
ମାଲକାନଗିରି , ୯ ନଭେମ୍ବର (ହି.ସ.) - ସ୍କୁଟି ଓ ବାଲି ବୋଝେଇ ଟ୍ରାକ୍ଟର ମଧ୍ୟରେ ଧକ୍କା। ଦୁର୍ଘଟଣାରେ ଚାଲିଗଲା ଦୁଇ ଜଣଙ୍କ ଜୀବନ, ଅନ୍ୟ ଜଣେ ଯୁବକ ଗୁରୁତର। ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ତାର୍ଲାକୋଟା ପଂଚାୟତ ମହୁଲଫୁଟ ଗ୍ରାମର ଦୁଇ ଜଣ ଯୁବକ ସହ ସେମାନଙ୍କ ସମ୍ପର୍କୀୟ ମାମୁଁ ଏକ ସ୍କୁଟି ଯୋଗେ ସୋମନାଥପୁର ସ୍କୁଲ ଛକ ଦେଇ ଘରକୁ ଫେରୁଥିବା ସମୟରେ ଏକ ବାଲି ବୋଝେଇ ଟ୍ରାକ୍ଟର ସହ ସେମାନଙ୍କ ସ୍କୁଟିର ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ରାଜୁ ଖିଲ (୧୮)ନାମକ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଭାବେ ଆହତ ହୋଇଥିବା ସମ୍ପର୍କୀୟ ମାମୁଁ କୁମ ଖରା (୫୧) ଏବଂ ରାଜେଶ ଖେମୁଡ଼ୁ ନାମକ ଯୁବକଙ୍କୁ ତୁରନ୍ତ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ସମ୍ପର୍କୀୟ ମାମୁଁ କୁମ ଖରାଙ୍କ ମୃତ୍ୟୁ ଘଟିଥିବା ବେଳେ ଆହତ ଯୁବକ ରାଜେଶ ଖେମୁଡ଼ୁଙ୍କ ଗୋଟେ ଗଡ ଭାଙ୍ଗି ଯାଇଥିବା ସହ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ହେତୁ ତାଙ୍କୁ କୋରାପୁଟ ମେଡକାଲରେ ସ୍ଥାନାନ୍ତରିତ କରାଯାଇଛି । ତେବେ ଏହି ଦୁର୍ଘଟଣା ପରେ ଟ୍ରାକ୍ଟର ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଥିବା ବେଳେ ମୃତକଙ୍କ ପରିବାର ଲୋକେ ଓର୍କେଲ୍ ଥାନାରେ ଅଭିଯୋଗ କରିବା ସହ କ୍ଷତିପୂରଣ ଏବଂ ନ୍ୟାୟ ଦାବି କରିଛନ୍ତି। ତେବେ ଏହି ଘଟଣାକୁ ନେଇ ଓର୍କେଲ ପୋଲିସ୍ ପକ୍ଷରୁ ୩୩୨/୨୬ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଜାରି ରହିଥିବା ଓର୍କେଲ୍ ଥାନା ଭାରପ୍ରାପ୍ତ ଅଧିକାରୀ ରିଗାନ କିଣ୍ଡୋ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ