
ଭୁବନେଶ୍ୱର,୦୯ ନଭେମ୍ବର (ହି.ସ.) - ବିମୁଦ୍ରୀକରଣ ଆତଙ୍କବାଦୀ ଓ ମାଓବାଦୀଙ୍କ ଅର୍ଥ ଯୋଗାଣକୁ ଦୁର୍ବଳ କରିବା ସହ ଜାଲ୍ ନୋଟ୍, ହାୱାଲା କାରବାର ଏବଂ କଳାଧନ ଉପରେ ଅଙ୍କୁଶ ଲଗାଇଥିଲା। ଏହା ସହ ଦେଶର ଅର୍ଥନୀତିକୁ ଡିଜିଟାଲ ଓ ବ୍ୟାଙ୍କିଂ ବ୍ୟବସ୍ଥା ସହ ଯୋଡ଼ିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି ବୋଲି ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି।
ବିମୁଦ୍ରୀକରଣର ଦଶବର୍ଷ ପୂର୍ତି ଅବସରରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡା କହିଥିଲେ ଯେ, ଏହି ପଦକ୍ଷେପ ଯୋଗୁଁ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ଜାଲ୍ ନୋଟ୍ ଅଚଳ ହୋଇଥିଲା ଏବଂ ଉଗ୍ରବାଦୀଙ୍କ ଆର୍ôଥକ ନେଟୱର୍କକୁ ଶକ୍ତ ଧକ୍କା ଲାଗିଥିଲା। ଦେଶରେ ମାଓବାଦୀ ହିଂସା ହ୍ରାସ ଓ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଘଟଣା ୯୫ ପ୍ରତିଶତ କମିବାରେ ସରକାରଙ୍କ ସୁରକ୍ଷା ଅଭିଯାନ ସହ ବିମୁଦ୍ରୀକରଣର ମଧ୍ୟ ଅବଦାନ ରହିଛି ବୋଲି ସେ ଦାବି କରିଥିଲେ।
ସେ ଆହୁରି କହିଥିଲେ ଯେ, ରିଜର୍ଭ ବ୍ୟାଙ୍କର ତଥ୍ୟ ଅନୁଯାୟୀ, ବ୍ୟାଙ୍କିଂ ବ୍ୟବସ୍ଥାରେ ଚିହ୍ନଟ ଜାଲ୍ ନୋଟ୍ ସଂଖ୍ୟା ୨୦୧୬-୧୭ରେ ୭.୬୨ ଲକ୍ଷରୁ ୨୦୨୫-୨୬ରେ ୨.୨୯ ଲକ୍ଷକୁ ହ୍ରାସ ପାଇଛି। ଏଥିସହ ଆୟକର ରିଟର୍ଣ୍ଣ ଦାଖଲ, ଜନଧନ ଖାତା ଓ ଡିଜିଟାଲ କାରବାର ବୃଦ୍ଧି ଦେଶର ଅର୍ଥନୀତିକୁ ଅଧିକ ସଂଗଠିତ କରିଛି।
ବିମୁଦ୍ରୀକରଣ ସମୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ସମର୍ଥନ କରିଥିବାରୁ ଏବେ ମଧ୍ୟ କୌଣସି ସୁବିଧାବାଦୀ ରାଜନୀତିର ଶିକାର ନହୋଇ ସେହି ନିଷ୍ପତିକୁ ପୁନଃ ସମର୍ଥନ କରିବାକୁ ଶ୍ରୀ ପଣ୍ଡା ଆହ୍ୱାନ ଦେଇଥିଲେ। ସାମ୍ବାଦିକ ସମ୍ମିଳନୀରେ ଅନ୍ୟତମ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା