
ଝାରସୁଗୁଡ଼ା, ୯ ନଭେମ୍ବର (ହି.ସ.)- ରାଷ୍ଟ୍ରର ପୁନଃନିର୍ମାଣ ଓ ସମାଜର ସର୍ବାଙ୍ଗୀଣ ବିକାଶରେ ଛାତ୍ର ସମାଜର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଛାତ୍ରଜୀବନ କେବଳ ଶିକ୍ଷା ଓ କ୍ୟାରିୟର ଗଠନରେ ସୀମିତ ନ ରହି ସମାଜସେବା, ନେତୃତ୍ୱ ଓ ଦେଶ ଗଠନର ମାଧ୍ୟମ ହେବା ଆବଶ୍ୟକ। ଏଭଳି ଆହ୍ୱାନ ସହ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ଝାରସୁଗୁଡ଼ା ସାଂଗଠନିକ ଜିଲ୍ଲାସ୍ତରୀୟ ଛାତ୍ରନେତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।
ଝାରସୁଗୁଡ଼ାସ୍ଥିତ ସଂସ୍କୃତି ଭବନଠାରେ ଆଜି ଆୟୋଜିତ ଏହି ସମ୍ମିଳନୀରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ଛାତ୍ରନେତା ଓ ସଂଗଠନର କାର୍ଯ୍ୟକର୍ତ୍ତାମାନେ ଉତ୍ସାହର ସହ ଯୋଗଦେଇଥିଲେ। ସମ୍ମିଳନୀରେ ରାଷ୍ଟ୍ର ପୁନଃନିର୍ମାଣ ସହ ଯୁବପିଢ଼ିଙ୍କ ବ୍ୟକ୍ତିତ୍ୱ ବିକାଶ, ନେତୃତ୍ୱ ଦକ୍ଷତା ଓ ସାମାଜିକ ଦାୟିତ୍ୱବୋଧ ଆଦି ବିଷୟ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଛାତ୍ରଛାତ୍ରୀମାନେ ନିଜ ଶିକ୍ଷା ସହ ସମାଜର ବିଭିନ୍ନ ସମସ୍ୟାର ସମାଧାନ ଓ ଦେଶ ଗଠନରେ ସକ୍ରିୟ ଭୂମିକା ନିର୍ବାହ କରିବାକୁ ବକ୍ତାମାନେ ଆହ୍ୱାନ ଦେଇଥିଲେ।
କାର୍ଯ୍ୟକ୍ରମରେ ଏବିଭିପିର ସୁନ୍ଦରଗଡ଼ ବିଭାଗ ସଂଗଠନ ସମ୍ପାଦକ ଜୀବନ ଜ୍ୟୋତି ରାଉତ, ଆରଏସଏସ ର ଝାରସୁଗୁଡ଼ା ନଗର ପ୍ରଚାର ପ୍ରମୁଖ ଶୁଭମ୍ ବେସନ, ଏବିଭିପିର ପ୍ରାନ୍ତ କାର୍ଯ୍ୟକାରିଣୀ ସଦସ୍ୟ ମୁସ୍କାନ ପ୍ରସାଦ, ସମ୍ବଲପୁର ବିଶ୍ୱବିଦ୍ୟାଳୟର ନବନିର୍ବାଚିତ ଉପସଭାପତି ସଙ୍କେତ ସାହୁ ଏବଂ ସୁନ୍ଦରଗଡ଼ ବିଭାଗ ଖେଳା ମଞ୍ଚ ମୁଖ୍ଯ ଚିନ୍ମୟ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଛାତ୍ରନେତାମାନଙ୍କୁ ମାର୍ଗଦର୍ଶନ କରିଥିଲେ। ଦମୟନ୍ତୀ ପାଣ୍ଡେ ମଞ୍ଚ ପରିଚାଳନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ