
ଝାରସୁଗୁଡ଼ା, ୯ ନଭେମ୍ବର (ହି.ସ.)- ଶିକ୍ଷାଦାନ କ୍ଷେତ୍ରରେ ଉତ୍କର୍ଷତା, ନିଷ୍ଠା ଓ ନବସୃଜନ ପାଇଁ ଝାରସୁଗୁଡ଼ା ଜିଲ୍ଲାର ଜଣେ ଶିକ୍ଷକଙ୍କୁ ମିଳିଛି ରାଜ୍ୟସ୍ତରୀୟ ସ୍ୱୀକୃତି। ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ୨୦୨୫-୨୬ ଶିକ୍ଷାବର୍ଷର ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଜିଲ୍ଲାସ୍ତରୀୟ ମାଧ୍ୟମିକ ଶିକ୍ଷକ ତାଲିକାରେ କୋଲାବିରା ବ୍ଲକର ପରମାଣପୁରସ୍ଥିତ ଚକ୍ରଧର ବିର୍ତ୍ତିଆ ସରକାରୀ ଉଚ୍ଚ ବିଦ୍ୟାଳୟର ଓଡ଼ିଆ ଶିକ୍ଷକ ଟୁନା ରଣା ସ୍ଥାନ ପାଇଛନ୍ତି।
ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ନିୟମିତ ଓ ପୂର୍ଣ୍ଣ ଉପସ୍ଥାନ ସୁନିଶ୍ଚିତ କରିବା ସହ ଶିକ୍ଷାର୍ଥୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଏବଂ ଶିକ୍ଷାଦାନ ପ୍ରକ୍ରିୟାରେ ନୂତନ ଓ ସୃଜନଶୀଳ ପଦ୍ଧତିର ପ୍ରୟୋଗ କରିବା କ୍ଷେତ୍ରରେ ତାଙ୍କର ଅବଦାନକୁ ବିଚାରକୁ ନିଆଯାଇ ଏହି ପୁରସ୍କାର ପାଇଁ ଚୟନ କରାଯାଇଛି।
ଶିକ୍ଷା କେବଳ ପାଠ୍ୟପୁସ୍ତକ ମଧ୍ୟରେ ସୀମିତ ନ ରହି ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବିକାଶର ମାଧ୍ୟମ ହେବା ଆବଶ୍ୟକ। ଏହି ଦୃଷ୍ଟିକୋଣରୁ ଶିକ୍ଷାଦାନକୁ ଅଧିକ ଆକର୍ଷଣୀୟ, ସରଳ ଓ ଫଳପ୍ରଦ କରିବା ସହ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ବୃଦ୍ଧି ଦିଗରେ ଶିକ୍ଷକ ଶ୍ରୀ ରଣାଙ୍କ ଉଦ୍ୟମ ତାଙ୍କୁ ଏହି ସମ୍ମାନ ପାଇଁ ଯୋଗ୍ୟ ବିବେଚିତ କରିଛି।
ତାଙ୍କର ଏହି ସଫଳତାରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ସହକର୍ମୀ, ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଆନନ୍ଦ ପ୍ରକାଶ ପାଇଛି। ଏହା ଜିଲ୍ଲାର ଶିକ୍ଷା ଜଗତ ପାଇଁ ଗୌରବର ବିଷୟ ହୋଇଥିବା ବେଳେ ଅନ୍ୟ ଶିକ୍ଷକମାନଙ୍କୁ ମଧ୍ୟ ନିଷ୍ଠା ଓ ସୃଜନଶୀଳତାର ସହ ଶିକ୍ଷାଦାନ କରିବାକୁ ପ୍ରେରଣା ଯୋଗାଇବ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ