
ଝାରସୁଗୁଡ଼ା, ୦୯ ନଭେମ୍ବର (ହି.ସ.) - ବ୍ରଜରାଜନଗର ପୌରାଂଚଳ ଅନ୍ତର୍ଗତ କତାବଗାଠାରେ ହସ୍ତଶିଳ୍ପ (ଚାନ୍ଦୁଆ/ଆପ୍ଲିକ କ୍ରାଫ୍ଟ) କାରିଗର ତଥା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନଙ୍କ ସାମଗ୍ରିକ ବିକାଶ ନିମନ୍ତେ ଏକ ସାଧାରଣ ସୁବିଧା କେନ୍ଦ୍ର (କମନ୍ ଫ୍ୟାସିଲିଟି ସେଂଟର - ସିଏଫ୍ସି) ନିର୍ମାଣ କରାଯିବାକୁ ନିଷ୍ପତି ନିଆଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣ କତାବଗା ସ୍ଥିତ ଆପ୍ଲିକ ଡିଜାଇନ୍ ସେଂଟର (ଚାନ୍ଦୁଆ ଡିଜାଇନ୍ କେନ୍ଦ୍ର) ପରିଦର୍ଶନ କରିବା ସହ ପ୍ରସ୍ତାବିତ ନିର୍ମାଣ ସ୍ଥଳର ସ୍ଥିତି ଅନୁଧ୍ୟାନ କରିଛନ୍ତି।
ପରିଦର୍ଶନ କାଳରେ ଜିଲ୍ଲାପାଳ ସେଠାରେ କାର୍ଯ୍ୟରତ ପ୍ରାୟ ୮୦ ଜଣ ସଦସ୍ୟାଙ୍କ କାର୍ଯ୍ୟ ପରିବେଶ ଓ ସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ। ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଏବଂ ସେମାନଙ୍କ ଜୀବିକା ନିର୍ବାହକୁ ସୁଦୃଢ଼ କରିବା ପାଇଁ ଉନ୍ନତ ଭିତିଭୂମିର ବିକାଶ ତଥା ପ୍ରସ୍ତୁତ ସାମଗ୍ରୀର ଉତମ ବଜାର ପ୍ରବେଶ ଓ ବିକ୍ରୟ ସୁବିଧା ଯୋଗାଇ ଦେବା ଉପରେ ସେ ବିଶେଷ ଗୁରୁତ୍ୱାରୋପ କରିଥିଲେ। ଏଥିସହିତ କତାବଗାଠାରେ ଏକ ସ୍ୱତନ୍ତ୍ର କର୍ମଶାଳା ଏବଂ ବଜାର ସୁବିଧା ସମ୍ବଳିତ ଦକ୍ଷତା ବିକାଶ କେନ୍ଦ୍ର ନିର୍ମାଣ ନିମନ୍ତେ ଏକ ନୂତନ ଜମି ମଧ୍ୟ ଚିହ୍ନଟ କରାଯାଇଛି। ଏହି ପରିଦର୍ଶନ ସମୟରେ ହସ୍ତଶିଳ୍ପ ବିଭାଗର ସହକାରୀ ନିର୍ଦ୍ଦେଶିକା ମୋନାଲିସା ପଟେଲ ଏବଂ ବ୍ରଜରାଜନଗର ପୌରପାଳିକାର ନିର୍ବାହୀ ଅଧିକାରୀ ଚନ୍ଦ୍ରମଣି ସ୍ୱାଇଁ ଉପସ୍ଥିତ ରହି ପ୍ରକଳ୍ପ ସମ୍ପର୍କିତ ବିଭିନ୍ନ ବିଷୟ ଉପରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ। କେନ୍ଦ୍ରର ପ୍ରସ୍ତାବିତ ରୂପରେଖ, ଜମି ଚିହ୍ନଟ ତଥା ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅଧିକାରୀମାନେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ।
ସୂଚନାଯୋଗ୍ୟ ଯେ, ଏହି ସାଧାରଣ ସୁବିଧା କେନ୍ଦ୍ରର ନିର୍ମାଣ ଓ ପ୍ରତିଷ୍ଠା ନିମନ୍ତେ ଆନୁମାନିକ ୧ କୋଟି ୩୮ ଲକ୍ଷ ୨୦ ହଜାର ଟଙ୍କା ବ୍ୟୟ ଅଟକଳ କରାଯାଇଛି, ଯାହା ଝାରସୁଗୁଡ଼ା ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ଯୋଗାଇ ଦିଆଯିବ। କେନ୍ଦ୍ରଟି କାର୍ଯ୍ୟକ୍ଷମ ହେବା ପରେ ସ୍ଥାନୀୟ ଅଂଚଳର କାରିଗର ଓ ମହିଳାମାନଙ୍କୁ ଏକତ୍ର କାର୍ଯ୍ୟ କରିବା ପାଇଁ ଅତ୍ୟାଧୁନିକ ଭିତିଭୂମି ମିଳିବା ସହ ସେମାନଙ୍କ ଉତ୍ପାଦିତ ହସ୍ତଶିଳ୍ପ ସାମଗ୍ରୀର ସହଜ ବଜାର ସଂଯୋଗ ସମ୍ଭବ ହୋଇପାରିବ, ଯାହା ସେମାନଙ୍କ ଆର୍ôଥକ ଉନ୍ନତିରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିବ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ