.୧୨.୨୦୨୬ ରିଖ ପର୍ଯ୍ୟନ୍ତ, ଦାବି ଓ ଆପତ୍ତିଗୁଡ଼ିକର ସମାଧାନ ତା ୧୬.୦୧.୨୭ ରିଖ ସୁଦ୍ଧା କରାଯିବ। ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ ତା ୨୧.୦୧.୨୦୨୭ ରିଖରେ କରାଯିବ। ସେହିପରି ପ୍ରସ୍ତୁତିମୂଳକ କାର୍ଯ୍ୟକ୍ରମର ଏକ ଅଂଶ ଭାବେ, ଭାରତ ନିର୍ବାଚନ ଆୟୋଗଙ୍କ ପ୍ରଯୁଜ୍ୟ ନିର୍ଦ୍ଦେଶାବଳୀ ଅନୁଯାୟୀ ମତଦାନ କେନ୍ଦ୍ରଗୁଡ଼ିକର ସୁବ୍ୟବସ୍ଥାକରଣ / ପୁନର୍ବିନ୍ୟାସ କରାଯିବ। ଏହି ପ୍ରକ୍ରିୟାର ଉଦ୍ଦେଶ୍ୟ ହେଉଛି ଭୋଟରମାନଙ୍କ ସୁବିଧା, ମତଦାନ କେନ୍ଦ୍ରଗୁଡ଼ିକର ସୁଗମ ଉପଲବ୍ଧତା ଏବଂ ମତଦାତାଙ୍କ ପାଇଁ ଉପଯୁକ୍ତ ସ୍ଥାନରେ ମତଦାନ କେନ୍ଦ୍ର ସ୍ଥାପନ ସୁନିଶ୍ଚିତ କରିବା।
ପ୍ରତ୍ୟେକ ମତଦାନ କେନ୍ଦ୍ରରେ ସର୍ବାଧିକ ୧,୨୦୦ ଜଣ ଭୋଟର ରହିବାର ନିର୍ଦ୍ଧାରିତ ସୀମାକୁ ଦୃଷ୍ଟିରେ ରଖି, ନୂତନ ମତଦାନ କେନ୍ଦ୍ରର ଆବଶ୍ୟକତା ଥିଲେ ତାହା ଆକଳନ କରାଯିବ ଏବଂ ଆବଶ୍ୟକ ସ୍ଥଳେ ଆୟୋଗଙ୍କ ଅନୁମୋଦନ ନିଆଯିବ। ଏଥିସହିତ, ଭୋଟରମାନଙ୍କୁ ସମାନ ଭାବରେ ବଣ୍ଟନ କରିବା ନିମନ୍ତେ ସେକ୍ସନଗୁଡ଼ିକର ମଧ୍ୟ ପୁନର୍ବିନ୍ୟାସ କରାଯିବ। ଭୋଟରମାନଙ୍କୁ ନିଜର ମତଦାନ କେନ୍ଦ୍ରରେ ପହଞ୍ଚିବା ପାଇଁ ଯେପରି ଦୁଇ କିଲୋମିଟରରୁ ଅଧିକ ବାଟ ଯିବାକୁ ନ ପଡ଼େ କିମ୍ବା କୌଣସି ପ୍ରାକୃତିକ ପ୍ରତିବନ୍ଧକ ଅତିକ୍ରମ କରିବାକୁ ନ ପଡ଼େ, ତାହା ସୁନିଶ୍ଚିତ କରିବା ପାଇଁ ଉଦ୍ୟମ କରାଯିବ।
ଏହି ପ୍ରକ୍ରିୟା ମାଧ୍ୟମରେ ମତଦାନ କେନ୍ଦ୍ରଗୁଡ଼ିକୁ ଅଧିକ ସୁଗମ ଓ ସୁବିଧାଜନକ କରିବା, ଭୋଟର ତାଲିକାର ସଠିକତା ବୃଦ୍ଧି କରିବା ଏବଂ ଏକ ସୁଗମ ଓ ଭୋଟର-ଅନୁକୂଳ ନିର୍ବାଚନ ପ୍ରକ୍ରିୟା ସୁନିଶ୍ଚିତ କରିବା ଲକ୍ଷ୍ୟ ରଖାଯାଇଛି। ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପ୍ରକ୍ରିୟାର ସଫଳ ରୂପାୟନ ଏବଂ ସଠିକ୍ ଓ ସମାବେଶୀ ଭୋଟର ତାଲିକା ବଜାୟ ରଖିବା ନିମନ୍ତେ ଆବଶ୍ୟକ ସହଯୋଗ ଓ ସକ୍ରିୟ ଅଂଶଗ୍ରହଣ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଅଂଶୀଦାରମାନଙ୍କୁ ଅନୁରୋଧ କରାଯାଉଛି। ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଏହି ଜାତୀୟ କାର୍ଯ୍ୟରେ ସମସ୍ତେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ବିଜୟ