

ପୁରୀ, ୮ ନଭେମ୍ବର (ହି.ସ.)- ପୁରୀ ସ୍ଵର୍ଗଦ୍ଵାର ସେବା ସମିତି ତରଫରୁ ଦୀପାବଳୀ ଅବସରରେ ସ୍ଵର୍ଗଦ୍ଵାର ଠାରେ କାର୍ଯ୍ୟ କରୁଥିବା ସେବକ ମାନଙ୍କୁ ମିଷ୍ଟାନ୍ନ, ନୂତନ ପୋଷାକ ଓ ବୋନସ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୁରୀ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା ଯୋଗଦେଇ ସ୍ଵର୍ଗଦ୍ଵାର ସେବକ ମାନଙ୍କୁ ଦୀପାବଳୀ ଶୁଭେଛା ବାର୍ତ୍ତା ଦେବା ସହିତ ସ୍ଵର୍ଗଦ୍ଵାରର ଗାରିମା ସ୍ୱଚ୍ଛତା ଓ ପବିତ୍ରତାକୁ ଅକ୍ଷୁର୍ଣ୍ଣ ରଖିବାକୁ ସମସ୍ତେ ମିଳିତ ଭାବରେ ପ୍ରୟାସ କରିବା ଆବଶ୍ୟକ ବୋଲି କହିଥିଲେ। ସ୍ବର୍ଗଦ୍ବାରରେ ଦୈନିକ ଶତାଧିକ ଶବ ଦାହ ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଲୋକ ଆସୁଛନ୍ତି। ସେମାନଙ୍କୁ ଉପଯୁକ୍ତ ସମ୍ମାନ ଓ ସମ୍ବେଦନଶୀଳ ବ୍ୟବହାର ପ୍ରଦାନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।
ଅନ୍ୟତମ ଅତିଥି ଭାବରେ ସ୍ଵର୍ଗଦ୍ଵାର ସେବା ସମିତି ଆବାହକ ସମ୍ପାଦକ ତଥା ପୁରୀ ଉପଜିଲ୍ଲାପାଳ ରାଜ କିଶୋର ଜେନା, କଟକ ମଠ ମହାନ୍ତ ରାମାନୁଜ ଦାସ, ସୂଚନା ଓ ଲୋକ ସମ୍ପର୍କ ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଓ ସ୍ଵର୍ଗଦ୍ଵାର ପରିଚାଳନା କମିଟି ସଦସ୍ୟ ସିଦ୍ଧାର୍ଥ ରାୟ ପ୍ରମୁଖ ଯୋଗଦେଇ ସେବକ ମାନଙ୍କୁ ମିଷ୍ଟାନ୍ନ ଓ ପୋଷାକ ବଣ୍ଟନ କରିଥିଲେ। କାର୍ଯ୍ୟକ୍ରମକୁ ସ୍ଵର୍ଗଦ୍ଵାର ମୁଖ୍ୟ ସେବକ ସୁସ୍ମିତା ପ୍ରଧାନଙ୍କ ସମେତ ସେବା କେନ୍ଦ୍ରର ସମସ୍ତ ସେବକ ପରିଚାଳନା କରିଥିଲେ। ଏହି ଅବସରରେ ବ୍ରାହ୍ମଣ ସେବକ ମାନଙ୍କୁ ବସ୍ତ୍ର ଓ ଉତ୍ତମ କାର୍ଯ୍ୟ ପାଇଁ ସଂସ୍କାର ସେବକ ଜାଗେଶ୍ବର ନାୟକ, ଦୀନବନ୍ଧୁ ନାୟକ, ଅଭୟ ନାୟକ, ଧିରୁଆ ନାୟକ, ବନୁ ନାୟକଙ୍କୁ ସ୍ବତନ୍ତ୍ର ବୋନସ, ସମସ୍ତଙ୍କୁ ମିଷ୍ଟାନ୍ନ, ପୋଷାକ ପ୍ରଦାନ କରାଯାଇଥିଲା।
ସୂଚନା ଯୋଗ୍ୟ ଯେ, ସ୍ଵର୍ଗଦ୍ଵାର ସୁ ପରିଚାଳନା ପାଇଁ ସ୍ଵର୍ଗଦ୍ଵାର ସେବା ସମିତି ତରଫରୁ ସ୍ଵର୍ଗଦ୍ଵାର ସେବା କେନ୍ଦ୍ରର ପ୍ରତିଷ୍ଠା କରାଯାଇଛି। ଏହି ସେବା କେନ୍ଦ୍ର ଅଧୀନରେ ୧୫୦ରୁ ଉର୍ଦ୍ଧ୍ବ ସେବକ ପ୍ରତ୍ୟହ ସେବା ଯୋଗାଉ ଆସୁଛନ୍ତି।
ହିନ୍ଦୁସ୍ଥାନ ସମାଚାର / ବିଜୟ